Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କୁ ସମାଲୋଚନା ପାଇଁ ଜେପି ନଡ୍ଡାଙ୍କୁ କ୍ଷମା ମାଗିବାକୁ କହିଲେ ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟରାମ ରମେଶ ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଚିଠି ଲେଖି କ୍ଷମା ମାଗିବାକୁ କହିଛନ୍ତି । ଜୟରାମ ଚିଠିରେ କାରଣ ବତାଇଛନ୍ତି ଯେ, ବିଜେପିର କିଛି ନେତା ରାହୁଲ ଗାନ୍ଧୀଙ୍କ ଏକ ପ୍ରତିକ୍ରିୟାରେ କାଟଛାଟ୍ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ରାହୁଲ ଗାନ୍ଧୀଙ୍କ ୱାଏନାଡ ଅଫିସ ଉପରକୁ ହୋଇଥିବା ଆକ୍ରମଣ ପାଇଁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଦେଇଥିବା ମନ୍ତବ୍ୟକୁ ମନ୍ଦ ଉଦ୍ଦେଶ୍ୟ ରହିତ କାଟଛାଟ୍ କରି ସେୟାର କରାଯାଇଛି । ଏହାକୁ ଉଦୟପୁର ହତ୍ୟା ଘଟଣା ସହ ଯୋଡ଼ି ଏହି ମନ୍ତବ୍ୟ ଦିଆଯାଇଛି ବୋଲି ବିଜେପିର କିଛି ସାଂସଦ ଏବଂ ବିଧାୟକ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋର, ସୁବ୍ରତ ପାଠକ, କମଲେଶ ସୈନି ଏବଂ କିଛି ବିଧାୟକ ସୋସିଆଲ ମିଡିଆରେ ରାହୁଲଙ୍କ ମତାମତ ସେୟାରକୁ କାଟଛାଟ୍ କରି ସେୟାର କରିଛନ୍ତି ।

କଂଗ୍ରେସ ଦଳ ଦ୍ୱାରା ଏହି ବିଷୟ ସତର୍କ କରାଯାଇଥିଲେ ବି ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଏହି ଭିଡିଓ ସେୟାର କରିଛନ୍ତି । କଂଗ୍ରେସ ନେତା ଏବଂ ଦଳକୁ ବଦନାମ କରିବାକୁ ଏହି ଷଡ଼ଯନ୍ତ୍ର କରାଯାଉଛି ବୋଲି ଜୟରାମ ରମେଶ ଚିଠିରେ ଲେଖିଛନ୍ତି ।

ଏଥିପାଇଁ ସେ ଜେପି ନଡ୍ଡାଙ୍କୁ କ୍ଷମା ମାଗିବାକୁ କହିଛନ୍ତି । ଯଦି ସେ କ୍ଷମା ନ ମାଗନ୍ତି ତେବେ ତାଙ୍କ ଦଳ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜୟରାମ ଚିଠିରେ ଚେତାଇ ଦେଇଛନ୍ତି । ଏହି ବିଷୟକୁ ଖବର ଭାବେ ପ୍ରସାରଣ କରିଥିବା ଚ୍ୟାନେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରାଯାଇଛି ବୋଲି କଂଗ୍ରେସ କହିଛି ।

କଂଗ୍ରେସ ଦଳକୁ ବଦନାମ କରିବା ହେଉଛି ବିଜେପିର ଉଦ୍ଦେଶ୍ୟ । ଏଭଳି ମନ୍ଦ ଉଦ୍ଦେଶ୍ୟ ରଖି ଭିଡିଓ ସେୟାର କରିବା ବର୍ତ୍ତମାନର ହିଂସାତ୍ମକ ପରିସ୍ଥିତିକୁ ବିଗାଡ଼ି ଦେଇପାରେ ବୋଲି ଜୟରାମ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ନଡ୍ଡାଙ୍କୁ ଆହ୍ୱାନ କରିଛନ୍ତି ଯେ, ବିଜେପି ଏବଂ ଏହାର ନେତା ମାନେ ଏଭଳି କାର୍ଯ୍ୟରୁ ବିରତ ରୁହନ୍ତି । ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ।

Leave A Reply

Your email address will not be published.