Latest Odisha News

ଗଳ୍ପ : ହଜିଯାଇଥିବା ମାନଚିତ୍ର

ଚୌଧୁରୀ ବରଦାପ୍ରସନ୍ନ ଦାସ

ନିଦ ମଳମଳ ଆଖିରେ ତରବରରେ ପ୍ଲାଟଫର୍ମକୁ ଓହ୍ଲେଇପଡି ଲତିଫ୍ ଦେଖିଲେ ଯେ ଷ୍ଟେସନର ନାଁ ଭୁବନେଶ୍ୱର। ଗତ ରାତିରେ ସେ କଲିକତାରୁ ପୁରୀ ଏକ୍ସପ୍ରେସ ଟ୍ରେନ୍‌ରେ ବସିଥିଲେ ଭଦ୍ରକରେ ଓହ୍ଲାଇବା ପାଇଁ। କିଛି ସମୟ ଉନ୍ନିଦ୍ର ରହିବା ପରେ କେତେବେଳେ ଗଭୀର ନିଦ ତାଙ୍କୁ ମାଡିବସିଛି ସେ ଜାଣିପାରିନାହାନ୍ତି। ଶାନ୍ତିର ନିଦଟା ଭାଙ୍ଗିଗଲା ବେଳକୁ ଦେଖୁଛନ୍ତି ଭୁବନେଶ୍ୱର। ଗନ୍ତବ୍ୟସ୍ଥଳ ଭଦ୍ରକ ରହିଗଲାଣି ପାଖାପାଖି ଦେଢ ଦୁଇଶହ କିଲୋମିଟର ପଛରେ। ହେଲେ ଏଇ ଦୂରତାଟା ବେଳକୁ ବେଳ ଅଧିକ ଲମ୍ବା ହୋଇଗଲା, ଯେତେବେଳେ ସେ ବାହାରକୁ ଆସି ଦେଖିଲେ ସବୁ ଶୂନଶାନ୍‌, ଗାଡିମଟର ଚଳାଚଳ ନାହିଁ। ଏପରିକି ଦୋକାନ ବଜାର ବନ୍ଦ। ଷ୍ଟେସନରୁ ଶୁଣିଲେ ଗାଡି ଚଳାଚଳ ବି ବନ୍ଦ ହୋଇଯାଇଛି। ଚାରିଆଡ଼େ କର୍ଫ୍ୟୁପରି ଶୁନ୍‌ଶାନ୍।

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଆଜି ସମଗ୍ର ମାନବଜାତି ଆତ୍ମଗୋପନ କରିଛି। ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ସରକାର କଠୋର ନିୟମ କରିଛନ୍ତି, ଚିରମୁକ୍ତିକାମୀ ଅମାନିଆ ମଣିଷମାନଙ୍କ ପାଇଁ। ଚାରିଆଡ ଅନ୍ଧାର ଲାଗିଲା ତାଙ୍କୁ।

ବଙ୍ଗଳାଦେଶରେ ତାଙ୍କର ଘର। ବୟସ ସତୁରୀରୁ ଢେର ଅଧିକ। ନିଜର ଚିକିତ୍ସା ପାଇଁ ବାହାରିଥିଲେ ଭଦ୍ରକର ଏକ ନର୍ସିଂହୋମକୁ। ବହୁଆଡୁ ନିରାଶ ହେଲାପରେ ଶୁଣିଲେ ଯେ ଓଡ଼ିଶାର ଭଦ୍ରକରେ ଜଣେ ଖ୍ୟାତନାମା ଡାକ୍ତର ଅଛନ୍ତି। ତାଙ୍କରି ପାଖରେ ଭଲହେବାର ଆଶା କରି ସେ ବଙ୍ଗଳାଦେଶ ଛାଡିଥିଲେ। ଶୁଣିଥିଲେ ଯେ ଭଦ୍ରକରେ ତାଙ୍କର ବହୁ ଆତ୍ମୀୟ ସ୍ୱଜନ ଅଛନ୍ତି। କିନ୍ତୁ ଆଜି ସେ ଭୁବନେଶ୍ୱର ପ୍ଲାଟଫର୍ମରେ ବନ୍ଦୀ।

ନିରାଶାରେ କିଛିଦିନ ରହିବା ପରେ ଭାବିଲେ ସେ ପୋଲିସର ସାହାଯ୍ୟ ନେବେ। ହେଲେ ମନରେ ବହୁ ପ୍ରଶ୍ନ ଆସିଲା। ପୋଲିସ ତାଙ୍କୁ ବିଶ୍ୱାସ କରିବ କେମିତି? କେହି ମୁସଲମାନ ବୋଲି ଘୃଣା କରିବେ ନାହିଁ ତ। କାଳେ କେହି ନେଇ ହାଜତରେ ଠୁଙ୍କିଦବକି କୋଉ ଦେଶଦ୍ରୋହୀ ଭାବି ଗୁଡେଇତୁଡେଇ ପ୍ରଶ୍ନ କରିବ? ଆହୁରି ଭୟ ଲାଗିଲା କାଳେ କିିଛି କଥା ଆଦାୟ କରିବାକୁ ଶାରିରୀକ ଅତ୍ୟାଚାର କରିବ? ଆଶଙ୍କା ଭିତରେ ଆଣ୍ଠୁରେ ମୁହଁମାଡି ଘୁମେଇ ପଡିଥିଲାବେଳେ କାହାର ସ୍ୱରରେ ମୁଣ୍ଡ ଉଠେଇ ଯାହାକୁ ଦେଖିଲେ ସେ ଥିଲେ ଜଣେ ପୋଲିସ। ହଡବଡେଇ ଯାଇ ନିଜ ବ୍ୟାଗରେ ହାତ ମାରିଲେ, ନିଜକୁ ଚିହ୍ନେଇବାକୁ କାଗଜପତ୍ର ସବୁ ଅଛି ନା ନାହିଁ।

‘ମଉସା କୋଉଠିକି ଯିବେ?’ ସ୍ୱରଟା ଥିଲା ମଧୁର ଆଉ ଆଶ୍ୱାସନା ପ୍ରଦାୟିନୀ। ଠିକ୍ ଭାବରେ ଶୁଣୁଥିଲେ ବି ସହଜରେ ବିଶ୍ୱାସ କରିପାରୁନଥିଲେ। ପ୍ରଶ୍ନକର୍ତ୍ତାଙ୍କ ଦେହର ବର୍ଦ୍ଦିକୁ ଦେଖି ସେ ଅଲଗା ପ୍ରକାର ପ୍ରଶ୍ନ ଆଶା କରୁଥିଲେ। ସେ ପଚାରି ଥାଆନ୍ତେ ‘ହେ ବୁଢା କୋଉଠିକି ଯିବୁ?’ ପୁଣି ତା ସହ ବାଡିରେ ଟିକେ କେଞ୍ଚି ଦେଇଥାଆନ୍ତେ। ମନରେ ଭୟ ଆସୁଥିଲା। ସେ ମୁସଲମାନ ବୋଲି ମୁହଁର ଦାଢୀ ଆଉ ଦେହର ପୋଷାକରୁ ସଫା ବାରିହୋଇ ପଡୁଛନ୍ତି।

ଥମଥମ ହୋଇ ସବୁକଥା ବଖାଣିଲେ। ବ୍ୟାଗରୁ ବାହାରକରି କାଗଜ ବି ଦେଖେଇଲେ। ବଙ୍ଗଳାଭାଷାରେ ଟିକିଏ ଧୀର କରି ବୁଝେଇଲେ। ଭାବିଥିଲେ ସବୁ ବୁଝି ପୁଲିସ ଚାଲିଗଲେ ସେ ନିରୋଳାରେ ବସି କଣ କରିବେ ସେ କଥା ଚିନ୍ତା କରିବେ। ଅନେକ ସମୟ ଧରି କିଛି ଖାଇନାହାନ୍ତି। ପାଖରେ ବି କିଛି ମିଳୁନି। ପୋଲିସର ପ୍ରଶ୍ନର ଧାରା ବଦଳିଗଲା।

“କିଛି ଖାଇଛନ୍ତି ?” ଆଶ୍ଚର୍ଯ୍ୟରେ ଚାହିଁଲେ ଏଇ ବଙ୍ଗଳାଦେଶୀ। କିଛି ନକହି ତାଙ୍କର ଥମଥମ ଭାବ ଦେଖି ପୋଲିସ ବର୍ଦ୍ଦିରେ ଥିବା ଝିଅଟି ଦୁଇଟା ଚକୋଲେଟ ବାହାର କରି କହିଲା, “ପ୍ରତ୍ୟେକ ବୟସ୍କ ଲୋକ ଖାଲିପେଟରେ ଅନେକ ସମୟ ରହିଲେ ସୁଗାର କମିଯାଇ ସମସ୍ୟା ହେବାର ଆଶାଥାଏ। ଆପଣ ଆଗ ଚକୋଲେଟ ଦିଇଟା ପାଟିରେ ପକେଇ ଦିଅନ୍ତୁ।”

ପଛକୁ ଫେରି ଚାହିଁଲେ ଲତିଫ୍। ଏ ଯେ ଅମୀନାର ସ୍ୱର। ଢାକା ୟୁନିଭରସିଟିର ସମାଜବିଜ୍ଞାନର ଅଧ୍ୟାପିକା ତାଙ୍କର କନ୍ୟା ଅମୀନା। ଆସିଲାବେଳେ କହୁଥିଲା ‘ବାପା ସବୁବେଳେ ଚକୋଲେଟ ଦିଇଟା ପାଖରେ ରଖିଥିବ। କାଳେ କେତେବେଳେ ସୁଗାର କମିଯିବ।’ କାଇଁ ଅମୀନା କୋଉଠି ତ ନାହିଁ। ସାମନାରେ କେବଳ ପୋଲିସ ବର୍ଦ୍ଦି ପିନ୍ଧା ଝିଅଟି। ତାଙ୍କୁ ଚକୋଲେଟ ନବାର ଡେରି ଦେଖି ଆଦେଶ ଆଉ ସୋହାଗର ଏକ ମିଶ୍ରିତ ସ୍ୱରରେ ଆଖି ବଡ ବଡ କରି କହିଲା ଝିଅଟା ‘କହିଲି ପରା ଖାଇଦିଅନ୍ତୁ।’ ଟପଟପ ହୋଇ ଆଖିରୁ ଲୁହ ଆପେ ଆପେ ଗଡି ପଡିଲା ତାଙ୍କର। ଅମୀନା ଠିକ୍ ଏମିତି କହେ।

ତାପର ଘଟଣା ବୃଦ୍ଧଙ୍କୁ ଆହୁରି ଆଶ୍ଚର୍ଯ୍ୟ କଲା। ଭ୍ୟାନ୍‌ରେ ବସାଇ ସହରର ଡିସିପିଙ୍କ ଅଫିସକୁ ତାଙ୍କୁ ନେଇଗଲେ ଏଇ ମହିଳା ଅଫିସର। ପହଞ୍ଚୁ ପହଞ୍ଚୁ ତାଙ୍କୁ ଘେରିଗଲେ କିଛି କର୍ମଚାରୀ। ରାସ୍ତାରେ ପରିତ୍ୟକ୍ତ ଅବସ୍ଥାରେ ବୁଲୁଥିବା ମଣିଷଟି ହଠାତ୍ କୁଣିଆଁ ପାଲଟି ଗଲା। ପ୍ରଖର ବନ୍ୟାଜଳର ଭଉଁରୀ ଭିତରୁ ବାହାରି ସତେ ଯେମିତି ସେ କୂଳରେ ଛିଡା ହୋଇଗଲେ। ଲାଗୁଥିଲା ଯେମିତି ସେ ଭଉଁରୀଟା ଗୋଟାଏ ପ୍ରଳୟର ଚକ୍ର ନୁହେଁ ବରଂ ଗୋଟାଏ ଆଲୋକିତ ଉପତ୍ୟକାର ଦ୍ୱାର।

ସାରାବିଶ୍ୱ କୋଭିଡ୍ ରାକ୍ଷସ ହାତରେ ପାଲଟିଯାଇଛି କଣ୍ଢେଇଟିଏ। ଯୁ୍‌କ୍ତରାଷ୍ଟ୍ର ଆମେରିକାର ବର୍ଣ୍ଣାଢ୍ୟ ପ୍ୟାଲେସ ହେଉ କି କେଉଁ ସହରତଳି ବସ୍ତିହେଉ, ସମସ୍ତେ ଆତଙ୍କିତ। ଏମିତି ଭାବୁଭାବୁ ଲତିଫ୍‌ଙ୍କୁ ପୋଲିସମାନେ ନେଇଗଲେ ଗୋଟାଏ ଆଶ୍ରୟଗୃହକୁ। ସରକାରଙ୍କ ତରଫରୁ ଖାଇବା ରହିବା ବ୍ୟବସ୍ଥା। ଆଗକୁ ଇଦ୍‌ପର୍ବ। ବିକଳରେ ଆଶ୍ରୟଗୃହର ଚାରିକାନ୍ଥକୁ ଚାହିଁଲେ ସେ। ତଥାପି ସେ ଆଜି ତା’ରି ଭିତରେ ବନ୍ଦୀ। ନିଜ ସହରରେ ସବୁ ପରିବାର ଆଉ ପଡୋଶୀମାନେ ବହୁ ଧୁମ୍‌ଧାମରେ ପାଳିବେ ଏଇ ମିଳନ ଭାଇଚାରା ଆଉ ତ୍ୟାଗର ପର୍ବ। କେତେବର୍ଷ ହେଲା ଝିଅଟା ବଡ଼ ହେଲା ଦିନୁ ପ୍ରତିଇଦ୍‌ରେ ନୂଆ କପଡା ଆଣେ। ପାଠ ପଢୁଥିବା ବେଳେ ନିଜ ହାତ ଖର୍ଚ୍ଚଟଙ୍କାରୁ ସଞ୍ଚି ରଖି ଲୁଗା ଆଣୁଥିଲା। ଆଉ ଏବେ ନିଜେ ଚାକିରି କଲାଣି। ନିଜ ହାତରୁ ଖର୍ଚ୍ଚକରିପାରୁଚି। ମନରେ ତାଙ୍କର ବିଷାଦ ଛାଇ ହୋଇଗଲା। ଯେତେବେଳେ ଏ ବର୍ଷ ଇଦ୍‌ରେ ସେ ଏକଲା ରହିବେ ଆଉ ସାଥୀରେ ଆଣିଥିବା ସେଇ ପୁରଣା କପଡା ପିନ୍ଧିବେ। ସେପଟେ ଝିଅଟା ପ୍ରାୟ ତା ଆଣିଥିବା ନୂଆଁ କପଡାକୁ ନଖୋଲି ସେମିତି ରଖିଥିବା ଘରେ ଇଦ୍‌ଟା ନିଶ୍ଚୟ ଫିକା ହୋଇଯିବ।

ଇଦ୍ ପୂର୍ବରାତିରେ ଏମିତି ଭାବିଭାବି ଯେତେ ଶୋଇବାକୁ ଚେଷ୍ଟାକଲେ ବି ନିଦ ଆସୁନଥିଲା। ପିଲାବେଳେ ମା ବହୁତ ସରାଗରେ ତାଙ୍କ ମା’ ପାଇଁ ନୂଆ ଲୁଗା ଆଣୁଥିଲା। ମା ଚାଲିଗଲା ପରେ ସେ ପୁଣି ଝିଅରୂପରେ ପ୍ରାୟ ଫେରିଆସିଛି। ହେଲେ ଏବର୍ଷ ଇଦରେ କାହାକୁ ଅପେକ୍ଷା କରିବାର ନାହିଁ। ଭାବିଭାବି ପାହାନ୍ତିଆକୁ ଟିକିଏ ନିଦ ଲାଗିଗଲା।

ସକାଳୁ ଯାହାର କବାଟ ଠକ୍ ଠକ୍ ଶୁଣି ସେ ଉଠିଲେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କୁ ଏଠି ରଖାଇଥିବା ପୋଲିସ ଝିଅଟା। ଯେତେ ଯାହାହେଲେବି ସାମନାରେ ପୋଲିସକୁ ଦେଖିଲେ ମଣିଷ ଭିତରେ ଟିକିଏ ଚମକି ପଡେ। କିନ୍ତୁ ତାଙ୍କୁ ଆଶ୍ଚର୍ଯ୍ୟକରି ଝିଅଟି ଯେତେବେଳେ ଆଣିଥିବା ପ୍ୟାକେଟକୁ ଖୋଲିଦେଲା। ସେ ପୁଣି ଚମକି ପଡି ପୋଲିସ ଝିଅଟିର ମୁହଁକୁ ଚାହିଁ ଭାବିଲେ ସେ ଠିକ୍ ଦେଖୁଛନ୍ତି ଏ ଅମୀନା ନୁହେଁ। କିନ୍ତୁ …. ହସି ହସି ନୂଆ ଲୁଗା ପ୍ୟାକେଟଟି ଦେଇ ସେ ଝିଅଟି କହିଲା, ‘ଆଜି ଇଦ୍‌ ପର୍ବରେ ଆପଣ ଏହା ପିନ୍ଧିବେ। ଆମ ଡି.ସି.ପି ସାର କହିଛନ୍ତି ଆପଣ ଆମର ଅତିଥି।’ ଧାର ଧାର ହୋଇ ଲୁହ ଗଡିଗଲା ତାଙ୍କ ଆଖିରୁ। ଦୁଃଖରେ ନୁୁହେଁ ଆନନ୍ଦରେ। ମହାଭାରତୀୟ ନାରୀର ଅନ୍ତରରେ ବହୁଛି ମମତାର ଫଲ୍‌ଗୁ। କାନ୍ଧାହାରରୁ ଖୁଲଣା। କ୍ଷମତା ଯୁଦ୍ଧରେ ସେ ଆଜି ବଳି ପଶୁ। ଲତିଫ୍ ଭାବିଲେ ତାଙ୍କ ଚାରିପାଖ ଏବେ କୋଳାହଳପୂର୍ଣ୍ଣ। ପରିବାରର ସମସ୍ତେ ଯେମିତି ପାଖରେ। ଆଶ୍ରୟସ୍ଥଳୀର ଅନେକ ଅନ୍ତେବାସୀ ପହଁଚି ଥାଆନ୍ତି ତାଙ୍କ ଦୂଆର ପାଖରେ। ସମସ୍ତେ ହାତ ଉଠେଇ ପ୍ରଣାମ କରୁଥିଲେ ମହାପୁରୁଷଙ୍କୁ। ସତେ ଯେମିତି ସମସ୍ତେ ମୁସଲମାନ। ମସଜିଦରୁ ପ୍ରାର୍ଥନାର ଶବ୍ଦ ଶୁଭୁଛି। ପୁଣି ପାଖ ମନ୍ଦିରରୁ ଘଣ୍ଟଘଣ୍ଟା ଶୁଭୁଛି। ଇସଲାମ୍‌ରେ ପ୍ରାର୍ଥନାର ସ୍ୱର ହେଲା ସମର୍ପଣର ସ୍ୱର। ସବୁଧର୍ମରେ ମଧ୍ୟ।

ଏଥିଲା ଲତିଫ୍‌ଙ୍କର ପ୍ରଥମ ଭାରତ ଆସିବା। ନା, ତାଙ୍କର ଜନ୍ମ ସମୟରେ ଦେଶର ମାନଚିତ୍ର ଥିଲା ଅଲଗା। କ୍ଷମତା ଯୁଦ୍ଧରେ ଧର୍ମ ନାମରେ ସେଇଟା ପରେ ଚିରିଗଲା। ଲାଗିଲା ସେମିତି କରୋନା ମହାମାରୀ ତାଙ୍କୁ ଏକଲା କରିନି ବରଂ ଗୋଟାଏ ମିଳନର ସେତୁରେ ଚାଲିବା ଶିଖେଇଛି। ଏ ଯାବତ୍ ଶିକ୍ଷାବ୍ୟବସ୍ଥା ତାଙ୍କୁ ଘୃଣାକରିବା ଶିଖେଇଥିଲା, ହେଲେ ପ୍ରକୃତି ଆଜି ମଣିଷକୁ ଭଲପାଇବା ଶିଖେଇଛି। ମନରେ ତାଙ୍କର ଲୁଚି ରହିଥିବା ମହାଭାରତୀୟ ଚେତନା ଗୁଂଜରି ଉଠୁଥିଲା। ସତରେ, ଧର୍ମ ଗୋଟାଏ ପାଚେରି ନୁହେଁ ବରଂ ଚିର ମିଳନର ସେତୁ। ସେଦିନଠୁଁ ମନ୍ଦିର, ମସଜିଦ୍ ଗୀର୍ଜା ଯେଉଁଠୁ ବି ପ୍ରାର୍ଥନା ଶୁଣିଲେ ତାଙ୍କର ଆଖି ବୁଜି ହୋଇଯାଏ, ଆପେ ହାତ ଯୋଡି ହୋଇଯାଏ।

ଲକ୍‌ଡାଉନ୍ କୋହଳ ହେବା ପରେ ନିଜେ ଡିସିପି ସାହାଯ୍ୟକରି ତାଙ୍କର ଫେରିବାର କାଗଜପତ୍ର କରାଇଲେ। ଲତିଫ୍ ଭାବୁଥିଲେ, ଏଇ ମହାମାନବୀୟ ଚେତନାର ମାନଚିତ୍ରକୁ ଚିରିଦେଇ କିଏ କଣ ପାଇଲା। କେହି କଣ ପାଇଲେବି, ସାଧାରଣ ମଣିଷ ନା ଈଶ୍ୱର ନା ଆଲ୍ଲାଙ୍କୁ ପାଇଛି। ମନଭିତରୁ କିଏ ହସିଦେଲା ଆଉ କହିଲା ତାଙ୍କୁ ପାଇବୁ ବା କେଉଁଠି? ସେ ପରା ତୋର ଜୀବନ ରସ। ହୃଦୟରେ ନିତ୍ୟ ବିରାଜିତ।

ଆସିଲା ଦିନ ଭୋ ଭୋ ହୋଇ କାନ୍ଦି ଉଠିଥିଲେ ସେ। ସ୍ୱତଃ ବି କାନ୍ଦି ଉଠିଥିଲେ ସମସ୍ତ ଅନ୍ତେବାସୀ। ଶାସକର ସ୍ୱର ଏଠି ମହାମାନବୀୟ, ବସୁଧା ତାଙ୍କ ପାଇଁ ଗୋଟିଏ କୁଟୁମ୍ବ। ଫେରିବା ବେଳେ ବାଟରେ ଖାଇବା ପାଇଁ ଆଶ୍ରୟସ୍ଥଳ ତରଫରୁ ଖାଇବା ପ୍ୟାକେଟଟିଏ ଦିଆଯାଇଥିଲା।

ଘରେ ପହଁଚିଲା ପରେ ସମସ୍ତଙ୍କ ପ୍ରଶ୍ନ ଚକିତ କରିଥିଲା ଲତିଫ୍‌ଙ୍କୁ। “ସତରେ ତମେ କଣ ଭଲରେ ଥିଲ। ଆମକୁ ଲାଗୁଥିଲା ଯେମିତି ପୋଲିସ କି ଫୌଜ ନାଲିଆଖି ଦେଖେଇ ଏପରି ମନଗଢା କାହାଣୀ କୁହାଉଛନ୍ତି। ଇଦ୍‌ରେ ସତରେ ତୁମେ କଲ କଣ?”

ଏତେ ସବୁ ଅବିଶ୍ୱାସଭରା ପ୍ରଶ୍ନରେ ବିବ୍ରତ ହୋଇ ଲତିଫ୍ ଦୌଡିଗଲେ ବାପାଙ୍କ ଶୋଇଲା ଘରକୁ। ପିଲାବେଳେ ଏଇଠି ଗୋଟିଏ ମାନଚିତ୍ର ଥିଲା। ଆଉ ନୀଳଗାର ସୂଚେଇ ଦେଉଥିଲା ସତ୍‌ଲେଜ, ଗଙ୍ଗା, ଯମୁନା, କୃଷ୍ଣା, ବ୍ରହ୍ମପୁତ୍ର ପୁଣି ପଦ୍ମାର ଜଳଧାରାକୁ। ବାପା ଥିଲା ପର୍ଯ୍ୟନ୍ତ ବେଳେବେଳେ ଦେଖୁଥିଲେ ସେଇ ମାନଚିତ୍ରକୁ। କିଛି କୁହନ୍ତିନି। ନିରବରେ ଅନେକ ସମୟରେ ଚାହାଁନ୍ତି। ଗୁଣୁ ଗୁଣୁ ହୋଇ ବେଳେବେଳେ ରବୀନ୍ଦ୍ର କି ନଜରୁଲଙ୍କର ଗୀତ ପଦେପଦେ ବୋଲନ୍ତି। ଦେଶର ସ୍ୱାଧୀନତା କାଳରେ ସେ କେତେଥର ଜେଲ ଯାଇଛନ୍ତି ମାଡବି ଖାଇଛନ୍ତି। ସେ କ’ଣ ଭାବିଥିଲେ ଅଭିନ୍ନ ହୃଦୟଟା ଖଣ୍ଡ ଖଣ୍ଡ ହୋଇଯାଉ?

ପରିବାର ଲୋକଙ୍କର ପ୍ରଶ୍ନ ସରିଲାନି। ପ୍ରଶ୍ନପରେ ପ୍ରଶ୍ନ ଅଜାଡିି ହୋଇ ପଡୁଥାଏ। ବିକଳରେ ଅମୀନାକୁ କୋଳେଇ ନେଲେ ଲତିଫ୍। ଲାଗିଲା ସେମିତି ଅମୀନା ଭିତରେ ହଜିଯାଇଛି ସେଇ ହିନ୍ଦୁ ପୋଲିସ୍ ଝିଅଟି। ପୁଣି ମାନଚିତ୍ର ଭିତରେ ହଜିଯାଇଛି ହୃଦୟର ଆବେଗ ଆଉ ମାନବୀୟ ସମ୍ପର୍କର ସ୍ୱର।

 

(ଏକ ବାସ୍ତବ ଘଟଣାର ଛାୟାରେ।)

 

(ସୌଜନ୍ୟ: ସାହିତ୍ୟ ଚର୍ଚ୍ଚା)

 

Comments are closed.