Latest Odisha News

ଦେହ

ଦେହ

ସୌଭାଗ୍ୟବନ୍ତ ମହାରଣା

ଦେହର ବିଚିତ୍ର କାରୁକାର୍ଯ୍ୟରେ
ଚିହ୍ନା ଅଚିହ୍ନା ନିଃଶ୍ୱାସମାନଙ୍କ ଖେଳ
ଦେହ ଏକ ମନ୍ଦିରର ମୁଖଶାଳା
ସ୍ଥାପତ୍ୟର ନିର୍ମାଣ ଶୈଳୀରେ
ସ୍ଥପତିର ମାୟା ଭିତରେ ବାୟା ହୁଏ
ମୋହ ଓ କୋହର ଅଜବ୍ ବେଳ ।

ହାଡରେ ହାଡରେ ଖଂଜି ଦେଇଥିବା
ମାଂସର କୋଣାର୍କ ,ରକ୍ତର ଅନୁରାଗ
ହୃତପିଣ୍ଡରେ ପ୍ରେମର ସ୍ପନ୍ଦନର
ଶିଳ୍ପୀ ଏବେ ଉଭାନ୍ ଆମ ଆଖି ସାମ୍ନାରୁ
ଆଦିମତାରେ ଆଧୁନିକତାର ପ୍ରଲେପ ଦେବାକୁ ।

ଆମର କଙ୍କାଳ ବି କଥା କହେ
ବ୍ୟଥା ସହେ, ପ୍ରେମର ପାରାବାରରେ ବୁଡ ପକାଏ
ରକ୍ତ ମାଂସରେ ଦେହକୁ ସଜେଇ
ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଏ ।
ନିଜର ଦେହ ବି ବେଳେ ବେଳେ
ନିଜକୁ ବନ୍ଦୀ ବନ୍ଦୀ ଲାଗେ
ଚର୍ଚିତ ହେବାକୁ ନିଃଶ୍ୱାସ ଭିତରେ
ଈଶ୍ୱରଙ୍କ ସହ ସାକ୍ଷାତ୍ ହେବା ପୂର୍ବରୁ ।

ଆମର ଲୋଭନୀୟ ଭବିଷ୍ୟତ ବୋଇଲେ
କିଛି ଅଜଣା,ଅଦେଖା ମୁହୂର୍ତ୍ତଙ୍କ
ଆଗାମୀ ଆଲିଙ୍ଗନର ଅଠାରେ
ନିଜ ଦେହ ସହ ମନକୁ ଯୋଡିବା ।

ଆମର ଦର୍ଶନ ବୋଇଲେ
ମିଛ ମାୟାର ସଂସାରରେ
ଆମ ରକ୍ତର ସାନ୍ଦ୍ରତାରେ କିଛି କିଛି
ମିଳେଇ ଯାଇଥିବା ଅଙ୍ଗୀକାର ଓ ଅସ୍ମିତା ସହ
ଦେହର ଭଗ୍ନାଂଶକୁ, ନିଃଶ୍ୱାସର ଦୁର୍ଗକୁ
ସେ କୁଶଳୀ କାରିଗର ପାଖରେ
ଶେଷ ଦୃଶ୍ୟର ଆରମ୍ଭରେ ସମର୍ପି ଦେବା ।
………………….
ଭାରତୀ ଭବନ, ଶିବମ୍ କଲୋନୀ,
ଆୟକର ଭବନ ପଛ, ସମ୍ବଲପୁର- ୭୬୮୦୦୪
ମୋବାଇଲ୍ ନମ୍ବର-୯୪୩୭୪୫୭୭୩୬

Leave A Reply

Your email address will not be published.