ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୭
ମରଣ ଉତ୍ତାରୁ ସ୍ମରଣ
କରି ବ୍ୟକ୍ତିର କୀର୍ତିଗାନ
ଜଣାଂତି ଏଠି ବିଜ୍ଞଜନ
ତତ୍କାଳ ନିଜର ସମ୍ମାନ
‘ ହେଲା ଅପୂରଣୀୟ କ୍ଷତି ‘
ପ୍ରାୟତଃ ସଭିଏଁ କହଂତି
ପାରଂପରିକ ଏହି ଶୋକ
ବ୍ୟକ୍ତ କରଂତି ବହୁ ଲୋକ
ବ୍ୟକ୍ତି ନ ମରିବା ପର୍ଯଂତ
ହୁଏନି ଏଠାରେ ଆଦୃତ
ତେଣୁ ଏ ଭାଷାର ସଂତାନ
ମରଣ ପରେ ପାଏ ମାନ
ଜୀବଂତ ଭାଷାର ସାଧକ
ପାଏନି ଯଥେଷ୍ଟ ପାଠକ
ନିଜକୁ ନିଜେ ଉତ୍ସାହିତ
କରି ସେ ରହେ କର୍ମରତ
ଆମର ଏପରି ଅଭ୍ୟାସ
ଯୋଗୁଁ ହିଁ ଅନେକ ପ୍ରୟାସ
ରହେ ସର୍ବଦା ଅସଂପୂର୍ଣ
ଘଟେନି ସମୂହ ଉତ୍ଥାନ
ମୃତାରାଧନା କଲେ ବ୍ୟକ୍ତି
ହୁଏ ଜାତିର କେତେ କ୍ଷତି
ନ କରି ତାହାର କଳନା
ଲୋକେ ହୁଅଂତି ବାଟବଣା
ଭାଷାର ବର୍ତମାନ ପ୍ରତି
ଯେଣୁ କେ ଧ୍ୟାନ ନ ଦିଅଂତି
କିପରି ହେବ ଭବିଷ୍ୟତ
ବୁଝିପାରେନି ଆମ ଚିତ୍ତ
Comments are closed.