ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ସଂଜୀବନୀ ବୁଟିର ପ୍ରଭାବରେ ଲକ୍ଷ୍ମଣ ଆରୋଗ୍ୟ ଲାଭ କରିବା କ୍ଷଣି ରାମଙ୍କ ଶିବିରରେ ରାମ ଓ ଲକ୍ଷ୍ମଣଙ୍କର ଜୟ ଜୟକାରରେ ଲଙ୍କାଭୂମି କମ୍ପି ଉଠିଲା। ଅଶୋକବାଟିକାରେ ଥାଇ ସୀତା ସାମାନ୍ୟ ଅଶ୍ୱସ୍ତା ହେଲେ। ନିକଟରେ ବସିଥିଲେ ସୁଲୋଚନା। ସୀତା ପଚାରିଲେ, ” ଦେବୀ ! ଆଜିର ସେନାପତି କିଏ ? ଇନ୍ଦ୍ରଜିତ ନୁହେଁ ତ ! ”
ସୁଲୋଚନା କହିଲେ, ” ନାଁ, ଆଜି କାକା କୁମ୍ଭକର୍ଣ୍ଣ ଯିବେ। ”
” କିନ୍ତୁ ମୁଁ ତ ଶୁଣିଥିଲି ସିଏ ଛଅମାସ ନିଦ୍ରା ଯାଆନ୍ତି ! ଅସମୟରେ ନିଦ୍ରା ଭାଙ୍ଗିବା ତାଙ୍କ ପାଇଁ ଅମଙ୍ଗଳକାରୀ। ”
” ହଁ ! ଠିକ୍ ଶୁଣିଥିଲ। ଲକ୍ଷ୍ମଣ ସୁସ୍ଥ ହେବା ସମ୍ବାଦ ଶୁଣି ଲଙ୍କେଶ୍ୱର ବ୍ୟାକୁଳଚିତ୍ତ ହୋଇ ଭ୍ରାତା କୁମ୍ଭକର୍ଣ୍ଣଙ୍କୁ ନିଦ୍ରାରୁ ଜଗାଇ ଦେଇଛନ୍ତି। ”
” କୁମ୍ଭକର୍ଣ୍ଣ ଏହି ଅନ୍ୟାୟ ଯୁଦ୍ଧ ପାଇଁ ପ୍ରସ୍ତୁତ ତେବେ ? ”
” ପିତାଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ପରେ କାକା କୁମ୍ଭକର୍ଣ୍ଣ ଅତ୍ୟନ୍ତ ଦୁଃଖିତ ହୋଇ କହିଥିଲେ, ‘ଜଗତ ଜନନୀଙ୍କୁ ଅପହରଣ କରି ଆଣିବା ପରେ ତୁମର ଆଉ କି ପ୍ରକାରର କଲ୍ୟାଣ ହେବ ! ଅଭିମାନ ତ୍ୟାଗ କର। ତୁମର କଲ୍ୟାଣ ସେହି ତ୍ରିଭୁବନକର୍ତ୍ତା ଶ୍ରୀରାମଙ୍କ ଚରଣରେ ରହିଛି। ହନୁମାନଙ୍କ ପରି ସେବକ ଯାହାଙ୍କର ସେ କ’ଣ କେବଳ ଜଣେ ସାଧାରଣ ମାନବ?
ଅନ୍ତିମ ଥର ପାଇଁ ମୋର ଦର୍ଶନ କରିନିଅ। ସେ ଶ୍ୟାମଳ ମୂର୍ତ୍ତିଙ୍କ ଦର୍ଶନ ପରେ ଏହି ଜୀବନର ଆବଶ୍ୟକତା ଆଉ ରହିବ କି ? ‘
“ସୁଲୋଚନା ! ଆଜି ଯୁଦ୍ଧରେ ତେବେ ମହାବଳୀ କୁମ୍ଭକର୍ଣ୍ଣ ଯିବେ !” ସୀତା ଜାଣିବାକୁ ଚାହିଁଲେ।
” ହଁ ! ଶୁଣିଛି ସେ ଶ୍ରୀରାମଚନ୍ଦ୍ରଙ୍କ ସହ ଯୁଦ୍ଧ କରିବେ। ”
କ୍ରମଶଃ…..