Latest Odisha News

BREAKING NEWS

କାଶୀପୁରରେ ଝାଡବାନ୍ତି ଜନିତ ମୃତ୍ୟୁ: ବିରୋଧୀଙ୍କ ଅଭିଯୋଗ ପରେ ଜବାବ ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ରାୟଗଡା କାଶୀପୁରରେ ହଇଜାରେ ୯ ନୁହେଁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ବିରୋଧୀ ଏପରି ଅଭିଯୋଗ ଆଣି ବିଧାନସଭାରେ ରାଜ୍ୟ ସରକାର ମୃତ୍ୟୁ ରିପୋର୍ଟ ଲୁଚାଉଛନ୍ତି ବୋଲି କହିବା ପରେ ଜବାବ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଗତ ସପ୍ତାହରେ କାଶୀପୁର ଗସ୍ତ କରି ସ୍ୱାସ୍ଥ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିବା ସହିତ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ବିରୋଧୀଙ୍କ ଦାବିକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଯଦିଓ ଏଡାଇ ନାହାନ୍ତି କିନ୍ତୁ କହିଛନ୍ତି ବିରୋଧୀ ଲିଖିତ ଆକାରରେ ଦେଲେ ଯେଉଁ ୫ ଜଣଙ୍କ ମୃତ୍ୟୁ ଝାଡାବାନ୍ତିରେ ହୋଇଛି ବୋଲି ବିରୋଧୀ ଦାବି କରୁଛନ୍ତି ତାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନୀନ କରାଯିବ। ସେ କହିଛନ୍ତି ତାଙ୍କ ଗସ୍ତ ବେଳେ ଯେଉଁ ମୃତ୍ୟୁ ସଂଖ୍ୟା ରିପୋର୍ଟ ଆସିଥିଲା ତାକୁ ଦିଆଯାଇଛି। ମୃତ୍ୟୁ ସଂଖ୍ୟା ବଢିଥାଇପାରେ ବୋଲି ଝାରସୁଗୁଡା ବିଧାୟକ କହିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାଶୀପୁର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସ୍ଥିତି ନିୟନ୍ତ୍ରଣ ରହିଛି  ବୋଲି ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଧାନସଭାର ଶୂନ୍ୟକାଳରେ ବିଜେପି ଏବଂ କଂଗ୍ରେସ ଦାବି କରିଛନ୍ତି ଯେ କାଶୀପୁରରେ ୧୪ ଜଣଙ୍କର ଝାଡାବାନ୍ତିରେ ମୃତ୍ୟୁ ଘଟିଛି। କିନ୍ତୁ ସରକାର ଏହାକୁ ୯ ଜଣ ବୋଲି କହୁଛନ୍ତି। ବାକି ୫ ଜଣଙ୍କର ସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି ବୋଲି ସରକାର କହିଛନ୍ତି। ୨୪ ତାରିଖରେ ବିଜେପି ବିଧାୟକ ଟିମ ରାୟଗଡ଼ା କାଶୀପୁର ଗସ୍ତ କରିଥିଲେ। ଏହାପରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବର୍ଷିଛି। ମୋହନ ମାଝୀ ଦାବି କରିଛନ୍ତି, ଯଦି ସେହି ୫ ଜଣଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇନି ତା’ହେଲେ ସେମାନଙ୍କର ଶବ ବ୍ୟବଚ୍ଛେଦ ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି ଆଉ ଯଦି ହୋଇଛି ତା’ର ରିପୋର୍ଟକୁ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରନ୍ତୁୁ ବୋଲି ସେ ଦାବି କରିଛନ୍ତି।

Comments are closed.