Latest Odisha News

BREAKING NEWS

ମହିମା ମିଶ୍ରଙ୍କ ପୁଅକୁ ଜେରା କରୁଛି ସିବିଆଇ

ଭୁବନେଶ୍ୱର: ରାଜ୍ୟର ଜଣାଶୁଣା ଶିଳ୍ପପତି ତଥା ବ୍ୟବସାୟୀ ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ଜେରା କରୁଛି ସିବିଆଇ । ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ଏହି ଜେରା ଚାଲିଛି । ଦିଲ୍ଲୀ ସିବିଆଇର ଏକ ଟିମ୍ ଏଥିପାଇଁ ଭୁବନେଶ୍ୱର ଆସିଥିବା ସୂଚନା ରହିଛି। ଏହି ଟିମ୍ ଭୁବନେଶ୍ୱର ପହଞ୍ଚିବା ପୂର୍ବରୁ ପାରାଦୀପ ଏବଂ କଟକରେ ରେଡ୍ ବେଳେ ଜବତ ହୋଇଥିବା ଦସ୍ତାବିଜକୁ ସିବିଆଇ ଟିମ୍ ଆଣି ଭୁବନେଶ୍ୱର କାର୍ଯ୍ୟାଳୟରେ ପହଞ୍ଚିଥିଲା।

ଆଜି ସକାଳେ ପ୍ରଥମେ ମହିମା ମିଶ୍ରଙ୍କ ବାସଭବନ ସମେତ ପାରାଦ୍ୱୀପ ଏବଂ କଟକ ଅଫିସରେ ସିବିଆଇ ଟିମ୍ ପହଞ୍ଚି ରେଡ୍ କରିଥିଲା। ଏଥିସହିତ ପଚରାଉଚରା ମଧ୍ୟ କରିଥିବା ସୂଚନା ରହିଛି। ବଡ଼ ପଡ଼ିଆ ସ୍ଥିତ ଓଏସଏଲ୍‌ ଅଫିସରେ ରେଡ୍‌ ଚାଲିଥିବା ବେଳେ ପାରାଦୀପ ପୋର୍ଟର ଜଣେ ପଦସ୍ଥ ଅଧିକାରୀଙ୍କୁ ସିବିଆଇ ଜେରା କରୁଛି ।

ମିଳିଥିବା ସୂଚନା ଅନୁସାରେ ପଦସ୍ଥ ଅଧିକାରୀଙ୍କ ସହ ଜଣେ ଠିକାଦାରଙ୍କୁ ମଧ୍ୟ ସିବିଆଇ ଜେରା କରୁଥିବା ଜଣାପଡ଼ିଛି । ଉଭୟଙ୍କୁ ପାରାଦୀପର ଏକ ଗେଷ୍ଟହାଉସକୁ ନେଇ ପଚରାଉଚରା କରାଯାଉଛି । ଯଦି ବିଭିନ୍ନ ରିପୋର୍ଟକୁ ବିଶ୍ୱାସ କରାଯାଏ ତାହେଲେ ଲାଞ୍ଚ ମାମଲାରେ ସିବିଆଇ ଏପରି ଏକ ରେଡ୍ କରିଛି । ଲାଞ୍ଚ ଦେଇଥିବା ଠିକାଦାର ଓ ଲାଞ୍ଚ ନେଇଥିବା ଅଧିକାରୀଙ୍କ ସହ ମହିମା ମିଶ୍ରଙ୍କ ଲିଙ୍କ୍ ଏବେ ସିବିଆଇ ଖୋଜୁଛି। ଠିକାଦାର ସୁମନ୍ତ ରାଉତଙ୍କଠାରୁ ଚିଫ୍‌ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ୨୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ସୂଚନା ରହିଛି।

ଏହାପୂର୍ବରୁ ମହିମା ମିଶ୍ର ଏକ ହତ୍ୟା ମାମଲାରେ ଗିରଫ ହୋଇଥିଲେ। ହାଇଦ୍ରାବାଦର ମହେନ୍ଦ୍ର ସ୍ୱାଇଁ ନାମକ ଶିଳ୍ପପତିଙ୍କୁ ହତ୍ୟା କରିବା ଅଭିଯୋଗରେ ମହିମା ମିଶ୍ର ଥାଇଲ୍ୟାଣ୍ଡରୁ ଗିରଫ ହୋଇଥିଲେ। ପରେ ୨୦୧୯ରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ।

Comments are closed.