Latest Odisha News

ସ୍ୱଳ୍ପ ଗଳ୍ପ : ନିପର : ଏକ ଚିତ୍ର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୧

ନିପର ହେଉଛି ଏମିତି ଗୋଟିଏ ମିଶ୍ରିତ ଟେରିଅର୍ ପ୍ରଜାତିର ଶ୍ୱାନ ଯାହାର ଖ୍ୟାତି ବିଶ୍ୱରେ କହିବାକୁ ଗଲେ ନିହାତି କିମ୍ବଦନ୍ତୀ ପର୍ଯ୍ୟାୟର । ଆଉ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେ ଯେତେବେଳକୁ ବିଶ୍ୱରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଆରମ୍ଭ କରିଥିଲା ତାହାର ବେଶ୍ କିଛି ବର୍ଷ ପୂର୍ବରୁ ତାହାର ଦେହାବସାନ ଘଟିସାରିଥିଲା ।

ଲଣ୍ଡନର ଗୋଟିଏ ପାର୍କରେ ନିପର କୁ ସମାଧିସ୍ଥ କରାଯାଇଥିଲା । ପରେ ଯେତେବେଳେ ସେ ବିଶ୍ୱବିଖ୍ୟାତ ହୋଇଗଲା ତାହାର ପ୍ରକୃତ ସମାଧିସ୍ଥଳକୁ ଚିହ୍ନିତ କରିବା କଷ୍ଟକର ହୋଇ ପଡିଥିଲା । ତଥାପି ତାହାର ଖ୍ୟାତିକୁ ସାମ୍ନାରେ ରଖି ଲଣ୍ଡନର ସେହି ଷ୍ଟ୍ରୀଟ୍ ଅଂଚଳକୁ “ନିପର୍ସ ଆଲି ବା Nipper’s Alley ” ବୋଲି କୁହାଯାଏ । ସେହି ଅଞ୍ଚଳରେ ନିପରର ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଗୋଟିଏ ଫଳକ ବିଶେଷ ଭାବରେ ୧୫ ଅଗଷ୍ଟ ୧୯୮୪ ରେ ଲଗାଯାଇଅଛି ଆଉ ସେଇଠି ନିପରର ଜନ୍ମ ୧୮୮୪ ମସିହା ଏବଂ ମୃତ୍ୟୁ ୧୮୯୫ ମସିହା ବୋଲି ଉଲ୍ଲେଖ ରହିଛି ।

କହିବାକୁ ଗଲେ ୧୮୯୫ ଖ୍ରୀଷ୍ଟାବ୍ଦରେ ମୃତ୍ୟୁ ବେଳକୁ ନିପର ଗୋଟିଏ ନିହାତି ଅଜଣା ଆଉ ଗୋଟିଏ ଅତ୍ୟନ୍ତ ବ୍ୟକ୍ତିଗତ ପୋଷା କୁକୁର ହିସାବରେ ଯେଉଁ ଅଞ୍ଚଳରେ ରହୁଥିଲା ସେଇଠି ସେ ଅଳ୍ପ କିଛି ପରିଚିତି ପାଇଥିଲା । ସେତେବେଳକୁ ଏମିତିରେ ତାହାର ଯାହା କିଛି ପରିଚିତି ଥିଲା ତାହା କେବଳ ତାହାର ନାଆଁ ଅର୍ଥାତ୍ ନିପରକୁ ନେଇ ଥିଲା । ସମ୍ଭବତଃ ଯେଉଁ ପରିବାର ସହ ସେ ରହୁଥିଲା ସେହି ପରିବାର ସହ ସମ୍ପୃକ୍ତ ବ୍ୟକ୍ତିମାନେ ଆଉ ସେହି ଘରକୁ ଯେଉଁମାନେ ଆସୁଥିଲେ ସେମାନେ ସମସ୍ତେ ମନେ କରୁଥିଲେ ଯେ ନିପର ବୋଲି ତାହାର ନାମକରଣଟି ଯଥାର୍ଥ । ତାହାର କାରଣ ହେଉଛି ଯେଉଁ ଅଭ୍ୟାଗତକୁ ସେ ସାମ୍ନାରେ ଦେଖୁଥିଲା ତାହାର ପାଦକୁ ଆଗ ସେ ନିଜର ପାଦରେ ଚାପିଧରି ସ୍ୱାଗତ କରୁଥିଲା ଆଉ ସ୍ୱାଗତ କରିବା ବେଳେ ଅଭ୍ୟାଗତର ପାଦକୁ ଖାସ୍ ଚାପି ଧରିବା ଭଳି କ୍ରିୟାର କାରଣରୁ ତାହାର ଏପରି ଗୋଟିଏ ନାଆଁ, ନିଜର, ଉତ୍ପାଦିତ ହୋଇଯାଇଥିଲା । ତେଣୁ କହିବାକୁ ଗଲେ ନିପର ର ଆଦ୍ୟ ପରିଚିତି ତାହାର ଅତିଥି ସମ୍ଭାଷଣର ମୁଦ୍ରାରୁ ହିଁ ସୃଷ୍ଟି ।

ଆଜି ନିପର ବିଶ୍ୱ ବିଖ୍ୟାତ ।

ଆମେ ଆଜି ନିପରକୁ ଯେମିତି ଦେଖୁଛୁ ଆରମ୍ଭରେ ସେ ସେହି ଭଳି ଦେଖାଯାଉନଥିଲା । ମରଣୋପରାନ୍ତ ତାହାର ବିଶ୍ୱସ୍ତରୀୟ ଉପସ୍ଥିତି କହିବାକୁ ଗଲେ ଜଣେ ଚିତ୍ରକର ର ଗୋଟିଏ ଚିତ୍ରରୁ ହୋଇଅଛି । ସେହି ଚିତ୍ରକରର ଛବିରେ ବିଷୟବସ୍ତୁ ଆକାରରେ ରହିଥିଲା ଗୋଟିଏ ଫୋନୋଗ୍ରାଫ୍ ବା କଳ ଗାଉଣା । କଳ ଗାଉଣା ହିସାବରେ ତାହା ଏକ ଆଦ୍ୟ କାଳର ଉଦ୍ଭାବନ ଯାହାକୁ କୁହାଯାଉଥିଲା ଏଡିସନ୍ ବେଲ୍ ଫୋନୋଗ୍ରାଫ୍। ସେହି ଛବିରେ ନିପର୍ ଅତ୍ୟନ୍ତ ନିଷ୍ଠାର ସହ ସେହି ଫୋନୋଗ୍ରାଫ୍ କୁ ଶୁଣୁଥିବାର ସମୟକୁ ଅଙ୍କା ଯାଇଥିଲା । ତୈଳରଙ୍ଗରେ ଅଙ୍କାଯାଇଥିବା ଏହି ଛବିର ଶୀର୍ଷକ ଦିଆଯାଇଥିଲା,” ଡଗ୍ ଲୁକିଙ୍ଗ ଆଟ୍ ଆଣ୍ଡ ଲିସନିଙ୍ଗ୍ ଟୁ ଏ ଫୋନୋଗ୍ରାଫ୍ ” ଅଥବା ” ଗୋଟିଏ କଳ ଗାଉଣାକୁ ଦେଖୁଥିବା ଆଉ ଶୁଣୁଥିବା କୁକୁର ” । ଛବିଟି ଅଙ୍କାହେବା ବେଳକୁ ଚିତ୍ରକରଙ୍କର ସାମ୍ନାରେ ଏମିତିରେ ସେମିତି କୌଣସି କୁକୁର ବାସ୍ତବ ମଡେଲ ଆକାରରେ ନଥିଲା । ନିପର୍ ର ମୃତ୍ୟୁ ସେତେବେଳକୁ ତିନିବର୍ଷ ହେଲାଣି । ନିଜର ପ୍ରିୟ କୁକୁର ନିପରର ବିୟୋଗ ପରେ ସେ ଚିତ୍ରକର ଜଣକ ଏତେ ମର୍ମାହତ ହୋଇ ଯାଇଥିଲେ ଯେ ନିପର୍ ଯେଉଁ ଯେଉଁ ବସ୍ତୁ ଗୁଡିକ ସହ ନିଜର ସମୟକୁ ଆନନ୍ଦରେ ଅତିବାହିତ କରୁଥିଲା ସେସବୁକୁ ସେ ଏକାଠି କରି ତାହାର ଏକ କାଳ୍ପନିକ କୋଲାଜ୍ କରିବା ପାଇଁ ସେ ଚିତ୍ରକର ଜଣକ ମନସ୍ଥ କରିଥିଲେ । ତୈଳରଙ୍ଗରେ ପୃଥିବୀର ସେହି ପ୍ରଥମ କଳ ଗାଉଣା ବା ଫୋନୋଗ୍ରାଫ୍ ଯାହାକୁ ଏଡିସନ ବେଲ୍ ଫୋନୋଗ୍ରାଫ ବୋଲି କୁହାଯାଉଥିଲା , ଯାହାର ଆକୃତି ସିଲିଣ୍ଡର ଭଳି ଥିଲା ତାହାକୁ ନିପର ଏକାଗ୍ର ଚିତ୍ତରେ ଶୁଣୁଥିବା ର କଥା ସେହି ଛବିରେ ରହିଥିଲା । ଛବିଟିକୁ ଆଙ୍କି ସାରିବାପରେ ହଠାତ୍ ଚିତ୍ରକରଙ୍କ ମନକୁ ଆସିଥିଲା ଯେ ଏଇଭଳି ଗୋଟିଏ।

୧୮୯୮ ମସିହାରେ ନିପରର ଏହିଭଳି କଳଗାଉଣା ଶୁଣୁଥିବା ଛବିକୁ ଆଙ୍କିଥିବା ବ୍ରିଟିଶ୍ ଚିତ୍ରକର ଜଣକ ହେଉଛନ୍ତି ଫ୍ରାନସିସ୍ ବାରାଉଦ୍ ଏବଂ ଏହି ଚିତ୍ରକାହାଣୀରେ ସବୁଠୁ ଯାହା ଉଲ୍ଲେଖଯୋଗ୍ୟ କଥା ତାହା ହେଉଛି ଚିତ୍ରକର ଫ୍ରାନସିସ୍ ବାରାଉଦ୍ ଙ୍କର ଆଦୌ କୌଣସି ଶ୍ୱାନପ୍ରୀତି ନଥିଲା ବା ସେ କୌଣସି ଶ୍ୱାନକୁ ନିଜର ଅତି ନିକଟରେ ରହିବା ଭଳି କାମରେ ଖୁବ୍ ଅସହଜ ମନେ କରୁଥିଲେ । ତେଣୁ ସେ ନିପର୍ କୁ ଭଲଭାବରେ ଜାଣିଥିଲେ ବି ତାହାଠାରୁ ଯଥା ସମ୍ଭବ ଦୂରତ୍ୱରେ ରହିବାକୁ ଉଚିତ ମନେକରୁଥିଲେ ।

୧୮୮୭ ମସିହାରେ ଏହି ଅଳ୍ପଖ୍ୟାତ ସୌଖୀନ ଚିତ୍ରକର ଫ୍ରାନସିସ୍ ଙ୍କ ଜୀବନରେ ଏକ ମୋଡ ପରିବର୍ତ୍ତନକାରୀ ଘଟଣା ଘଟିଥିଲା । ସେ ହଠାତ୍ ସେହି ବର୍ଷ ଗୋଟିଏ ଛୋଟିଆ ଈଷ୍ଟେଟ୍ ର ଉତ୍ତରାଧିକାରୀ ହୋଇଗଲେ । ସେହି ବର୍ଷ ଫ୍ରାନସିସ୍ ଙ୍କର ବଡ ଭାଇ ମାର୍କ ବାରାଉଦ୍ ଙ୍କର ପରଲୋକ ଘଟିଥିଲା । ମାର୍କ ମୃତ୍ୟୁବେଳକୁ ଅବିବାହିତ ଥିଲେ ଏବଂ ମୃତ୍ୟୁବେଳକୁ ସେ ଯଥେଷ୍ଟ ସ୍ୱଚ୍ଛଳ ଥିଲେ । ମାର୍କ ବୃତ୍ତିଗତ ଭାବେ ଲଣ୍ଡନ ର ଥିଏଟର୍ ମାନଙ୍କର ମୁକ୍ତପେଷା ” ସିନ୍ ଡିଜାଇନର୍ ” ହିସାବରେ କାମ କରୁଥିଲେ । ମାର୍କଙ୍କର ଜଣେ ସହଯୋଗୀ ହିସାବରେ ସାନଭାଇ ଫ୍ରାନସିସ୍ ନାଟକର ଦୃଶ୍ୟ-ପ୍ରଚ୍ଛଦ ଅଙ୍କନରେ ସହାୟତା କରୁଥିଲେ । ଏହି ସିନ୍ ଆଙ୍କିବା କାମରୁ ହିଁ ତାଙ୍କର ଚିତ୍ର-ଚର୍ଚ୍ଚା ର ବିକାଶ । ମାର୍କ ମୃତ୍ୟୁ ପୂର୍ବରୁ ଯେଉଁ ଇଚ୍ଛା ପତ୍ର ପ୍ରସ୍ତୁତ କରିଯାଇଥିଲେ ତାହା ଅନୁସାରେ ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକାନା ଉତ୍ତରାଧୀକାର ସୂତ୍ରରେ ସାନଭାଇ ଫ୍ରାନସିସ୍ ଙ୍କ ନିକଟକୁ ଆସିଥିଲା । ମାର୍କ ଙ୍କ ଇଚ୍ଛାପତ୍ର ଅନୁସାରେ ତାଙ୍କର ପ୍ରିୟ କୁକୁର ନିପର କୁ ଯଥାଯଥ ପରିପାଳନ କରିବାର ଦାୟିତ୍ୱ ବି ଫ୍ରାନସିସ୍ ଙ୍କ ଉପରେ ପଡିଥିଲା । ନିପର୍ ସବୁବେଳେ ତାହାର ମୃତ ପ୍ରଭୂଙ୍କୁ ଖୋଜିବୁଲିବା ଭଳି ମନେ ହେଉଥିଲା । ମାର୍କ ତାଙ୍କର ଅସ୍ଥାବର ସମ୍ପତ୍ତି ମଧ୍ୟରେ ଛାଡିଯାଇଥିଲେ ଗୋଟିଏ ” ଏଡିସନ୍ ବେଲ୍ ସିଲିଣ୍ଡର ଫନୋଗ୍ରାଫ୍ ” ଆଉ ସେହି ଫନୋଗ୍ରାଫ୍ ରେ ସେ ରେକର୍ଡିଂ କରି ରଖିଯାଇଥିଲେ ନିଜର କିଛି କଂଠସ୍ୱର । ନିଜର ଭାଇଙ୍କ ସ୍ମାରକୀ ହିସାବରେ ଫ୍ରାନସିସ୍ ମାର୍କ ଙ୍କ ସେହି ଫନୋଗ୍ରାଫ୍ ଏବଂ ତାଙ୍କର ଶ୍ରଦ୍ଧା ପାଳିତ ନିପର ପ୍ରତି କ୍ରମଶଃ ଅଧିକ ଯତ୍ନଶୀଳ ହୋଇ ପଡିଥିଲେ । ଫନୋଗ୍ରାଫ ହେଉ କି ନିପର୍ ହେଉ କାହାରି ଦେହରେ ଟୋପାଏ ଧୂଳି ପଡିବାକୁ ସେ ସହ୍ୟ କରିପାରୁନଥିଲେ । ଅନେକ ସମୟରେ ସେ ପରଲୋକଗତ ଭାଇର କଣ୍ଠସ୍ୱରକୁ ଶୁଣୁଥିଲେ ଆଉ ନିପର କୁ ସେହି କଣ୍ଠସ୍ୱର ଶୁଣାଉଥିଲେ । ଶ୍ୱାନ ମାନଙ୍କର ସ୍ମୃତିଶକ୍ତି ସାଧାରଣତଃ ଘ୍ରାଣ-ଆଧାରିତ,ତଥାପି ନିଜର ମୃତ ପ୍ରଭୃର ସ୍ୱରକୁ ଶୁଣିବା ବେଳେ ନିପର ତଟସ୍ଥ ହୋଇ ରହିବାର ଦେଖାଯାଉଥିଲା । ନିପରର ତଟସ୍ଥ ହୋଇ ମୃତ ପ୍ରଭୂର କଣ୍ଠସ୍ୱରକୁ ଶୁଣିବା ଭଳି କୌଣସି ଏକ ଦୃଶ୍ୟ ନିଶ୍ଚୟ ଫ୍ରାନସିସ୍ ଙ୍କୁ ଏମିତି ଗୋଟିଏ ଛବି ଆଙ୍କିବା ପାଇଁ ପ୍ରରୋଚିତ କରିଥିଲା ଯାହାର ଶୀର୍ଷକ ସେ ରଖିଥିଲେ,” ଗୋଟିଏ କଳଗାଉଣା କୁ ଦେଖୁଥିବା ଆଉ ଶୁଣୁଥିବା ଗୋଟିଏ କୁକୁର” ।

ଏହି ଛବିଟି ବିଜ୍ଞାପନ ପାଇଁ ଉପଯୁକ୍ତ ହେବ ବୋଲି ମନେକରି ଫ୍ରାନସିସ୍ ବାରାଉଦ୍ ଯେତେବେଳେ ତାହାକୁ ଏଡିସନ କମ୍ପାନୀ ଆଗରେ ଦେଖାଇଲେ କମ୍ପାନୀ ପ୍ରତିନିଧି ପଦେ କଥାରେ ଏହା ଏଇ କଳଗାଉଣାର ବିଜ୍ଞାପନ ପାଇଁ ଅନୁପଯୁକ୍ତ ବୋଲି ସ୍ପଷ୍ଟ ଜଣାଇଦେଇଥିଲେ । ଛବିଟିକୁ ପ୍ରତ୍ୟାଖ୍ୟାନ କଲାବେଳେ ଏଡିସନ୍ କଂପାନୀ ର ପ୍ରତିନିଧି କହିଥିଲେ,” ଡଗସ୍ ଡୁ ନଟ୍ ଲିସନ୍ ଟୁ ଫୋନୋଗ୍ରାଫ୍ ” ଅର୍ଥାତ୍ ” କୁକୁର ମାନେ କଳଗାଉଣା ଶୁଣନ୍ତି ନାହିଁ “।

ଫ୍ରାନସିସ୍ ଏହି ଘଟଣାରେ ବ୍ୟଥିତ ହୋଇ ନିଜର ଅଂକା ଛବିଟିର ଶୀର୍ଷକକୁ ବଦଳାଇ ଦେଲେ ଆଉ ଆଉ ଏକ ନୂତନ ଗ୍ରାମଫୋନ୍ କମ୍ପାନୀ ଯାହାର ନାଆଁ “ଗ୍ରାମଫୋନ୍ କଂପାନୀ ” ତାହାକୁ ସାକ୍ଷାତ କରିଥିଲେ । ସେହି ନୂତନ ଗ୍ରାମଫୋନ୍ କମ୍ପାନୀ ଛବିଟିକୁ ଆଉ ତାହାର ଶୀର୍ଷକକୁ ଦେଖି ହଠାତ୍ ତାଙ୍କର ବିଜ୍ଞାପନ ପାଇଁ ରାଜି ହୋଇଗଲେ । ଫ୍ରାନସିସ୍ ସେତେବେଳେ ଛବିର ଶୀର୍ଷକକୁ ବଦଳାଇ ରଖିଥିଲେ,ହିଜ୍ ମାଷ୍ଟରସ୍ ଭଏସ୍ । ଏହି ଗ୍ରାମଫୋନ୍ କମ୍ପାନୀ ଫ୍ରାନସିସ୍ ବାରାଉଦ୍ ଙ୍କଠାରୁ ଏହି ଛବିର ସମସ୍ତ ସତ୍ତ୍ୱ ୧୮୯୯ ମସିହାରେ କିଣିନେଇଥିଲେ । ମୂଲ୍ୟ ବାବଦକୁ ଗ୍ରାମଫୋନ୍ କଂପାନୀ ଚିତ୍ରଶିଳ୍ପୀ ଫ୍ରାନସିସ୍ ବାରାଉଦ୍ ଙ୍କୁ ପଚାଶ ପାଉଣ୍ଡ ପ୍ରଦାନ କରିଥିଲେ ଏବଂ ଆଉ ଅଧିକ ପଚାଶ ପାଉଣ୍ଡ ର ଅର୍ଥ ଏଇଥିପାଇଁ ପ୍ରଦାନ କରିଥିଲେ ଯେ ଛବିରେ ଯେଉଁ ” ସିଲିଣ୍ଡର ଫୋନୋଗ୍ରାଫ୍” ଅଙ୍କା ହୋଇଛି ତାହାରି ସ୍ଥାନରେ ଭବିଷ୍ୟତରେ ବିଜ୍ଞାପନରେ ତାହାର ଯେମିତି କୌଣସି ନୂତନ ଧରଣ ର ଗ୍ରାମଫୋନର ଛବିର ବ୍ୟବହାର କରାଯାଇପାରେ ।

କହିବା ବାହୁଲ୍ୟ “ହିଜ୍ ମାଷ୍ଟରସ୍ ଭଏସ୍” ଜନପ୍ରିୟତାର ଶୀର୍ଷକୁ ଛୁଇଁଥିଲା । ବିଜ୍ଞାପନରେ ବହୁଳ ଆଦୃତି କାରଣରୁ ଏହି “ଗ୍ରାମଫୋନ୍ କମ୍ପାନୀ ” ନିଜର ନୂତନ ନାମ ଗ୍ରହଣ କଲା ” ହିଜ୍ ମାଷ୍ଟରସ୍ ଭଏସ୍”।

ପୃଥିବୀରେ ସର୍ବତ୍ର ସଙ୍ଗୀତ ଜଗତର ସମାର୍ଥକ ହୋଇଯାଇଛି ” ହିଜ୍ ମାଷ୍ଟରସ୍ ଭଏସ୍ ” ଏବଂ ତାହାର ସେଇ ଏକନିଷ୍ଠ ସଙ୍ଗୀତ ମୁଗ୍ଧ ଶ୍ୱାନ । ହୁଏତ ତାହାର ନାଆଁ ନିପର ବୋଲି ଅନେକଙ୍କର ଗୋଚରରେ ନଥାଇପାରେ ମାତ୍ର
ଏହି ମୁଗ୍ଧତା ପଛରେ ଆମେ ସମସ୍ତେ ଗୋଟିଏ ପ୍ରକରଣକୁ ଉପଲବ୍ଧି କରିଥାଉ ।

ମାଷ୍ଟରସ୍ ଭଏସ୍ ହିଁ ସବୁବେଳେ ସ୍ୱଦେହରେ ଅନୁପସ୍ଥିତ ମାଷ୍ଟରସ୍ ଭଏସ୍ ।

Comments are closed.