Latest Odisha News

ଗଞ୍ଜାମରେ ୮.୨୨ ଲକ୍ଷ ଶିଶୁ ଖାଇବେ କୃମି ନାଶକ ଔଷଧ; ଆଜିଠୁ ଆରମ୍ଭ ମିଶନ

ବ୍ରହ୍ମପୁର: ବ୍ରହ୍ମପୁର ସହର ସ୍ଥିତ ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିବସକୁ ଉଦଘାଟନ କରିବା ସହ ଛାତ୍ରୀମାନଙ୍କୁ ଔଷଧ ଖୁଆଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍‌. ଜଗଦୀଶ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ପଣ୍ଡା, ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ସିପିଏମ୍‌ୟୁ ସିପିଏମ୍‌ ଲମ୍ବୋଦର ଦିଗାଲ, ଡିଏମ୍‌ଆରସିଏଚ୍‌ ଶକ୍ତି କୁମାର ଦିଗାଲ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରତୀବାଳା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଜିଲ୍ଲାପାଳ ପରିଡ଼ା କହିଥିଲେ ଯେ, କୃମି ନାଶକ ପାଇଁ ଦିଆଯାଉଥିବ ଔଷଧ ଅତ୍ୟନ୍ତ ସୁରକ୍ଷିତ। ଜିଲାରେ ୧ ରୁ ୧୯ ବର୍ଷ ବୟସ୍କ ପ୍ରାୟ ୮ଲକ୍ଷ ୨୨ ହଜାର ଜଣ ଶିଶୁ ଓ କିଶୋରଙ୍କୁ ଏହି ଔଷଧ ପ୍ରଦାନ କରାଯିବ। ସମସ୍ତ ଶିକ୍ଷାନୁଷ୍ଠାନରେ ଔଷଧ ବଣ୍ଟନ କରାଯିବ ।

ବିନା କୌଣସି ଭୟରେ ସମସ୍ତ ଶିଶୁ ଔଷଧ ଖାଇବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶିଶୁମାନେ କୃମିରେ ଆକ୍ରାନ୍ତ ହେବାର ସର୍ବାଧିକ ଆଶଙ୍କା ରହୁଛି।

ଏହା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ସେଥିପାଇଁ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ ଔଷଧ ବଣ୍ଟନ କରାଯିବ। ଯଦି କୌଣସି ଶିଶୁଙ୍କ ପାଖରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ । ତେବେ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି ।

Comments are closed.