ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଗୋପବନ୍ଧୁ ବାବୁ ଗାଁର ସବୁଠୁ ବୟୋଜ୍ୟେଷ୍ଠ ଶିକ୍ଷକ। ପୂରା ନାଁ ଗୋପବନ୍ଧୁ ମିଶ୍ର। କିନ୍ତୁ ସମସ୍ତେ ତାଙ୍କୁ ଡାକନ୍ତି ଗୋପ ବାବୁ। ଅବସର ନେବାର ପଚିଶ ବର୍ଷ ହେଲାଣି। ତଥାପି କର୍ମଠ। ଚଳଚଞ୍ଚଳ। ଛୋଟ ଛୋଟ ପିଲାଙ୍କୁ ସବୁଦିନ ସନ୍ଧ୍ୟାରେ ଏକାଠି କରି ପ୍ରାର୍ଥନା କରାନ୍ତି। ତା ପରେ ବିଭିନ୍ନ କାହାଣୀ ଶୁଣାନ୍ତି। ମୁଖ୍ୟତଃ ଚରିତ୍ର ନିର୍ମାଣ, ସମାଜ ନିର୍ମାଣ ଆଉ ରାଷ୍ଟ୍ର ନିର୍ମାଣର କାହାଣୀ। ତାଙ୍କ କାହାଣୀରେ ମଣିଷପଣିଆ, ଜୀବନର ମୂଲ୍ୟବୋଧ ସାଙ୍ଗକୁ ଦେଶପ୍ରେମର କଥା ଝଲସି ଉଠୁଥାଏ। ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନ ସଂଗ୍ରାମର କାହାଣୀ କହନ୍ତି ସେ ପିଲାମାନଙ୍କୁ। ସେମାନଙ୍କ ଜୀବନ କେମିତି ଆମ ସମସ୍ତଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା ତାହା ବଖାଣି ବସନ୍ତି ସେ। କେବେ କେବେ ଦେଶ କଥା କହିଲା ବେଳେ, ସେ ନିଜ କୋହକୁ ସମ୍ବରଣ କରିପାରନ୍ତି ନାହିଁ। ଭୋ ଭୋ ହୋଇ କାନ୍ଦି ଉଠନ୍ତି। କହନ୍ତି, ଏ ଦେଶର ଯବାନମାନେ ସୀମାନ୍ତରେ ନିଜ ଜୀବନକୁ ପାଣି ଛଡ଼େଇ ଜଗି ବସିଥିବାରୁ ଆମେ ସମସ୍ତେ ଆନନ୍ଦରେ ସୁଖ ନିଦ୍ରାରେ ଶୋଇ ପାରୁଛନ୍ତି। କିନ୍ତୁ ଯଦି ସେମାନେ ନଥାନ୍ତେ, ବା ସେମାନଙ୍କ ମନରେ ଦେଶ ପାଇଁ ତ୍ୟାଗର ଭାବନା ନଥାନ୍ତା, ତାହେଲେ ଆମେ କେଉଁଠି ଥାଆନ୍ତେ ସେ କଥା କେହି କେବେ ଚିନ୍ତା କରିଛି।
ଗୋପବାବୁଙ୍କ କାହାଣୀ ଶୁଣିଲା ବେଳେ ପିଲାମାନେ ଏକଦମ୍ ଚୁପଚାପ୍ ବସିଥାନ୍ତି। ସେମାନଙ୍କ ମୁହଁ ଦେଖିଲେ ଲାଗିବ, ଯେମିତି ସେମାନେ କେଉଁ ଏକ ଦୁନିଆରେ ହଜି ଯାଇଛନ୍ତି। ସେମାନଙ୍କ ଆଖି ଦେଖିଲେ ଲାଗେ, ଯେମିତି ତାରି ଭିତରେ କେଉଁ ହଜାର ହଜାର ବର୍ଷର ଜିଜ୍ଞାସା ସେମାନେ ଗଚ୍ଛିତ କରି ରଖିଛନ୍ତି। ଏଇ ମାତ୍ର ଯଦି ଟିକିଏ ସୁଯୋଗ ମିଳିଯାଏ ତାହେଲେ ଗୋପବାବୁଙ୍କୁ ସେମାନେ ଗୋଟି ଗୋଟି କରି ସମସ୍ତ ପ୍ରଶ୍ନ ଏକାସାଙ୍ଗରେ ପଚାରିଦେବେ। ତା ଛଡ଼ା ଏବେ ଗାଁ ଗଣ୍ଡାଠାରୁ ଆରମ୍ଭ କରି ସହର ବଜାର ପୂରା ଦେଶରେ ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷକୁ ନେଇ ଏକ ଉତ୍ସବର ବାତାବରଣ। ସବୁଠି ସଜବାଜ। ଏମିତି ସ୍ଥଳେ ଯେତେବେଳେ ସ୍ୱାଧୀନତା ସଂଗ୍ରାମର କଥା କହନ୍ତି ଗୋପବାବୁ, ତାହା ପିଲାମାନଙ୍କୁ ଆହୁରି ଅଧିକ ଉତ୍କଣ୍ଠିତ କରିଦିଏ। ସେଥିପାଇଁ ସେମାନେ ଅତ୍ୟନ୍ତ ଆଗ୍ରହର ସହ ଶୁଣନ୍ତି ସେଇ ସବୁ କାହାଣୀ। ବିଶେଷକରି ସ୍ୱାଧୀନତା ସଂଗ୍ରାମକୁ ନେଇ ସେମାନଙ୍କ ମନରେ ଯେତେ ସବୁ ପ୍ରଶ୍ନ ଅଛି ତାକୁ ପଚାରିବାକୁ ପିଲାଙ୍କ ଭିତରେ ଚାଲିଥାଏ ପ୍ରତିଯୋଗିତା।
ଗୋପବାବୁ କହୁଥାନ୍ତି କାହାଣୀ। ସ୍ୱାଧୀନତା ସଂଗ୍ରାମ ବେଳେ ତାଙ୍କ ବାପା କେମିତି କାମଧନ୍ଦା ସନ୍ଧାନରେ ଗାଁରୁ ବାହାରି କଲିକତା ଯାଇଥିଲେ। ଆଉ ସେଠାରୁ କେମିତି ସେ ମଜୁରିଆ ଭାବେ ବ୍ରହ୍ମଦେଶର ରେଙ୍ଗୁନ ପଳେଇଯାଇଥିଲେ। କିନ୍ତୁ ସେଠାରେ କାମ କରିବାକୁ ତାଙ୍କୁ ଆଦୌ ଭଲ ଲାଗୁନଥାଏ। ଏହା ବ୍ୟତୀତ ସେ ଗାଁ ଛାଡ଼ି ଦୂରରେ ରହିବାକୁ ପସନ୍ଦ କରୁନଥିଲେ। ତେଣୁ ଗାଁକୁ ଫେରିବା ପାଇଁ ଯେତେବେଳେ ସେ ସେଠାରେ କାମ ଛାଡ଼ି ବାହାରିଲେ, ସେତେବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ତାଙ୍କୁ। ବହୁ କଷ୍ଟେ ମଷ୍ଟେ, କେଉଁଠି ପୋଲିସଠୁ ଲାଠି ମାଡ଼ ଖାଇ ତ ଆଉ କେଉଁଠି ମାଲବାହୀ ଟ୍ରେନରେ ଚଢ଼ି ଯାତ୍ରା କରି ଘରେ ପହଞ୍ଚିଥିଲେ। ଗାଁକୁ ଆସିବା ପରେ ତାଙ୍କୁ ଲାଗୁଥିଲା ଯେମିତି ସେ ହଜାରେ ଶିକୁଳି ଛିଣ୍ଡାଇ ଆଜି ମୁକ୍ତ ହୋଇଛନ୍ତି। ଏତିକି ବେଳେ ପିଲାଟିଏ ପଚାରିଲା, ଜେଜେ .. ଆପଣଙ୍କ ପିଲାଦିନରେ କଣ ଏମିତି ସ୍ୱାଧୀନତାର ଅମୃତ ମହୋତ୍ସବ ହେଉଥିଲା? ଆପଣ କେମିତି ପାଳୁଥିଲେ ସ୍ୱାଧୀନତା ଦିବସ? ଏମିତି କଣ ସାଜସଜା ବାଜା ରୋଷଣୀ ଥିଲା? ପିଲାଟିର ପ୍ରଶ୍ନରେ ହସିଦେଲେ ଗୋପବାବୁ। କହିଲେ, ଏବେ ତ ସ୍ୱାଧୀନତାର ଅମୃତ ମହୋତ୍ସବ ବୋଲି ଏହାକୁ ନାଁ ଦିଆଯାଇଛି। କିନ୍ତୁ ଆମ ପିଲାଦିନରେ ପାଳିତ ହେଉଥିବା ସ୍ୱାଧୀନତା ଦିବସ ପ୍ରକୃତରେ ଅମୃତର ବେଳା ଥିଲା। ଏଇତକ କଥା ଶୁଣି ପିଲାମାନେ ଆଉ ଟିକିଏ ଉତ୍କଣ୍ଠାର ସହିତ କାନଡେରିଲେ ଗୋପବାବୁଙ୍କ କଥାକୁ।
ଗୋପବାବୁ କହିଲେ, ମୁଁ ଯେତେବେଳେ ମାତ୍ର ଦଶବର୍ଷର, ସେତେବେଳେ ଆମ ଦେଶ ସ୍ୱାଧୀନ ହେଲା। ଦେଶ ସ୍ୱାଧୀନ ହେଉଛି ବୋଲି ଖବର ଆସିବା ପରେ, ଆମ ଗାଁରେ ଏକ ବିରାଟ ଉତ୍ସବର ବାତାବରଣ। ଆଖପାଖ ଗାଁର କୀର୍ତ୍ତନିଆମାନଙ୍କୁ ଡାକି ଏକ ବିରାଟ କୀର୍ତ୍ତନ୍ୟମଣ୍ଡଳୀ ଉଦଣ୍ଡ କୀର୍ତ୍ତନ କରିବା ସହିତ ଆରମ୍ଭ ହେଲା ସ୍ୱାଧୀନତାର ଉତ୍ସବ। ଗାଁରେ ଗୋଟିଏ ବି ପକ୍କା ଘର ନଥିଲା। କିନ୍ତୁ ଗାଁର ସମସ୍ତ ଝାଟି ମାଟିର ନଡ଼ା ଛପର ଘର ଆଗରେ ଦୁଆର ଦାଣ୍ଡକୁ ଲୋକମାନେ ଗୋବରରେ ଲିପି ପୋଛି ପରିଷ୍କାର କରିଥାନ୍ତି। ସମସ୍ତଙ୍କ ଦୁଆର ମୁହଁରେ ପୂର୍ଣ୍ଣକୁମ୍ଭ ସାଙ୍ଗକୁ ଦୀପ ଜଳାଇ ଦିଆଯାଇଥିଲା। ଲାଗୁଥିଲା ଆମେ ଯେମିତି କୌଣସି ଦେବଦେବୀଙ୍କ ପୂଜାର୍ଚ୍ଚନା ପାଇଁ ସବୁ ବନ୍ଦୋବସ୍ତ କରୁଥିଲୁ। କିନ୍ତୁ ଏଇଠି ବ୍ରହ୍ମା ବିଷ୍ଣୁ ମହେଶ୍ୱର କି ଆଲ୍ଲା କି ଯୀଶୁ କେହି ନଥିଲେ। ଆମ ଗାଁର ସବୁ ଲୋକଙ୍କ ପାଇଁ ସେଦିନ ଦେବତା ଥିଲେ ଆମ ଦେଶ। ଭାରତବର୍ଷ। ହଜାର ହଜାର ବର୍ଷର ସମୁନ୍ନତ ସଭ୍ୟତା ଓ ସଂସ୍କୃତିର ଏ ଦେଶକୁ କିଛି ବାହ୍ୟ ଶତ୍ରୁ ଶତାଧିକ ବର୍ଷ ଧରି ଅକ୍ତିଆର କରି ରଖିଥିଲେ। ଆମ ସ୍ୱାଧୀନତାକୁ ଛିନ୍ନ କରିଦେଇଥିଲେ। କିନ୍ତୁ ସେଦିନ ଯେତେବେଳେ ସଂଗ୍ରାମୀମାନଙ୍କ ବଳିଦାନ ଯୋଗୁଁ ଆମକୁ ସ୍ୱାଧୀନତା ମିଳିଲା, ତାଠୁ ବଳି ଆଉ କିଛି ବଡ଼ ପର୍ବ ବା ଆନନ୍ଦ କଣ ଆଉ କିଛି ହୋଇପାରେ? ସେଥିପାଇଁ ଆମେ ପିଲାରୁ ବୁଢ଼ା ସମସ୍ତେ ସ୍ୱାଧୀନତା ଦିବସ ପାଳନରେ ମାତି ଯାଇଥିଲୁ। ଯାହାକୁ ଯେତେ ଦେଶାତ୍ମବୋଧକ ଗୀତ ଜଣାଥିଲା ସବୁ ଗାଇ ଚାଲିଥିଲୁ ଆମେ। ଗାଁର ସ୍ତ୍ରୀ ଲୋକମାନେ ହୁଳହୁଳି ଦେଇ ସେହି ପୂର୍ଣ୍ଣକୁମ୍ଭ ଓ ଦୀପକୁ ଦେଶର ପ୍ରତୀକ ମନେକରି ତାର ବନ୍ଦାପନା କରୁଥିଲେ। ଏମିତି ଆନନ୍ଦ ବୋଧହୁଏ ମୁଁ ମୋ ଜୀବନରେ କେବେ ପାଇନି କହିଲେ ଚଳେ।
ଗୋପବାବୁ ପୁଣି କଥାକୁ ଆଗକୁ ବଢ଼ାଇ କହିଲେ, ମୋର ସମ୍ପୂର୍ଣ୍ଣ ମନେଅଛି ଯେ, ଯେତେବେଳେ ସ୍ୱାଧୀନତା ପାଇବାର ବର୍ଷକ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଭୁବନେଶ୍ୱର ଆସିଲେ, ସେତେବେଳେ ମୁଁ ମୋ ବାପାଙ୍କ ସାଙ୍ଗରେ ଯାଇଥିଲି ତାଙ୍କୁ ଦେଖିବା ପାଇଁ। ଗାଡ଼ିରେ ଟିକଟ କରିବା ପାଇଁ ବାପାଙ୍କ ପାଖରେ ପଇସା ନଥାଏ। ତେଣୁ ସପ୍ତାହେ ଆଗରୁ ଆମେ ଚାଲି ଚାଲି ବାହାରିଥିଲୁ ଗାଁରୁ ଭୁବନେଶ୍ୱର ଯିବା ପାଇଁ ଏବଂ ପଣ୍ଡିତ ନେହେରୁଙ୍କୁ ଦେଖିବା ପାଇଁ। ସେତେବେଳେ ନୂଆରେ ତିଆରି ହେଉଥିବା ରାଜଧାନୀରେ ନେହେରୁଙ୍କୁ ଦେଖି ବି ସେତିକି ଆନନ୍ଦ ମିଳିଲାନି, ଯେତିକି ପ୍ରଥମ ସ୍ୱାଧୀନତା ଦିବସରେ ଆମ ଗାଁରେ ମିଳିଥିଲା।
ଗୋପବାବୁ କହିଲେ, ଆମେ ସବୁ ସ୍କୁଲପିଲା ଶ୍ରୀପଞ୍ଚମୀରେ ଯେମିତି ସକାଳୁ ଗାଧୋଇ ପାଧୋଇ ଶ୍ରୀଫଳ ନେଇ ସ୍କୁଲ ଯାଆନ୍ତି, ଠିକ୍ ସେମିତି ସ୍ୱାଧୀନତା ଦିବସ ଦିନ ସକାଳୁ ଆମେ ସବୁ ସ୍କୁଲ ପିଲା ପୋଖରୀରେ ଗାଧୋଇ ପାଧୋଇ ମନ୍ଦିରରେ ଦିଅଁ ଦର୍ଶନ ପାଇଁ ଗଲାଭଳି ପ୍ରସ୍ତୁତ ହୋଇଯାଇଥିଲୁ। ତା ପରେ ମହାମାନବମାନଙ୍କ ନାଁରେ ଜୟଧ୍ୱନି ଦେଇ, ସେମାନଙ୍କ ଫଟୋ ଚିତ୍ର ଆଗରେ ନଡ଼ିଆ ବାଡ଼େଇ, ଭୋଗ ଲଗାଇ ପାଳିଥିଲୁ ସ୍ୱାଧୀନତା। ବାଜା ବାଣ ରୋଷଣୀରେ ଆମେ ପ୍ରଭାତଫେରି କରିଥିଲୁ। ପ୍ରକୃତରେ କହିବାକୁ ଗଲେ, ସେହି ଆନନ୍ଦ ଉଲ୍ଲାସର ଯେଉଁ ପରିବେଶ ଥିଲା, ତାହା ଏବେ ବି ମୋ ଆଖି ଆଗରେ ନାଚି ଉଠୁଛି। ମୋତେ ଲାଗୁଛି, ଏଇ ଯେମିତି କିଛି ସମୟ ତଳେ ଆମେ ସେହି ମହାନ୍ ଉତ୍ସବର ମୂକସାକ୍ଷୀ ହୋଇଥିଲୁ। ମୋ ସ୍ୱପ୍ନର ସ୍ୱାଧୀନତା ତା ପରେ ଆଉ କେବେ ଆସିନି।
ପିଲାମାନଙ୍କ ଉତ୍କଣ୍ଠା ଏତିକିରେ ଶାନ୍ତ ହୋଇନଥିଲା ବେଳେ ଗୋପବାବୁ କଥାଟାକୁ ବୁଲାଇ ଦେଲେ ଏବଂ କହିଲେ, ଯେଉଁଦିନ ତୁମେମାନେ ବଡ଼ ହୋଇ ଦେଶର ମହତ୍ୱ କଣ ବୁଝିପାରିବ, ସେଦିନ ତମକୁ ସ୍ୱାଧୀନତାର ପ୍ରକୃତ ଅର୍ଥ ବୁଝାପଡ଼ିଯିବ। ଗୋପବାବୁଙ୍କ ମୁହଁରୁ କଥା ସରିଛି କି ନାହିଁ, ପଛରୁ ପିଲାଟିଏ ଉଠି ଆସି ତାଙ୍କ ହାତକୁ ତ୍ରିରଙ୍ଗାଟାଏ ବଢ଼ାଇ ଦେଲା। କହିଲା, ଜେଜେ ଏଥର ଜାତୀୟ ପତାକା ତମେ ଉଡ଼େଇବ। ଆମେ ସମସ୍ତେ ତମ ସାଙ୍ଗରେ ରହିବୁ। ଗୋପବାବୁ ପତାକାଟାକୁ ଅତି ଆନନ୍ଦର ସହିତ ହାତକୁ ନେଲେ ଏବଂ ପିଲାମାନଙ୍କ ଆଡ଼କୁ ଇଙ୍ଗିତ କରି କହିଲେ, ଆରେ ପତାକା ଉତ୍ତୋଳନ ହେଲାଣି, ଏବେ ତ କୁହ .. ଭାରତ ମାତା କୀ ଜୟ … ଗୋପବାବୁଙ୍କ ଦାଣ୍ଡ ଦୁଆର ବାରଣ୍ଡା ଉପରୁ ହଠାତ୍ ଶୁଣାଗଲା ସାମୂହିକ ସ୍ୱରରେ ଭାରତ ମାତା କୀ ଜୟ। ଗୋଟିଏ ହାତରେ ପତାକାଟାକୁ ଉଠାଇ ଧରି ଅନ୍ୟ ହାତରେ ତାକୁ ସ୍ୟାଲୁଟ୍ କରୁଥିଲେ ଗୋପବାବୁ। ତାଙ୍କୁ ଘେରି ରହି ସେହି କୁନି କୁନି ପିଲାମାନେ ଉଚ୍ଚସ୍ୱରରେ ଗାଉଥିଲେ .. ଏଇ ଦେଶ ଏଇ ମାଟି .. ମମତାମୟୀ ମାଆଟି … ।
ମିଡିଆ ଷ୍ଟଡିଜ୍
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.