Latest Odisha News

BREAKING NEWS

ଆସିଲା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ

ଭୁବନେଶ୍ୱର: ବନ୍ୟା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର  ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି, ପ୍ରାଥମିକ ସୂଚନା ଅନୁଯାୟୀ ବନ୍ୟା ଯୋଗୁଁ ୧୩ଟି ଜିଲ୍ଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୦୬୬ଟି ଗ୍ରାମ ପ୍ରଭାବିତ ହୋଇଛି । ବନ୍ୟାରେ ୪୭୦ ଟି ଗ୍ରାମ ଜଳବନ୍ଦୀରେ ରହିଥିବାବେଳେ ୨ ଲକ୍ଷ ୫୫ ହଜାର ୩୨୫ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ ୧୯୦ ଟି ରିଲିଫ୍‌ କେନ୍ଦ୍ରରେ ୧ ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ୱାରା ଅନେକ ବାସଗୃହ କ୍ଷତିଗ୍ରସ୍ତ ହେବା ସହିତ ବହୁତ ଚାଷ ଜମି ଜଳମଗ୍ନ ହୋଇଛି।

ପ୍ରଭାବିତ ଲୋକମାନଙ୍କୁ ଆବଶ୍ୟକ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଅଛି । ୧୧ ଟି ଏନ୍‌ଡିଆର୍‌ଏଫ୍‌, ୧୨ ଟି ଓଡ୍ରାଫ୍‌ ଏବଂ ୫୨ ଟି ଅତିରିକ୍ତ ଅଗ୍ନିଶମ ସେବା ବାହିନୀ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରଭାବିତ ଅଞ୍ଚଳରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୧୦ ଟି ଭ୍ରାମ୍ୟମାଣ ଆର୍‌ଓ ୱାଟର ପ୍ଲାଣ୍ଟ ଜରିଆରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଅଛି।

ସେହିପରି ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଯୋଗାଇ ଦିଆଯାଉଅଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ପଶୁଚିକିତ୍ସାକୁ ତ୍ୱରାନ୍ୱିତ କରାଯାଇଛି । ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀମାନେ ପ୍ରଭାବିତ ଅଞ୍ଚଳରେ ଅବସ୍ଥାନ କରି ନଦୀ ବନ୍ଧର ସୁରକ୍ଷା ତଥା ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ, ନିୟମିତ ଭାବେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ସହ ଯୋଗାଯୋଗ କରି ବନ୍ୟା ପରିସ୍ଥିତି ସମୀକ୍ଷା କରୁଛନ୍ତି । ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ବନ୍ୟା ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ପଠାଇଛନ୍ତି ।

ଏସ୍‌ଡିଆର୍‌ଏଫ୍‌ ଗାଇଡଲାଇନ୍‌ ଅନୁସାରେ ଜିଲ୍ଲାପାଳମାନେ ଘରୋଇ ଡଙ୍ଗା ଭଡାରେ ନେଇ ଜଳ ଘେରରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଲଘୁଚାପ ପ୍ରଭାବରେ ବର୍ଷା ହେବାକୁ ଥିବାବେଳେ ଲୋକମାନଙ୍କୁ ପଲିଥିନ ଯୋଗାଇଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.