Latest Odisha News

ସ୍ୱଳ୍ପ ଗଳ୍ପ : ଜଣେ ମୂକ କିଶୋରୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୫

ଜଣେ ରାଜା ଥିଲେ। ବେଲଜିଅମ ଦେଶରେ । ବେଲଜିଅମରେ ବ୍ରସେଲସ୍ ବୋଲି ଗୋଟିଏ ସହର ଅଛି ,ସେଇଟି ଥିଲା ତାଙ୍କର ରାଜଧାନୀ।

ରାଜାଙ୍କର ନାଆଁ ? ସତ କହିବ । ଇଙ୍ଗିତ ନୁହଁ।

ରାଜା ଉଇଲିଅମ ପ୍ରଥମ।

ରାଜାଙ୍କର ଜନ୍ମଦିନ ହେଉଛି ଅଗଷ୍ଟ ମାସର ୨୫ ତାରିଖ।

ସାଲ ? ସତ କହିବ । ଇଙ୍ଗିତ ନୁହଁ।
୧୮୩୦ ଖ୍ରୀଷ୍ଟାବ୍ଦ ।

ରାଜା ଉଇଲିୟମ ପ୍ରଥମଙ୍କ ଜନ୍ମଦିନକୁ ମହାଧୂମଧାମରେ ପାଳନ କରାଯାଇଥିଲା । ଉତ୍ସବ ପାଳନ କରିବା ଅବସରରେ କୌଣସି ବଳାତ୍କାରୀକୁ ତାହାର ବନ୍ଦୀଦଶାରୁ ମୁକ୍ତ କରାଯାଇ ନଥିଲା । ଏମିତିରେ ଦେଖିଲେ ସେତେବେଳେ ରାଜାମାନେ ବନ୍ଦୀମାନଙ୍କୁ ନେଇ ଆଦୌ ଉଦାର ନଥିଲେ। ରାଜାଙ୍କ ଜନ୍ମଦିନରେ ଉତ୍ସବ ପାଳନ କରିବା ସମୟରେ ସେତେବେଳେ ଯେଉଁମାନେ ରାଜଦ୍ରୋହରେ ବିଶେଷତଃ ଅଭିଯୁକ୍ତ ହୋଇ କାରାଗାରରେ ବନ୍ଦୀ ହୋଇ ରହୁଥିଲେ ସେମାନଙ୍କୁ ଯଥାବିଧି କଠୋର ଦଣ୍ଡ ପ୍ରଦାନ କରାଯାଉଥିଲା ।

ରାଜଦ୍ରୋହୀମାନଙ୍କୁ ଦଣ୍ଡ ? ବାଃ ଅତ୍ୟନ୍ତ ଉତ୍ତମ କଥା । କିପରି ସେ ଦଣ୍ଡ ? ଆମେ ଏବେ ବିନା ବିଚାରରେ ଯେଉଁମାନଙ୍କୁ ରାଜଦ୍ରୋହୀ କହି ବନ୍ଦୀଶାଳାରେ ବର୍ଷ ପରେ ବର୍ଷ ରଖିଛୁ ସେମାନଙ୍କ ସମର୍ଥନରେ  ତମର ଏଇ ଲେଖା ଉଦ୍ଦିଷ୍ଟ ନୁହଁ ତ ? ନା । ନା।

ରାଜଦ୍ରୋହ ପାଇଁ କେମିତି ଦଣ୍ଡ ଥିଲା ସେତେବେଳେ ? ବିନା ଇଙ୍ଗିତରେ ସିଧା କୁହ।

ରାଜଦ୍ରୋହୀକୁ ଦଣ୍ଡ ଦେବା ବେଳେ ସେ ସମୟରେ ରାଜା ଏବଂ ତାଙ୍କର କ୍ଷମତାବଳୟରେ ଯେଉଁମାନେ ଥିଲେ ସେମାନଙ୍କର ବିଭତ୍ସତାକୁ ଆମେ ଯେତେ ଦୂର ପର୍ଯ୍ୟନ୍ତ କଳ୍ପନା କରିପାରିବା  ସେ ସମସ୍ତର ନିରଙ୍କୁଶ ପ୍ରୟୋଗ ରାଜଦ୍ରୋହୀକୁ ଦଣ୍ଡ ପ୍ରଦାନ କରିବା ବେଳେ ଦେଖାଯାଉଥିଲା । ରାଜଦ୍ରୋହୀକୁ ଦଣ୍ଡ ଦେବା ବେଳେ କହିବାକୁ ଗଲେ ଦୁଇଟି କଥା ପ୍ରମୁଖ ଭାବରେ ଦେଖାଯାଉଥିଲା। ତାହା ହେଉଛି ପ୍ରଥମରେ ବିଭତ୍ସତା ଆଉ ଦ୍ୱିତୀୟରେ ହେଉଛି ଉତ୍ସବ । ଏମିତିରେ କହିଲେ ରାଜା ଜଣକ ଯେତେ ଧର୍ମାଚାରୀ ଆଉ ଶାନ୍ତିପ୍ରିୟ ବୋଲି ପ୍ରଜାକୂଳର ସମର୍ଥନ ପାଇଥାଉ, ଆବହମାନ କାଳରୁ ରାଜଦ୍ରୋହୀର ଦଣ୍ଡ ସବୁବେଳେ ହେଉଛି ମୃତ୍ୟୁ । ଜୀବନକୁ ଯଥାସମ୍ଭବ ବିଭତ୍ସ କରି ମୃତ୍ୟୁଟିଏ ସଂରଚନା କଲେ ତାହା ପ୍ରଭାବୀ ହେବ ଆଉ ତାହା ଉତ୍ସବ ଭଳି ଲାଗିପାରେ । ଫାଶି ଦେଇଦେଲେ କି ହଠାତ୍ ଗୁଳି ଫାଏର୍ କରିଦେଲେ ସେଥିରେ କେତେବା ଉତ୍ସବର ପରିମାଣ ରହିବ ?

ରାଜଦ୍ରୋହୀକୁ ତେଣୁ ପ୍ରକାଶ୍ୟରେ ଜନସାଧାରଣଙ୍କ ସମକ୍ଷରେ ମୃତ୍ୟୁଦଣ୍ଡ ଦିଆଯାଉଥିଲା ଆଉ ଏହି ମୃତ୍ୟୁଦଣ୍ଡ ଯେମିତି ଦୀର୍ଘ ସମୟ ଧରି ବିଭତ୍ସତାକୁ ପରିପ୍ରକାଶ କରିପାରେ ତାହାର ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯାଉଥିଲା । କହିବା କଥା ହେଉଛି ପ୍ରକାଶ୍ୟରେ ଦଣ୍ଡ ଆକାରରେ ମୃତ୍ୟୁର ଏକ ବିଭତ୍ସ ଆଉ ଭୟାବହ ରୂପ ସର୍ବସାଧାରଣଙ୍କ ସାମ୍ନାରେ ପ୍ରସ୍ତୁତ କରିବା ରାଜତନ୍ତ୍ରର ବିଶେଷ ଆବଶ୍ୟକତା ଥିଲା । ରାଜତନ୍ତ୍ର ସବୁବେଳେ ସନ୍ତ୍ରାସର ଭିତ୍ତିଭୂମୀ ଉପରେ ଅଧିଷ୍ଠିତ ହୋଇଥାଏ । ତେଣୁ ମଝିରେ ମଝିରେ ଏହି ସନ୍ତ୍ରାସର ରକ୍ଷଣାବେକ୍ଷଣ ହେବା ଅପରିହାର୍ଯ୍ୟ।

ଏବେ ମୂଳକୁ ଫେରିବା ହୁଅନ୍ତୁ । ମୂଳ ମାନେ ସେହି ରାଜା ,ବେଲଜିଅମର ରାଜା ଉଇଲିଅମ ପ୍ରଥମ, ୧୮୨୫ ମସିହାର ଅଗଷ୍ଟ ମାସର ୨୫ ତାରିଖ ଦିନ ଯାହାର ଜନ୍ମଦିନ ପଡିଥିଲା ଆଉ ସେଠିକାର ଲୋକେ ମହା ଧୂମଧାମରେ ରାଜାଙ୍କର ଜନ୍ମଦିନକୁ ମହାସମାରୋହରେ ପାଳନ କରିବାକୁ ଲାଗିଥିଲେ ।

ତାହାହେଲେ କ’ଣ ରାଜା ଉଇଲିଅମ୍ ପ୍ରଥମ ଜଣେ ପ୍ରଜାନୁରଞ୍ଜକ ଅତ୍ୟନ୍ତ ଜନପ୍ରିୟ ଥିଲେ ?

ରାଜା ମାନେ ନିଜର ସିଂହାସନରେ ବସିଥିବା ସମୟ ତକ ନିଶ୍ଚିତ ଭାବରେ ଜନପ୍ରିୟ ହୋଇ ରହିଥାନ୍ତି । ଯଦିଓ ଏ ସମ୍ପର୍କରେ ଇତିହାସ ପ୍ରସିଦ୍ଧ ନେପୋଲିଅନ ବୋନାପାର୍ଟଙ୍କର ଗୋଟିଏ ଭିନ୍ନ ମନ୍ତବ୍ୟ ରହିଛି । ନେପୋଲିଅନ ଯେତେବେଳେ ଫ୍ରାନ୍ସର ସମ୍ରାଟ ଥିଲେ ସେତେବେଳେ ସ୍ପେନ୍ ର ସମ୍ରାଟ ଥିଲେ ତାଙ୍କର ସାନ ଭାଇ ଜେରୋମ ବୋନାପାର୍ଟ । ସେସମୟରେ ଜେରୋମ୍ ଥରେ ବଡଭାଇ ନେପୋଲିଅନଙ୍କୁ ଗୋଟିଏ ଚିଠିରେ ଲେଖିଥିଲେ,ଭାଇ ଯାହା କହ ,ଏଠିକାର ପ୍ରଜାଏ ମୋତେ ଭାରି ଭଲ ବୋଲି କହୁଛନ୍ତି,ଭାରି ସୁଖ ପାଉଛନ୍ତି । ଜେରୋମ୍ ଙ୍କ ଚିଠିର ଉତ୍ତରରେ ନେପୋଲିଅନ ଲେଖିଥିଲେ,ମୁଁ ଭାବୁଛି ଯଦି ପ୍ରଜାଏ ତୋତେ ଭଲ ରାଜା ବୋଲି କହୁଛନ୍ତି ତାହାହେଲେ ଜଣେ ରାଜା ହିସାବରେ ତୁ ସମ୍ପୂର୍ଣ୍ଣ ବିଫଳ ।

ଜେରୋମ ଆଉ ନେପୋଲିଅନଙ୍କ ଭିତରେ ହୋଇଥିବା ଏଇ ପତ୍ରାଚାରରୁ ଭଲ ରାଜା ବନାମ ସନ୍ତ୍ରାସର ପରିଭାଷାକୁ ସହଜରେ ବୁଝି ହୁଏ ।

ସେ ଯାହା ହେଉ ସେଦିନ କିନ୍ତୁ ରାଜଧାନୀ ବ୍ରସେଲସ୍ ଠାରେ ରାଜାଙ୍କ ଜନ୍ମଦିନ ଉପଲକ୍ଷେ ରାଜାଙ୍କ ସମ୍ମାନାର୍ଥେ ଗୋଟିଏ ନାଟକ ର ମଂଚନ କରାଯାଇଥିଲା । ବ୍ରସେଲସ୍ ର ପ୍ରଖ୍ୟାତ ନାଟ୍ୟଦଳ ” ଥିଏଟରେ ରୟାଲେ ଦେ ଲା ମୋନାଇ” ଯାହା ରାଜକୀୟ ପୃଷ୍ଠପୋଷକତା ରେ ପରିଚାଳିତ ସେଦିନ ସେସମୟ ର ଗୋଟିଏ ଚର୍ଚ୍ଚିତ ଅପେରା “ମୁଏଟେ ଦି ପୋଟିକି” ଅର୍ଥାତ୍ ” ପୋଟିକିର ମୂକ କିଶୋରୀ” ର ଅଭିନୟ ପ୍ରଦର୍ଶନ କରିଥିଲେ । ପ୍ରଜାମାନେ ମୂକ କିଶୋରୀ ର ଅଭିନୟରେ ଯଥେଷ୍ଟ ମୁଗ୍ଧ ହୋଇଥିଲେ ।

ରାଜା ଉଇଲିଅମ ପ୍ରଥମଙ୍କ ଜନ୍ମଦିନରେ ତାଙ୍କର ସମ୍ମାନାର୍ଥେ ମଞ୍ଚସ୍ଥ ହୋଇଥିବା ନାଟକ ରେ ସେହି ମୂକ କିଶୋରୀର ଅଭିନୟ କେଉଁଭଳି ପ୍ରଭାବ ପକାଇଥିଲା ସେକଥା ଜଣା ପଡିଥିଲା ସେଦିନ ରାତି ଅଧରେ, ନାଟକ ଶେଷ ହେବା ପରେ ।

ରାତି ଅଧରେ ନାଟକ ଶେଷ ହେବା ପରେ ବ୍ରୁସେଲସ୍ ର ଶହ ଶହ ଜନତା ମଶାଲ ହାତରେ ବାହାରି ଆସିଥିଲେ ହାତରେ ଥିଲା ପ୍ଲାକାର୍ଡ,ପୋଟିକିର ମୂକ କିଶୋରୀର ସଂଗ୍ରାମ ସଫଳ ହେଉ ।

ସେଦିନ ମଞ୍ଚସ୍ଥ ହୋଇଥିବା ନାଟକର କାହାଣୀ ଏକ ଐତିହାସିକ କାହାଣୀ ଥିଲା ।ଏହା ସେତେବେଳକୁ ପ୍ରାୟ ଦୁଇଶହ ବର୍ଷ ତଳର କାହାଣୀ । ପୋଟିକିର ସେହି ମୂକ କିଶୋରୀ ନିମ୍ନ ବର୍ଗୀୟ ମତ୍ସଜୀବୀ ସମ୍ପ୍ରଦାୟର ଆଉ ୧୬୪୭ ଖ୍ରୀଅରେ ସେହି ସମ୍ପ୍ରଦାୟ ନେପଲସ୍ ର ସ୍ପେନୀୟ ରାଜାଙ୍କ ସ୍ୱୈରାଚାରିତାର ବିରୁଦ୍ଧରେ ଆନ୍ଦୋଳନ କରି ତାହାକୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଥିଲା । ସେହି ଆନ୍ଦୋଳନରେ ପୋଟିକିର ସେହି ମୂକ କିଶୋରୀର ପ୍ରମୁଖ ଭୂମିକା ଥିଲା ।

ପୋଟିକିର ସେହି ମୂକ କିଶୋରୀଟି ଦୁଇଶହ ବର୍ଷ ପରେ ହଠାତ୍ ସେଦିନ କେମିତି ବ୍ରୁସେଲସରେ ରାଜା ଉଇଲିଅମ ପ୍ରଥମଙ୍କ ଶାସନ ବିରୁଦ୍ଧରେ ପ୍ରତିବାଦ ଏବଂ ବିଦ୍ରୋହର ସଶକ୍ତ ପ୍ରତୀକ ପାଲଟି ଗଲା ତାହାର ସବିଶେଷ କାରଣ ଖୋଜିଲେ ଏତିକି ମାତ୍ର କୁହାଯାଇ ପାରିବ ଯେ ,ସ୍ୱୈରାଚାରୀତାର ବିରୁଦ୍ଧରେ ଯେଉଁ ବିଦ୍ରୋହ ଆଉ ପ୍ରତିବାଦ ସଂଘଟିତ ହୋଇଥାଏ ତାହାର ପ୍ରୟୋଜନ ଥାଏ ସବୁବେଳେ ଗୋଟିଏ ସ୍ଫୁଲିଙ୍ଗର ଆଉ ସେହି ସ୍ଫୁଲିଙ୍ଗ ଟିକକ କେଉଁଠୁ କେମିତି ଆଉ କେବେ ଆସେ ତାହା କାହାରିକୁ ଗୋଚର ନୁହଁ।

ରାଜା ଉଇଲିଅମ ପ୍ରଥମଙ୍କ ସେଇଟି ରାଜା ଆକାରରେ ଶେଷ ଜନ୍ମଦିନ ଥିଲା । ମହାସମାରୋହରେ ସେଦିନ ଜନ୍ମଦିନ ପାଳନ ପରେ ସେହି ସ୍ୱୈରାଚାରୀ ସମ୍ରାଟ କୁ ସାଧାରଣ ଜନତା ଗାଦିଚ୍ୟୁତ କରିଦେଇଥିଲେ ।

ତାହାହେଲେ କ’ଣ ସମସ୍ତେ ସବୁବେଳେ ଗୋଟିଏ ସ୍ଫୁଲିଙ୍ଗର ଅପେକ୍ଷାରେ ରହିଥାନ୍ତି ?

ମୂକ କିଶୋରୀ ମୁଁ ।

ଏହା ପରେ କୌଣସି କାହାଣୀ ଭିତରକୁ ପ୍ରବେଶ କରି ଭବିତବ୍ୟକୁ ଏମିତି ବଲବଲ କରି ଚାହିଁବା ବ୍ୟତିତ ମୋର ଆଉ କ’ଣ କରିବାର ଅଛି ଯେ ?

Comments are closed.