Latest Odisha News

BREAKING NEWS

ଦିଲ୍ଲୀରୁ ଫେରିବା ପରେ ଜୋଶରେ ଜୟନାରାୟଣ, ବିଜେଡି କହିଲା ‘ବାହାସ୍ପୋଟ’

ଭୁବନେଶ୍ୱର: ଫୁଲ୍ ଜୋଶରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ନୂଆଦିଲ୍ଲୀ ଗସ୍ତରେ ଯାଇ ଦଳର ଶୀର୍ଷ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ସଭାପତି ଜେ.ପି ନଡ୍ଜାଙ୍କୁ ଭେଟିବା ପରେ ଭୁବନେଶ୍ୱର ଫେରିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର। ଶୀର୍ଷ ନେତୃତ୍ବକୁ ଭେଟି ଫେରିବା ପରେ ଜୟନାରାୟଣ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ୨୦୨୪ରେ ଆମେ ସରକାର ଗଢିବୁ। ଏଥିପାଇଁ ଅମଳ ଆରମ୍ଭ ହୋଇଯାଇଛି। ହେଲେ ଫଳ ଧରିନି ବୋଲି ଏହା ଆଖିକୁ ଦେଖାଯାଉନି। ଭଲ ଫସଲ ପାଇଁ ଯେପରି ଚାଷରେ ବିଭିନ୍ନ କାମ କରିବାକୁ ପଡେ ଠିକ୍ ସମାନ କାମ ରାଜ୍ୟ ବିଜେପି ମଧ୍ୟ କରୁଛି ବୋଲି ଜୟ ନାରାୟଣ କହିଛନ୍ତି। ସେପଟେ ବିଜେଡି ଏବଂ କଂଗ୍ରେସ ଜୟନାରାୟଣଙ୍କ କଥାକୁ ପ୍ରତିକ୍ରିୟା ରଖିଛନ୍ତି।

ଜୟ ନାରାୟଣ କହିଛନ୍ତି, ୨୦୨୪ରେ ଆମେ ଓଡ଼ିଶାରେ ସରକାରକୁ ଗଢ଼ିବୁ। ଯେମିତି ଭଲ ଫସଲ ପାଇଁ ଚାଷ କାମ ଭଲ ଭାବ କରିବାକୁ ପଡେ ଠିକ୍ ସେମିତି ରାଜ୍ୟ ବିଜେପି କିପରି ନିର୍ବାଚନରେ ଅଧିକ ଆସନ ପାଇ ଭୋଟ୍ ହାତେଇବ ସେ ନେଇ ପ୍ରସ୍ତୁତ ହେଉଛି। ଫସଲ ଅମଳ ପାଇଁ ଯେମିତି ଚାଷ କାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟ ରହିଛି। ଠିକ୍ ସେମିତି ସରକାର ଆଣିବା ପାଇଁ ବିଭିନ୍ନ ପର୍ଯ୍ୟାୟ ଦେଇ ଯାଉଛୁ। ଗୋଟିଏ ଦିନରେ ସବୁ କିଛି କରି ହୁଏ ନାହିଁ ତେଣୁ ଧୌର୍ଯ୍ୟ ଧରିବାକୁ ହେବ ଏବଂ ପର୍ଯ୍ୟାୟ କ୍ରମେ କାମ କଲେ ସଫଳ ହୋଇପାରିବା।

ଓଡ଼ିଶାରେ ଦୁର୍ନୀତି ଚରମ ସୀମା ରେ ପହଂଚିଛି। ସିବିଆଇ ଏବଂ ଇଡି ରାଜ୍ୟରେ ତଦନ୍ତ କରି ଦୁର୍ନୀତିର ପର୍ଦ୍ଦାଫାଶ କରିବା ଉଚିତ ହେବ। ତେବେ ଇଡି ଏବଂ ସିବିଆଇ ଆସିବ କି ନାହିଁ ତାହା ସେ କହିପାରିବେ ନାହଁ ବୋଲି କହିଛନ୍ତି। ସେ ସିବିଆଇର ମୁଖପାତ୍ର ନୁହନ୍ତି ବୋଲି କହି ଏହି ପ୍ରସଙ୍ଗକୁ ଆଡେଇ ଦେଇଛନ୍ତି। ଏଥିସହ କହିଛନ୍ତି, ସିବିଆଇ-ଇଡ଼ି ବିଜେପିର ରାଜନୈତିକ ଅସ୍ତ୍ର ନୁହେଁ। ଦଳୀୟ କର୍ମୀଙ୍କ ପରିଶ୍ରମରେ ଆମେ ସରକାର ଗଢିବୁ।

ସେପଟେ ବିଜେଡି ବିଧାୟକ ସରୋଜ ମେହେର ଜୟନାରାୟଣଙ୍କ ପ୍ରତିକ୍ରିୟାର ଜବାବ ଦେବାକୁ ଯାଇ କହିଛନ୍ତି, ବିଜେପିର ୨୦୧୯ରେ ମିଶନ ୧୨୦ ଥିଲା, ସେମାନେ କେତେ ଜିତିଲେ ଜାଣନ୍ତି। ୨୦୨୪ ଫଳାଫଳ ଲାଗି ଯାହା କହୁଛନ୍ତି ତାହା ଏକରକମ ଦିବାସ୍ପପ୍ନ ଛଡ଼ା ଆଉ କିଛି ନୁହେଁ। ନିକଟରେ ହୋଇଥିବା ସମସ୍ତ ନିର୍ବାଚନରେ ବିଜେଡି ବିଜୟୀ ହୋଇଛି। ରାଜ୍ୟବାସୀ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ରଖିଛନ୍ତି। ତେଣୁ ବିଜେପି ଯାହା କହୁଛି ତାହା ବାହାସ୍ଫୋଟ ଛଡା ଆଉ କିଛି ନୁହେଁ ବୋଲି ସରୋଜ ମେହେର କହିଛନ୍ତି।

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି,  ୨୦୨୪ରେ ଦେଶରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ସରକାର ଗଢ଼ିବ। ଆଉ ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବେ। ଓଡିଶାରେ ୯ଟି ଆସନରୁ ବଢି ୯୦ଟି ଆସନରେ ବିଜୟୀ ହେବୁ । ଆଗାମୀ ଦିନରେ ଓଡିଶାବାସୀଙ୍କ ଆଶୀର୍ବାଦରେ ଓଡିଶାରେ କଂଗ୍ରେସ ସରକାର ଗଢିବ କଂଗ୍ରେସ।

Leave A Reply

Your email address will not be published.