Latest Odisha News

କୋଭିଡ୍ କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ପାଇଁ ଆସିବ ସ୍ୱତନ୍ତ୍ର ନୀତି: 5T ସଚିବ

ଭୁବନେଶ୍ୱର: 5T ସଚିବ ଭିକେ ପାଣ୍ଡିଆନ୍ ଆଜି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ କରିଛନ୍ତି । ଗସ୍ତ ଅବସରରେ 5T ସଚିବ ପାଣ୍ଡିଆନ୍ ଶିଳ୍ପଦ୍ୟୋଗୀ ଓ, କର୍ମଚାରୀ ଓ ସ୍ଥାନୀୟ ଲୋଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଭି.କେ ପାଣ୍ଡିଆନ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଫୁଡ୍ ପାର୍କ, ଆଇ.ଆଇ.ଡି ଖୋର୍ଦ୍ଧା ଓ ଜୟମଙ୍ଗଳ ଶିଳ୍ପାଞ୍ଚଳ ଗସ୍ତ କରିଥିଲେ ।

ସମସ୍ତଙ୍କ ସହ ଆଲୋଚନା ପରେ ପାଣ୍ଡିଆନ୍ ସମସ୍ତ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ଶିଳ୍ପ ବିଭାଗ ଓ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳର ପ୍ରାୟ ୫୦ ଜଣ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ଏବଂ ସେମାନଙ୍କ ସଂଘର କର୍ମକର୍ତ୍ତାମାନେ ଆଲୋଚନାରେ ଭାଗ ନେଇଥିଲେ । ଏଥିରେ ବିଜୁଳି ଓ ପାଣି ଯୋଗାଣରେ ଉନ୍ନତି, ଟ୍ରକ ଗୁଡିକର ପାର୍କିଂ ସମସ୍ୟା, ଶ୍ରମିକ ମାନଙ୍କ ପାଇଁ ହଷ୍ଟେଲ, ଟ୍ରାଫିକ ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ସବୁ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟରେ ଦୁଇ ହଜାରରୁ ତିନି ହଜାର ଶ୍ରମିକ ରହିବା ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।

କୋଭିଡ୍ ମହାମାରୀ ସମୟରେ ଅନେକ ଶିଳ୍ପାନୁଷ୍ଠାନ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏହି କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ଆସିବ ବୋଲି 5T ସଚିବ କହିଛନ୍ତି । ବୈଠକରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା ।

ଏହାପରେ ପାଣ୍ଡିଆନ୍ ଜୟମଙ୍ଗଳ ଶିଳ୍ପାଞ୍ଚଳ ପରିଦର୍ଶନ କରିଥିଲେ । ସେଠାରେ ସେ କୋଭିଡ୍ ମହାମାରୀ ସମୟରେ ଚାକିରି ଛାଡ଼ିଥିବା ଉଚ୍ଚଶିକ୍ଷିତ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଗ୍ରାଜୁଏଟ ମାନଙ୍କ ସହିତ ଆଲୋଚନା କରିଥିଲେ । ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସେମାନଙ୍କର ଉଦ୍ୟମରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ ବୋଲି ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.