ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ୱରରେ ସଫଳତାର ସହିତ ପ୍ରଥମ କିଡନୀ ପ୍ରତିରୋପଣ ସମ୍ପନ୍ନ ହୋଇଛି । ଅଗଷ୍ଟ ୩୦ ତାରିଖରେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ କିଡନୀ ପ୍ରତିରୋପଣ ସଫଳ ହୋଇଛି । ଏମ୍ସରେ ହୋଇଥିବା ପ୍ରଥମ ପ୍ରତିରୋପଣ ପିତା ପୁତ୍ରଙ୍କ ମଧ୍ୟରେ ହୋଇଥିଲା । ଅସୁସ୍ଥ ପୁଅଙ୍କୁ ପିତା ନିଜ କିଡନୀ ଦାନ କରିଥିଲେ । ତେବେ ପ୍ରତିରୋପଣ ପରେ ଉଭୟ ପିତା ପୁତ୍ର ସୁସ୍ଥ ଅଛନ୍ତି ।
କିଡନୀ ଦାତାଙ୍କୁ ପ୍ରତିରୋପଣର ତୃତୀୟ ଦିନରେ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରା ଯାଇଥିଲା । ସେହିପରି କିଡନୀ ପ୍ରତିରୋପଣ ହୋଇଥିବା ଯୁବକଙ୍କୁ ମଧ୍ୟ ଇତି ମଧ୍ୟରେ ଡିସ୍ଚାର୍ଜ କରାଯାଇଛି। ଡିସଚାର୍ଜ ପରେ ଯୁବକଙ୍କ ପରିସ୍ରା ଫଳାଫଳ, ରକ୍ତ ପରୀକ୍ଷା ଫଳ ଏବଂ କ୍ରିଏଟିନାଇନ୍ ସ୍ତର ସାଧାରଣ ରହିଥିବା ଚିକିତ୍ସକମାନେ ପ୍ରକାଶ କରିଛନ୍ତି । ଉଭୟ ସୁସ୍ଥ ଥିବାରୁ ଏହି ପ୍ରତିରୋପଣରେ ସାମିଲ ଡାକ୍ତରୀ ଦଳ ସନ୍ତୋଷ ପ୍ରକାଶ କରିଛନ୍ତି ।
ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡ. ଆଶୁତୋଷ ବିଶ୍ୱାସ ପ୍ରଥମ ସଫଳ କିଡନୀ ପ୍ରତିରୋପଣରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଏଥିରେ ସାମିଲ୍ ଡାକ୍ତରୀ ଦଳ ଏବଂ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଡ. ବିଶ୍ବାସ କହିଛନ୍ତି, ମଧୁମେହ(ଡାଇବେଟିସ୍), ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ କିଡନୀ ରୋଗର ବୃଦ୍ଧି ସହିତ ସମାଜରେ କ୍ରୋନିକ୍ କିଡନୀ ରୋଗ (ସିକେଡି) ସଂଖ୍ୟା ବୃଦ୍ଧି ପାଉଛି । ଏଣୁ ପୂର୍ବ ଭାରତରେ ବୃକକ୍ ପ୍ରତିରୋପଣ ସେବାର ଆବଶ୍ୟକତା ବୃଦ୍ଧି ପାଉଛି ।
ଘରୋଇ ଡାକ୍ତରଖାନାଗୁଡ଼ିକରେ ପ୍ରତିରୋପଣ ପ୍ରକ୍ରିୟା ବ୍ୟୟ ବହୁଳ । ମାତ୍ର ଏମ୍ସରେ ଏହି ସେବା ଆରମ୍ଭ ହେବାରୁ ସମାଜର ସମସ୍ତ ବର୍ଗର ଲୋକ ସୁଲଭ ମୂଲ୍ୟରେ ପ୍ରତିରୋପଣ ସେବାର ଲାଭ ନେବା ସହିତ ସୁସ୍ଥ ରହିପାରିବେ । ଏଥି ସହିତ ଏମ୍ସ ଭୁବନେଶ୍ୱର ନିକଟ ଭବିଷ୍ୟତରେ ଯକୃତ ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ଆରମ୍ଭ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ଡ. ବିଶ୍ୱାସ ସୂଚନା ଦେଇଛନ୍ତି ।
କିଡ୍ନୀ ପ୍ରତିରୋପଣ ଆରମ୍ଭ କରିଥିବାରୁ ଏମ୍ସ ଭୁବନେଶ୍ୱର ପ୍ରେସିଡେଣ୍ଟ୍ ପ୍ରଫେସର ଡ. ସୁବ୍ରତ ଆଚାର୍ଯ୍ୟ ମଧ୍ୟ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ମେଡିକାଲ୍ ଅଧୀକ୍ଷକ ଡ. ଏସ୍ ଏନ୍ ମହାନ୍ତି ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି ।
କିଡ୍ନୀ ପ୍ରତିରୋପଣ କରିଥିବା ଡାକ୍ତରୀ ଦଳରେ ନେଫ୍ରୋଲୋଜି (ବୃକକ୍) ବିଭାଗର ଡ. ସନ୍ଦୀପ ପଣ୍ଡା ନେତୃତ୍ୱ ନେଇଥିଲେ। ସେହିପରି ସର୍ଜିକାଲ ଟିମର ମୁଖ୍ୟ ୟୁରୋଲୋଜି ବିଭାଗ ମୁଖ୍ୟ ଡ. ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ. ମନୋଜ ଦାସ, ଡ. ସ୍ବର୍ଣ୍ଣେନ୍ଦୁ ମଣ୍ଡଳ, ଡ. ସମ୍ବିତ ତ୍ରିପାଠୀ ପ୍ରମୁଖ ଡାକ୍ତରୀ ଦଳର ଅଂଶ ଥିଲେ। ଏଥିସହିତ ଅନ୍ତଃଅନୁଷ୍ଠାନ ସହଯୋଗ ସ୍ବରୂପ ପିଜିଆଇଏମ୍ଇଆର୍ ଚଣ୍ଡିଗଡ଼ର ପ୍ରଫେସର ଦୀପେଶ ବେଞ୍ଜାମିନ୍ କେନୱାର ଏମ୍ସରେ ହୋଇଥିବା କିଡନୀ ପ୍ରତିରୋପଣରେ ପରାମର୍ଶ ଦେବା ନିମନ୍ତେ ଉପସ୍ଥିତ ଥିଲେ ।
ପ୍ରଫେସର ସତ୍ୟଜିତ ମିଶ୍ରଙ୍କ ନେତୃତ୍ୱରେ ଆନାସ୍ଥେସିଆ(ନିଶ୍ଚେତକ) ଦଳରେ ଡ. ଭାସ୍କର ରାଓ ଏବଂ ଡ. ସୌମ୍ୟ ସରକାର ସାମିଲ ଥିଲେ। ପ୍ରତିରୋପଣ ସଂଯୋଜକ ନିରଞ୍ଜନ ପରମାଣିକଙ୍କ ସମେତ ଓଟି ଏବଂ ଟ୍ରାନ୍ସପ୍ଲାଣ୍ଟ୍ ଆଇସିୟୁ କର୍ମଚାରୀ ଏହି ପ୍ରତିରୋପଣରେ ସହଯୋଗ କରିଥିଲେ । ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରିଥିବାରୁ ଏମ୍ସ ଭୁବନେଶ୍ୱରର ପ୍ରାଶାସନିକ ଦଳର ଉଦ୍ୟମକୁ ନିର୍ଦ୍ଦେଶକ ଡ. ବିଶ୍ବାସ ପ୍ରଶଂସା କରିଛନ୍ତି। କିଡ୍ନୀ ପ୍ରତିରୋପଣ ନିମନ୍ତେ ଏମ୍ସରେ ସଂଖ୍ୟାଧିକ ରୋଗୀ ପଞ୍ଜିକରଣ କରୁଛନ୍ତି ।