Latest Odisha News

BREAKING NEWS

କଂଗ୍ରେସରେ ଅଧ୍ୟକ୍ଷ ପଦ ନିର୍ବାଚନ ପରେ ରାଜସ୍ଥାନ କଂଗ୍ରେସରେ ଭୂକମ୍ପ ଆଶଙ୍କା !

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଦେଶର ସର୍ବ ପୂରାତନ ରାଜନୈତିକ ଦଳ କଂଗ୍ରେସରେ ଅଧ୍ୟକ୍ଷ ପଦ ପାଇଁ  ନିର୍ବାଚନ ହେବାକୁ ଯାଉଥିବାରୁ ଏହାକୁ ନେଇ ବର୍ତ୍ତମାନ ସବୁ ଆଡେ ଜୋରଦାର ଚର୍ଚ୍ଚା ହେବାକୁ  ଲାଗିଛି  ।

ଠିକ ଏହି ସମୟରେ ସବୁଠୁ ଅଧିକ ହଲଚଲ ରାଜସ୍ଥାନ କଂଗ୍ରେସରେ ଦେଖିବାକୁ ମିଳିଛି। କାରଣ ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ତଥା  ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନରେ ଲଢିବାକୁ ଯାଉଛନ୍ତି। ଗେହଲଟଙ୍କ ଚର୍ଚ୍ଚା ବର୍ତ୍ତମାନ ସବୁଆଡେ।  କିନ୍ତୁ ଏବେ ତାଙ୍କ ନାମକୁ ନେଇ ଯେତିକି ଚର୍ଚ୍ଚା ହେଉଛି ସେ ସେତିକି ଚିନ୍ତିତ ମଧ୍ୟ ଅଛନ୍ତି  । ଗେହଲଟ ଏବେ ଏକ ଅଡୁଆରେ ପଡିଛନ୍ତି ,  କାରଣ ଗେହଲଟ ମୁଖ୍ୟମନ୍ତ୍ରୀ ପଦର ମୋହ ଏଯାବତ ଛାଡି ପାରୁ ନାହାନ୍ତି। କାରଣ କଂଗ୍ରେସର ଗୋଟିଏ ମଣିଷ ଗୋଟିଏ ପଦବୀ ନିୟମ ଅନୁସାରେ ଗେହେଲଟ ଯଦି ଅଧ୍ୟକ୍ଷ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିବ  ।

ଜାତୀୟ ଗଣମାଧ୍ୟମ ଓ କଂଗ୍ରେସ ସୂତ୍ର ଅନୁଯାୟୀ, ଅଶୋକ ଗେହଲଟ ବୁଧବାର ସୋନିଆ ଗାନ୍ଧୀଙ୍କୁ ଭେଟିବା ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ନିଜର ଚିନ୍ତା ପ୍ରକାଶ କରିଥିଲେ। ଗେହଲଟ୍ କହିଛନ୍ତି ଯେ, ସେ ଚାହାନ୍ତି ଆଗାମୀ ଫେବୃଆରୀ ପର୍ଯ୍ୟନ୍ତ  ପରବର୍ତ୍ତୀ ବଜେଟ୍ ଉପସ୍ଥାପନ ହେବା ଯାଏଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଦିଆଯାଉ। ଅନ୍ୟଥା ତାଙ୍କର କୌଣସି ଭରସା ଯୋଗ୍ୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଉ। ପରୋକ୍ଷରେ ମାନେ  ଗେହଲଟ କହିବାକୁ ଚାହୁଁଛନ୍ତି ତାଙ୍କ ହାତ ରୁ ମୁଖ୍ୟମନ୍ତ୍ରୀ ପଦଟି ନଯାଉ।  ଆଉ ଯଦି ଭି ଗଲା ଏଭଳି ଲୋକଙ୍କୁ ଦିଆଯାଉ ଯାହାର  ଡୋରି ତାଙ୍କ ହାତରେ ରହିବ । ରାଜସ୍ଥାନ କଂଗ୍ରେସରେ ସଚିନ ପାଇଲଟ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ସୁଯୋଗ ଅପେକ୍ଷାରେ ବସିଛନ୍ତି  । ସେଥିପାଇଁ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଅନେକ ଦିନରୁ ଗୋଷ୍ଟିକନ୍ଦଳ ଲାଗିରହିଛି  ।

ଏହି କାରଣରୁ ଅଶୋକ ଗେହଲଟ ବୁଧବାର ସକାଳେ କହିଥିଲେ, ମୁଁ ପାର୍ଟି ପାଇଁ ଗୋଟିଏ କି ଦୁଇଟି କିମ୍ଵା ତିନୋଟି ପଦ ସମ୍ଭାଳି ପାରିବି ଏବଂ   ସେ ମଧ୍ୟ କହିଥିଲେ ସେ କୌଣସି  ବି ପଦ ଛାଡି ପାରିବେ ନାହିଁ । ତାଙ୍କର ଏହି ଟିପ୍ପଣୀକୁ ମୁଖ୍ୟମନ୍ତ୍ରୀ ପଦରେ ରହିବା ନେଇ ଯୋଡା ଯାଉଛି। ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ଯେ, ଅଶୋକ ଗେହଲଟଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ପରିବର୍ତ୍ତେ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଉ ଏବଂ ମୁଖ୍ୟମନ୍ତ୍ରୀ ପଦରେ ରୁହନ୍ତୁ।

ଯଦି ଏମିତି ହେଲା   ଅଶୋକ ଗେହଲଟଙ୍କ ଇଚ୍ଛା ବି ପୂରଣ ହୋଇ ପାରିବ। ହେଲେ ହାଇକମାଣ୍ଡ ଏମିତି ଚାହୁଁନଥିବା ଜଣା ପଡିଛି। ଏଥିପାଇଁ ଅଶୋକ ଗେହଲଟ ନିଜ ସ୍ଥାନରେ ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି।

ସିପି ଯୋଶୀ ହେଉଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ  ଏବଂ ବର୍ତ୍ତମାନ ରାଜସ୍ଥାନର ବିଧାନସଭାର ବାଚସ୍ପତି ଅଛନ୍ତି । ସେ ରାଜ୍ୟର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ। ତାଙ୍କୁ ରାଜ୍ୟର ଦାୟିତ୍ଵ ମିଳିଲେ ପାର୍ଟିରେ ବିଦ୍ରୋହ କମ ହେବ ବୋଲି ସୋନିଆ ଆଶା ବ୍ୟକ୍ତ କରିଛନ୍ତି । ଏହା ଦ୍ୱାରା ଦଳ ଶୃଙ୍ଖଳିତ ମଧ୍ୟ ରହିବ ବୋଲି ସେ କହିଛନ୍ତି । ଯୋଶୀଙ୍କ ପ୍ରତି ଗେହଲଟ ଗୋଷ୍ଠୀଙ୍କ ପୁରା ସମର୍ଥନ ରହିଛି। ଆଉ କିଛି ବିଧାୟକ ମଧ୍ୟ ଯୋଶୀଙ୍କୁ  ସମର୍ଥନ କରି ପାରନ୍ତି। ଏହି ପରି କଂଗ୍ରେସ ଗେହଲଟଙ୍କୁ ଅଧ୍ୟକ୍ଷ କରିବା ସହିତ ରାଜସ୍ଥାନରେ ଆଭ୍ୟନ୍ତରୀଣ କଳହକୁ ରକ୍ଷା କରି ପାରିବ ବୋଲି ଆଶା କରାଯାଉଛି ।

କିନ୍ତୁ ବିବାଦ ଏଠି ଥମିନି ।  ସଚିନ ପାଇଲଟଙ୍କ ସମର୍ଥକ ମଝିରେ ମଝିରେ ଦାବି କରୁଛନ୍ତି ଯେ, ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। ଏହାସହ ସେ କହୁଛନ୍ତି ସେ ଜଣେ ବ୍ୟକ୍ତି କିପରି ଏତେ ପଦରେ ରହିପାରିବେ ।  ଅଶୋକ ଗେହଲଟଙ୍କୁ ଅଧ୍ୟକ୍ଷ କରାଯିବା ଚର୍ଚ୍ଚା ମଧ୍ୟରେ ପୁଣି ଥରେ ପାଇଲଟ୍ ଗୋଷ୍ଠୀ ସକ୍ରିୟ ହୋଇ ଉଠିଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ସଚିନ ପାଇଲଟ୍ ପଦୁଟିଏ ବି ମୁହଁ ଖୋଲି ନାହାନ୍ତି। କିନ୍ତୁ ତାଙ୍କ ସମର୍ଥକ ଚୁପ ବସି ପାରୁ ନାହାନ୍ତି ।  ୨୦୨୦ରେ ଅଶୋକ ଗେହଲଟଙ୍କ ବିରୋଧରେ ସଚିନ ପାଇଲଟ ମୋର୍ଚ୍ଚା ଖୋଲିଥିଲେ ଏବଂ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ଶାନ୍ତ ହୋଇଥିଲେ। କଂଗ୍ରେସରେ ଅଧ୍ୟକ୍ଷ ପଦ ନିର୍ବାଚନ ପରେ ରାଜସ୍ଥାନ କଂଗ୍ରେସରେ ଭୂକମ୍ପ ଆଶଙ୍କା ଦେଖାଉଛି  ! ତେବେ ପୁଣି ଗେହଲଟ ଆଉ ପାଇଲଟ୍ ମୁହାଁ ମୁହିଁ ହେବେ କି ନାହିଁ  ତାହା ଭବିଷ୍ୟତରେ ହିଁ ଜଣା ପଡିବ ।

Leave A Reply

Your email address will not be published.