Latest Odisha News

BREAKING NEWS

ମଦ୍ୟପାନ ପାଇଁ ଶିକ୍ଷକଙ୍କ ଦସ୍ତାବିଜ ସହ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସର୍ବସ୍ଵ ବିକିଦେଲେ ପିଅନ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଥିବା ପୁରୁଣା ଡିଆଇ ଅଫ୍‌ ସ୍କୁଲ( ଜିଲା ନିରୀକ୍ଷକ ବିଦ୍ୟାଳୟ ସମୂହ) କାର୍ଯ୍ୟାଳୟର ସର୍ବସ୍ଵ ବିକ୍ରି କରି ଦେଇଥିବା  ପିଅନ ଏମ୍‌.ପିତାମ୍ବର(୩୫)ଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନ ଥାନା ପୋଲିସ। ମଦ୍ୟପାନ ପାଇଁ ସେ କାର୍ଯ୍ୟାଳୟର ସମସ୍ତ ସାମଗ୍ରୀ ବିକ୍ରି କରିଦେଇଥିବା କଥା  ସେ  ସ୍ବିକାର କରିଛନ୍ତି।

ଏହି ପୁରୁଣା ଡିଆଇ କାର୍ଯ୍ୟାଳୟ ପରିସରରେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଶାଖା କାର୍ଯ୍ୟାଳୟ ଭାବରେ ମଧ୍ୟ ବ୍ୟବହାର ହେଉଛି। ତେବେ କାର୍ଯ୍ୟାଳୟରୁ ସାମଗ୍ରୀ ଚୋରି ନେଇ ଶୁକ୍ରବାର ଶିକ୍ଷା ବିଭାଗର ସେକସନ ଅଫିସର ଜୟନ୍ତ କୁମାର ସାହୁ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏହି କାର୍ଯ୍ୟାଳୟରେ ଏକମାତ୍ର କର୍ମଚାରୀ ଭାବେ ପିଅନ ପିତାମ୍ବର କାର୍ଯ୍ୟ କରୁଥିଲେ । ଏଣୁ ତାଙ୍କ ଉପରେ ସନ୍ଦେହ ସୃଷ୍ଟି ହେବା ପରେ ପୋଲିସ ଅଟକ ରଖି ପଚରାଉଚରା କରିଥିଲା । ମଦ ପିଇବା ପାଇଁ ପ୍ରାୟ ଦୁଇ ବର୍ଷ ହେଲା ସେ ଗୋଟିଏ ପରେ ଗୋଟିଏ ସାମଗ୍ରୀ ଏକାଧିକ କବାଡିବାଲାଙ୍କୁ ବିକ୍ରି କରିଥିବା ପୋଲିସ ଆଗରେ ବୟାନ ଦେଇଥିଲେ । ୧୯୪୮ରୁ ଏହି କାର୍ଯ୍ୟାଳୟ ସ୍ଥାପନ ହୋଇଥିଲା। ପରବର୍ତ୍ତି ସମୟରେ ଡିଆଇ ନାମ ବଦଳି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ହୋଇଥିଲା । ନୂତନ କାର୍ଯ୍ୟାଳୟକୁ ସ୍ଥାନାନ୍ତର ହେବା ପରେ ଏହି ପୁରୁଣା କାର୍ଯ୍ୟାଳୟଟି ବିଶେଷ ବ୍ୟବହାରରେ ଆସୁନଥିଲା। ତଥାପି ଜିଲାର ହଜାର ହଜାର ଶିକ୍ଷକଙ୍କ ସର୍ଭିସ ବୁକ, ରେକର୍ଡପତ୍ର, ସରକାରୀ ନଥିପତ୍ର ସବୁ ଏହି କାର୍ଯ୍ୟାଳୟର ୩୫ଟି ଆଲମିରାରେ ରହିଥିଲା । ଏଥି ସହିତ କାର୍ଯ୍ୟାଳୟରେ ୧୦ଟି ଚେୟାର, ଏକାଧିକ ଟେବୁଲ ଏବଂ ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ରଖାଯାଇଥିଲା। ପିଅନ ପିତାମ୍ବର ଏକାମତ୍ର କର୍ମଚାରୀ ଭାବେ ଏଠାରେ କାର୍ଯ୍ୟ କରୁଥିଲେ । କାର୍ଯ୍ୟାଳୟର ରକ୍ଷଣାବେକ୍ଷଣ ତାଙ୍କ ଦାୟିତ୍ବରେ ଥିଲା। ସରକାରୀ ଅଧିକାରୀଙ୍କ ଯିବା ଆସିବା ମଧ୍ୟ ନଥିଲା। ନିଜ ଆବଶ୍ୟକତା ଅନୁଯାୟୀ, ଗତ ଦୁଇ ବର୍ଷ ହେଲା ଗୋଟିଏ ପରେ ଗୋଟିଏ ସାମଗ୍ରୀ ବିକ୍ରି କରୁଥିଲେ । ଏପରିକି କାର୍ଯ୍ୟାଳୟର ଝରକା ଓ କବାଟ ମଧ୍ୟ କବାଡିବାଲାଙ୍କୁ ବିକ୍ରି କରିଦେଇଛନ୍ତି। ଦୁଇ ଦିନ ପୂର୍ବେ ସେକସନ ଅଫିସର ଜୟନ୍ତ କୁମାର ସାହୁ ହଠାତ କାର୍ଯ୍ୟାଳୟକୁ ଆସିଥିଲେ । କିନ୍ତୁ କାର୍ଯ୍ୟାଳୟ ଭିତରେ ଗୋଟିଏ ହେଲେ ସାମଗ୍ରୀ ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହିତ ଟାଉନ ଥାନାରେ ଏତଲା ଦେଇଥିଲେ । ପିତାମ୍ବରଙ୍କୁ ଗିରଫ ସହ ତାଙ୍କଠାରୁ ସାମଗ୍ରୀ କିଣିଥିବା ୩ ଜଣ କବାଡିବାଲା ଯଥା ପ୍ରମୋଦ କୁମାର ଗୁପ୍ତା, ଅନୀଲ ଗୁପ୍ତା ଓ କହ୍ନେୟା ଲାଲଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏଥି ସହିତ ଶିକ୍ଷା ବିଭାଗ ତରଫରୁ ପିତାମ୍ବରଙ୍କୁ ନିଲମ୍ବନ କରାଯାଇଛି । ଏ ନେଇ ଜିଲା ଶିକ୍ଷାଧିକାରୀ ବିନିତା ସେନାପତିଙ୍କୁ ଯୋଗାଯୋଗ ବେଳେ ଘଟଣାର ବିଭାଗୀୟ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.