Latest Odisha News

ଯନ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ ବ୍ଲକ୍ କର୍ମଚାରୀ। ବ୍ଲକ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମରା ଓ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗରେ ଚାଲିଛି ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ।

ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ବ୍ଲକର ସମସ୍ତ କର୍ମଚାରୀ। ଅଭିଯୋଗ ମୁତାବକ ଏକ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ବ୍ଲକର କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କ ସହ ସ୍ଥାନୀୟ ହରିପୁର ସରପଞ୍ଚଙ୍କ ବଚସା ହୋଇଥିଲା। ପରେ ବ୍ଲକ ପରିସରରେ ସ୍ଥାନୀୟ ହରିପୁର ସରପଞ୍ଚ ଶର୍ମିଷ୍ଠା ବରାଳ, ତାଙ୍କ ସ୍ବାମୀ ଓ ଅନ୍ୟ କେତେକ ବ୍ୟକ୍ତି କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ। ସେ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏଥିସହିତ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଓ ମାଡ଼ ମାରିବା ଘଟଣାକୁ ବ୍ଲକର ଅନ୍ୟ କର୍ମଚାରୀମାନେ ନିନ୍ଦା କରିଛନ୍ତି। ଏହା ପ୍ରତିବାଦରେ ଆଜିଠାରୁ କାର୍ଯ୍ୟବନ୍ଦ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କର୍ମଚାରୀ ଧାରଣାରେ ବସିଛନ୍ତି। ଯଥାଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ନଚେତ୍ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ବ୍ଲକ କର୍ମଚାରୀ।

ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ହରିପୁର ସରପଞ୍ଚ ଶର୍ମିଷ୍ଠା ବରାଳ। କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ମଦ୍ୟପାନ କରି ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ସୁକିନ୍ଦା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave A Reply

Your email address will not be published.