ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ନନ୍ଦନକାନନ ଏକ୍ସପ୍ରେସର ଫାଷ୍ଟକ୍ଲାସ୍ ବଗିରେ ଆଟେଣ୍ଡାଣ୍ଟ ଭାବେ କାମ କରୁଛନ୍ତି ସାହୁ ବାବୁ। ତାଙ୍କ ପୂରା ନାଁ ସନାତନ ସାହୁ। କେହି କେହି ତାଙ୍କୁ ସନା ବାବୁ ବୋଲି ଡାକନ୍ତି ତ ଆଉ କିଏ ସାହୁ ବାବୁ। ଫାଷ୍ଟକ୍ଲାସ୍ କମ୍ପାର୍ଟମେଣ୍ଟର ଆଟେଣ୍ଡାଣ୍ଟ ମାନେ କିଛି ଛୋଟ କଥା ନୁହେଁ। ତାଙ୍କ ଅନ୍ୟ ସହକର୍ମୀ ଯେଉଁମାନେ ସେକେଣ୍ଡ ଏସି କିମ୍ବା ଥାର୍ଡ ଏସି କମ୍ପାର୍ଟମେଣ୍ଟରେ କାମ କରନ୍ତି, ସେମାନଙ୍କଠାରୁ ନିଜକୁ ଢେର ବଡ଼ ଲୋକ ବୋଲି ଭାବନ୍ତି ସେ। ତେବେ ତାଙ୍କର ଗୋଟିଏ ବିଚିତ୍ର ବୁଦ୍ଧି ଅଛି। ସେଇଟା ଯେ କେହି ଶୁଣିବ, ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବ। ଟ୍ରେନ୍ ମାନେ ତ ଯାତ୍ରୀ ନିଶ୍ଚିତ। ତା ପୁଣି ପ୍ରତିଦିନ ନୂଆ ନୂଆ ଯାତ୍ରୀ। ପ୍ରତିଦିନ ନୂଆ ଲୋକ। ଯେତେ ଯାତ୍ରା, ତାର ହଜାରେ ଗୁଣା ଯାତ୍ରୀ। ତା ଭିତରେ ପୁଣି ଯେଉଁ ଯାତ୍ରୀ ଫାଷ୍ଟକ୍ଲାସରେ ଯାତ୍ରା କରନ୍ତି, ସେମାନଙ୍କ କାଟତି ଆହୁରି କେତେ କଣ। ତେଣୁ କମ୍ପାର୍ଟମେଣ୍ଟକୁ ଯାତ୍ରୀ ଉଠିବା କ୍ଷଣି, ସାହୁ ବାବୁ ଏକ ବିରାଟ ସ୍ମିତ ହାସ୍ୟ ସହିତ ଗୋଟାଏ ଲମ୍ବା ଚଉଡ଼ା ନମସ୍କାର ପକାନ୍ତି ଯାତ୍ରୀଙ୍କୁ। ତା ପରେ ସେମାନଙ୍କ କ୍ୟୁବିକଲ୍ ଭିତରକୁ ଯାଇ ଏମିତି କଥାବାର୍ତ୍ତା କରନ୍ତି, ସତେ ଯେମିତି ସେ ଏହି ଯାତ୍ରୀଙ୍କୁ ବର୍ଷ ବର୍ଷ ଧରି ଜାଣିଛନ୍ତି। ଏପରିକି ସେ ଏମିତି ବ୍ୟବହାର କରନ୍ତି, ଯେମିତି ଏହି ଯାତ୍ରୀ କାହିଁ କେଉଁ ଅନନ୍ତ କାଳରୁ ତାଙ୍କର ନିୟମିତ ଗ୍ରାହକ। ତାଙ୍କ ସହିତ ପ୍ରତିଦିନ ଦେଖା ହେଉଛି। ଲୋକମାନେ ଆଶ୍ଚର୍ଯ୍ୟ ହୁଅନ୍ତି। ଚିହ୍ନା ନାଇଁ ପରିଚୟ ନାଇଁ ଲୋକଟି ଏତେ ପ୍ରଗଳ୍ଭଙ୍କ ଭଳି କଣ ଗପୁଛି। ତା ଛଡ଼ା ତାର ଯେଉଁ ପ୍ରାଥମିକ କାମଟି, ସେଇଟାକୁ ଛାଡ଼ି ଦେଇ ସେ ଏମିତି ବ୍ୟବହାର କରେ ଯେ, ଅନୁଭବ ହୁଏ ସତେ ଯେମିତି ସେ ରେଳବାଇର ଜଣେ ଦାୟିତ୍ୱସମ୍ପନ୍ନ ଲୋକ। ପୂରା ଟ୍ରେନ୍ କଣ ପୂରା ରେଳବାଇର ବୋଝ ସେହି ଲୋକଟି ଉପରେ।
ତେବେ ସାହୁ ବାବୁଙ୍କ ଏହି ଅଭ୍ୟାସଟି ବେଳେ ବେଳେ କିଛି ଲୋକଙ୍କୁ ଅଡୁଆରେ ପକାଇଦିଏ। କେହି କିଛି ଭାବିବା ବା ବୁଝିବା ଆଗରୁ ସେ ଏମିତି କିଛି କହି ଯାଆନ୍ତି ଯେ, ତାହା ମଣିଷକୁ ବାଧ୍ୟ କରେ ବାରମ୍ବାର ଚିନ୍ତା କରିବା ପାଇଁ। ସେଦିନ ବି ସେଇଆ ହେଲା। କଟକ ଷ୍ଟେସନରୁ ଯେତେବେଳେ ନନ୍ଦନକାନନ ଏକ୍ସପ୍ରେସର ଫାଷ୍ଟକ୍ଲାସ୍ କମ୍ପାର୍ଟମେଣ୍ଟରେ ଉଠିଲେ ସମୀର ଦାଶ ଏବଂ ତାଙ୍କ ପତ୍ନୀ, ତାଙ୍କୁ ଅତିଥିଙ୍କୁ ସଂଖୋଳି ନେଲାଭଳି ନେଇଚାଲିଲେ ସାହୁ ବାବୁ। ସେମାନେ କ୍ୟୁବିକଲ୍ ଭିତରେ ବସିଛନ୍ତି କି ନାହିଁ, ସେ ଆସି ହାଜର । କେହି କିଛି ପଚାରିବାକୁ ଆଗରୁ ତିନି ଥର ନମସ୍କାର କରିପକାଇଲେ ସେ। ଏକମାତ୍ର ଉଦ୍ଦେଶ୍ୟ ନିଜ ପ୍ରତି ଯାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା। ସମୀର ବାବୁ କିଛି କହିବା ଆଗରୁ, ତାଙ୍କ ପତ୍ନୀଙ୍କ ଆଡ଼କୁ ଦେଖାଇଲା ଭଳି ସାହୁ ବାବୁ କହିଲେ, ଆଜ୍ଞା ମୁଁ ସାରଙ୍କୁ ଜାଣିଛି। ସେ ଆମର ରେଗୁଲାର ପାସେଞ୍ଜର। ବାବୁଙ୍କୁ ମୁଁ ଅନେକ ଥର ଭେଟିଛି ଆମର ଏହି କମ୍ପାର୍ଟମେଣ୍ଟରେ। ସମୀର ବାବୁ ଏଇ କଥା ଶୁଣି ବଡ଼ ଅଡୁଆରେ ପଡ଼ିଗଲେ। ସେ ଭାବୁଥାନ୍ତି, ପ୍ରକୃତରେ ଏହି ଲୋକଙ୍କୁ ସେ କଣ ଜାଣିଛନ୍ତି? କେବେ କେଉଁଠି ଦେଖିଛନ୍ତି ସେ? କିନ୍ତୁ ସେମିତି କିଛି ତ କାହିଁ ମନେ ପଡୁନି ତାଙ୍କରି। ସମୀର ଭାବୁ ମନେ ମନେ ଭାବୁଛନ୍ତି, ମୁଁ ତ ମୋ ଜୀବନକାଳ ଭିତରେ ହାତ ଗଣତିରେ ଚାରି ପାଞ୍ଚ ଥର ମାତ୍ର ଫାଷ୍ଟକ୍ଲାସ୍ କମ୍ପାର୍ଟମେଣ୍ଟରେ ବସି ଯାତ୍ରା କରିଛି। କିନ୍ତୁ କେବେ ବି ଏହି ଦିଲ୍ଲୀ ରୁଟରେ ଫାଷ୍ଟକ୍ଲାସ୍ ଯାତ୍ରା କରିନାହିଁ। ପୂର୍ବରୁ ମୁମ୍ବାଇରେ କାମ କଲା ବେଳେ ହୁଏତ କିଛି ଥର ଫାଷ୍ଟକ୍ଲାସରେ ଯାତ୍ରା କରିଛି, କିନ୍ତୁ ଏ ଲୋକଟି ମୋତେ କେମିତି ଜାଣିଲା? ଏମିତି ବ୍ୟବହାର କରୁଛି ସତେ ଯେମିତି ମୋ ସହିତ ଗୋଟିଏ କ୍ଲାସରେ ପଢୁଥିଲା ସେ। ହେଲେ ଏତିକି କଥା ଚିନ୍ତା କରିବାକୁ କାହା ପାଖରେ ସମୟ ନାହିଁ। ଏ ବାବଦରେ ଆଟେଣ୍ଡାଣ୍ଟ ସାହୁ ବାବୁକୁ କିଛି ପଚାରିବାକୁ ଚାହିଁଥିଲେ ସମୀର ବାବୁ। କିନ୍ତୁ ତା ପୂର୍ବରୁ ସମୀରଙ୍କ ପତ୍ନୀ ପଚାରି ବସିଲେ ପ୍ରଶ୍ନ। ଏମିତି କେତେ ଥର ଫାଷ୍ଟକ୍ଲାସରେ ଯାତ୍ରା କରିଛନ୍ତି ଇଏ? କଣ ନିୟମିତ ଭାବେ ବାହାରକୁ ଗଲାବେଳେ ସେ ଫାଷ୍ଟକ୍ଲାସରେ ଯାଆନ୍ତି? ତେବେ ପରିସ୍ଥିତିର ଗମ୍ଭୀରତାକୁ ନଜରରେ ରଖି ସମୀର ବାବୁ ଟିକିଏ ମଜାଳିଆ ଢଙ୍ଗରେ କହିଲେ, ଆରେ ତମେ ବୁଝିପାରୁନ। ଫାଷ୍ଟକ୍ଲାସରେ ଗଲେ କ୍ୟୁବିକଲ ମିଳେ। ତେଣୁ ଟିକିଏ ପ୍ରାଇଭେସି ରଖିବାରେ ସହଜ ହୁଏ। ତା ପରେ ପରିସ୍ଥିତି ଆଉ ଟିକିଏ ଗମ୍ଭୀର ହୋଇଗଲା। ସମୀରଙ୍କ ପତ୍ନୀ କହିଲେ, ତମେ ତ ଏକୁଟିଆ ଯିବା ଲୋକ। ତମକୁ ପୁଣି କି ପ୍ରାଇଭେସି ଦରକାର? ତମେ କଣ ଆଉ କାହା ସହିତ ଯାତ୍ରା କର? ତା ପରେ ପୁଣି ଆଟେଣ୍ଡାଣ୍ଟ ସାହୁ ବାବୁଙ୍କୁ ପ୍ରଶ୍ନ, ଇଏ କଣ ଏକା ଯାଆନ୍ତି ନା ସାଙ୍ଗରେ ଆଉ କେହି ଥାଏ?
ଏଇ ପ୍ରଶ୍ନରେ ସାହୁ ବାବୁର ପିଳେହି ପାଣି। କଣ ଉତ୍ତର ଦେବେ ସେ? ମୁଣ୍ଡକୁ କିଛି ଜୁଟୁନି। ଲାଗୁଥିଲା ସତେ ଯେମିତି କେହି ଯଦି ସେତେବେଳେ ତାଙ୍କୁ ପଚାରିଦିଏ, ସେ ନିଜ ନାଁ ବି କହିପାରିବେ ନାହିଁ। ସଙ୍ଗେ ସଙ୍ଗେ ସେ ଜବାବ ଦେଲେ, ମାଡାମ୍ ଆପଣ ବସନ୍ତୁ ମୁଁ ଆପଣଙ୍କ ପାଇଁ ଚାହା ନେଇକି ଆସୁଛି। ଆଉ କିଛି ନକହି ତର ତର ହୋଇ ସେଠାରୁ ଚାଲିଗଲେ ସାହୁ ବାବୁ। ଏଣେ ପତ୍ନୀଙ୍କ ରାଗ କହିଲେ ନ ସରେ। ତାଙ୍କ କହିବା କଥା ଯେ, ସମୀର ବାବୁ ତାଙ୍କ ଅଜାଣତରେ ଏମିତି ବିଭିନ୍ନ ସମୟରେ ଫାଷ୍ଟକ୍ଲାସ କମ୍ପାର୍ଟମେଣ୍ଟରେ ଅନ୍ୟ କାହା ସହିତ ଯାତ୍ରା କରୁଛନ୍ତି। ବାସ୍, ମୁଣ୍ଡରେ ଏଇ କଥାଟି ବସା ବାନ୍ଧିଦେଲା ପରେ, ସେ ପୂରା ଗୁମସୁମ୍। କିଛି କହିବାକୁ ନାରାଜ। ସମୀର ବାବୁ ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରୁଥାନ୍ତି। କିନ୍ତୁ କିଛି ସୁଫଳ ମିଳୁନଥାଏ। ପତ୍ନୀଙ୍କ ରାଗ ବଢୁଥାଏ। ଏତିକି ବେଳେ ଚାହା ନେଇ ଆସିଲେ ଆଟେଣ୍ଡାଣ୍ଟ ସାହୁ ବାବୁ। ଦି କପ୍ ଚାହା ଥୋଇ ଦେଇ ଆଉ କିଛି ରାମ କି ଗୋବିନ୍ଦ ନ କହି, ସେଠାରୁ ଚାଲିଗଲେ। ସମୀର ବାବୁ ଚାହା କପ୍ ଟିକୁ ଉଠାଇ ପତ୍ନୀଙ୍କ ହାତକୁ ବଢ଼ାଇଲେ। ହେଲେ ସେ ନେବାକୁ ନାରାଜ। କେତେ କହିଲେ ବି ସେ ଶୁଣିବାକୁ ନାରାଜ। ବୁଝିବାକୁ ନାରାଜ। ମନରେ ସନ୍ଦେହ ଘର କରିସାରିଲାଣି।
ଗଲା ସପ୍ତାହରେ ଦିଲ୍ଲୀରୁ ଗାଁକୁ ଆସିଥିଲେ ସମୀର ଦାଶ। ସପତ୍ନୀକ ଆସିଥିଲେ ଏଇଥି ପାଇଁ ଯେ, ବାର୍ଦ୍ଧକ୍ୟଜନିତ ଯନ୍ତ୍ରଣାରେ ହଠାତ୍ ତାଙ୍କ ଶ୍ୱଶୁରଙ୍କ ଦେହାନ୍ତ ହୋଇଗଲା। ତାଙ୍କ ଅନ୍ତ୍ୟେଷ୍ଟି ଏବଂ ଶୁଦ୍ଧିକ୍ରିୟା ଶେଷ କରି ଅସ୍ଥି କଳସ ନେଇ ଏବେ ସେ ଯାଉଛନ୍ତି ପ୍ରୟାଗରାଜ। ସେଇଠି ତ୍ରିବେଣୀ ସଙ୍ଗମରେ ଶ୍ୱଶୁରଙ୍କ ଅସ୍ଥି ବିସର୍ଜନ କରିବେ। ଶ୍ରାଦ୍ଧ ତର୍ପଣ କରିବେ। ତା ପରେ ଦିଲ୍ଲୀ ଫେରିବେ। ତେବେ ଘର ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ନ୍ୟାୟରେ, କଟକ ଷ୍ଟେସନରୁ ହିଁ ପରିସ୍ଥିତିକୁ ଅଡୁଆ କରିଦେଇଛି ଏହି ଅଜଣା ଲୋକ ଆଟେଣ୍ଡାଣ୍ଟ ସାହୁ ବାବୁଙ୍କ କଥା। ପୁଣି ପତ୍ନୀଙ୍କୁ ବୁଝାଇବାକୁ ଚେଷ୍ଟା କଲେ ସମୀର। କହିଲେ, ବଡ଼ ଆଶ୍ଚର୍ଯ୍ୟ କଥା । କହିଲ ଦେଖି, ଦିଲ୍ଲୀରୁ ଭୁବନେଶ୍ୱର ମୁଁ ମାସରେ ବା ବର୍ଷରେ କେତେ ଥର ଯାଉଛି? ତା ପୁଣି ଏହି ଟ୍ରେନରେ। ତା ଛଡ଼ା ଲୋକଟି କେଉଁ ଉଦ୍ଦେଶ୍ୟରେ ଏମିତି କହିଲା, ପ୍ରକୃତରେ କଣ ସେ ମୋତେ ଜାଣିଛି, ନା ଏମିତି କହୁ କହୁ କହିଦେଲା, ତମେ ସେ ବାବଦରେ ତ କିଛି ଚିନ୍ତା କରୁନ। ଆଛା, ସେ କଥା ନହେଲା ନାଇଁ, ଆମେ ଯେଉଁ ଉଦ୍ଦେଶ୍ୟରେ ଯାତ୍ରା କରୁଛନ୍ତି, ଯଦି ତାହା ବାଧିତ ହେବ, ତାହେଲେ ଫାଇଦା କଣ? ଆମେ ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ଯାଉଛନ୍ତି, ସେ ସମୟରେ ଏଭଳି ଫାଲତୁ କଥା ଶୁଣି, ତମେ ଏମିତି ମୁଡ୍ ଅଫ୍ କରି ରହିଲେ ହେବ? ତା ଛଡ଼ା ଏମିତି କେହି ଜଣେ କଣ କହିଦେବ, ଆଉ ତା କଥାରେ ଆମ ଭିତରେ ମନାନ୍ତର ହେବ, ଏଇଟା କଣ ଗ୍ରହଣୀୟ କଥା? ସମୀରଙ୍କ ପତ୍ନୀ କଥାଟାକୁ ଟିକିଏ ହୃଦୟଙ୍ଗମ କଲେ। ତା ପରେ ସବୁ କିଛି ସ୍ୱାଭାବିକ। ଆଉ ଦିନ ତମାମ ସେ ଆଟେଣ୍ଡାଣ୍ଟଙ୍କ ଦେଖାଦର୍ଶନ ନାହିଁ। ରାତ୍ରୀଭୋଜନ ସମୟରେ ଖାଇବା ଆଣି ପହଞ୍ଚାଇଦେଲେ ଆଟେଣ୍ଡାଣ୍ଟ। କିନ୍ତୁ ଆଉ ବିଶେଷ କିଛି କଥାବାର୍ତ୍ତା କଲେନି, ବରଂ କିଛି ପଚାରିବା ଆଗରୁ ତର ତର ହୋଇ ସେଠାରୁ ଚାଲିଗଲେ ସେ। ସମୀର ଦାଶ ସପତ୍ନୀକ ଖାଇ ପିଇ ଶୋଇପଡ଼ିଲେ।
ତା ପରଦିନ ପ୍ରୟାଗରାଜ ପହଞ୍ଚିବା ସମୟ ହେବାରୁ ପୁଣି କ୍ୟୁବିକଲ ପାଖକୁ ଆସିଲେ ସାହୁ ବାବୁ। କିଛି କହୁନଥାନ୍ତି ସେ। କେବଳ ହସି ହସି ସମସ୍ତଙ୍କୁ ନମସ୍କାର ହେଉଥାନ୍ତି। ତା ପରେ ଗୋଟିଏ ରେଳବାଇ ଫର୍ମ ଧରି ଯାତ୍ରୀମାନଙ୍କ ମତାମତ ସଂଗ୍ରହ କରିବାରେ ଲାଗି ପଡ଼ିଲେ ସେ। ଦୁଇଟି ଫର୍ମ ସମୀର ଦାଶ ଏବଂ ତାଙ୍କ ପତ୍ନୀଙ୍କୁ ଦେଲେ ସେ। ଏଥିରେ ବିଭିନ୍ନ କଥା ଲେଖିବାର ଥିଲା। ଯାତ୍ରା ସମୟରେ ମିଳୁଥିବା ବ୍ୟବସ୍ଥା ସମ୍ପର୍କରେ। ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସମ୍ପୃକ୍ତ କମ୍ପାର୍ଟମେଣ୍ଟରେ ଥିବା ଆଟେଣ୍ଡାଣ୍ଟଙ୍କ ଆଚାର ବ୍ୟବହାର କେମିତି ସେ କଥା ବି ଲେଖିବାକୁ ହେବ। ଉଭୟେ ପତିପତ୍ନୀ ସେହି ଫର୍ମକୁ ପୂରଣ କରିବାରେ ଲାଗି ପଡ଼ିଲେ। ଏତିକି ବେଳେ ସାହୁ ବାବୁ ସମୀରଙ୍କ ପାଖରେ ଆସି ଭୋଜିଘର ବିଲେଇ ଭଳି ଟିକିଏ ଗୁଡେଇ ଗାଡେଇ ହେଲେ। ଧୀରେ କହିଲେ, ଆମ ପାଇଁ କିଛି ଚାହା ପାଣି ବ୍ୟବସ୍ଥା କରନ୍ତୁ। ସମୀର କହିଲେ, ଆପଣଙ୍କୁ କଣ ସରକାର ଦରମା ଦେଉ ନାହାନ୍ତି ନା କଣ? ପୁଣି ଚାହା ପାଣି ଖର୍ଚ୍ଚକୁ କଣ ମାଗୁଛନ୍ତି? ତା ପରେ ସେ କିଛି କହିବା ପୂର୍ବରୁ ନିଜ ପର୍ସରୁ ଶହେ ଟଙ୍କିଆ ନୋଟ୍ ଗୋଟାଏ ବାହାର କରି ସାହୁ ବାବୁ ହାତକୁ ବଢ଼ାଇ ଦେଲେ। ହେଲେ ସାହୁ ବାବୁର ମନ ମାନୁନଥିଲା। ତାଙ୍କ ଟାର୍ଗେଟ୍ ଥିଲା, ଏହିଭଳି ଯାତ୍ରୀଙ୍କଠାରୁ କିଛି ଅଧିକ ରୋଜଗାର ହୋଇଗଲେ ଭଲ। କିନ୍ତୁ ନିଜେ ସମୀର ଦାଶ, ତାଙ୍କୁ ଆଉ ଟଙ୍କାଏ ବି ଦେବାକୁ ନାରାଜ। ଏତିକି ବେଳେ ସେହି କ୍ୟୁବିକଲ୍ ଭିତରୁ ଚାଲିଯିବାକୁ ବସିଥିବା ଆଟେଣ୍ଡାଣ୍ଟ ସାହୁ ବାବୁଙ୍କୁ ପଛରୁ ଡାକି ତାଙ୍କ ହାତକୁ ବଢ଼ାଇ ଦେଲେ ଯାତ୍ରୀ ମତାମତ ଫର୍ମ। ସେଥିରେ ଥିବା ଆଟେଣ୍ଡାଣ୍ଟ ସମ୍ପର୍କିତ ତଥ୍ୟ ସ୍ଥାନରେ ବଡ଼ ବଡ଼ ଅକ୍ଷରରେ ସମୀରଙ୍କ ପତ୍ନୀ ଲେଖିଛନ୍ତି, ଘରଭଙ୍ଗା ବୁଦ୍ଧିଟା ଛାଡ଼ନ୍ତୁ ସାହୁ ବାବୁ। ଏମିତି କଥାବାର୍ତ୍ତା କଲେ, କେତେ ଯେ ଲୋକଙ୍କ ସଂସାର ଭାଙ୍ଗିଯିବ, ତାର କୌଣସି ହିସାବ ନାହିଁ। ଏଇତକ ଦେଖି ଦେଲା ପରେ ସାହୁ ବାବୁ କହିଲେ, ମାଡାମ୍ ଏଇ କଥାଟା କହିଦେଇଥିଲେ ହୋଇନଥାନ୍ତା, ଏ ଫର୍ମରେ କଣ ଲେଖିବା ଜରୁରୀ ଥିଲା? ତା ଛଡ଼ା ଯାତ୍ରୀଙ୍କ ସହିତ ପରିଚିତ ଭଳି ଯଦି ବ୍ୟବହାର ନକରିବି, କିଏ ଓହ୍ଲେଇଲା ବେଳକୁ ମୋତେ ଦି ପଇସା ଦେବେ, କହିଲେ? ଏଇ କଥା ଶୁଣି, ସମୀର ଦାଶ ଓ ତାଙ୍କ ପତ୍ନୀ ଏକା ସ୍ୱରରେ ଠୋ ଠୋ ହୋଇ ହସି ଉଠିଲେ।
ମିଡିଆ ଷ୍ଟଡିଜ
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.