Latest Odisha News

BREAKING NEWS

ଦେଶରେ ଆରମ୍ଭ ହେଲା ୫ଜି ଯୁଗ, ପ୍ରଗତି ମୈଦାନରୁ ପ୍ରଧାନମନ୍ତ୍ରୀ କଲେ ଉଦଘାଟନ

ନୂଆଦିଲ୍ଲୀ: ଦେଶରେ ବହୁ ପ୍ରତୀକ୍ଷିତ ୫ଜି ସେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଏହି ୫ଜି ସେବା ଆରମ୍ଭ କରିଛନ୍ତି। ଟେକ୍ନୋଲୋଜିର ଏହି ନୂଆ ପିଢିରେ ଭାରତ ପ୍ରବେଶ କରି ଚୀନ, ଦକ୍ଷିଣ କୋରିଆ, ଆମେରିକା ଆଦି ଦେଶ ସହିତ ସାମିଲ ହୋଇଛି।

ଆଜିଠାରୁ ଦେଶର ୧୩ ଟି ସହରରେ ୫ଜି ସେବା ଆରମ୍ଭ ହେବ। ଏଥିରେ ଦିଲ୍ଲୀ, ମୁମ୍ବାଇ ମଧ୍ୟ ରହିଛି। ଯଦିଓ ଏଥିପାଇଁ ଏକ ନୂଆ ପ୍ଲାନ୍ ବା ଟାରିଫ ଗ୍ରହଣ କରିବାକୁ ପଡିବ କିମ୍ବା ଆରମ୍ଭରେ ଏକ ଅଫର ଆସିବ, ଏହା ଉପରେ କୌଣସି ସୂଚନା ମିଳି ନାହିଁ।

ଆଜିଠାରୁ ଇଣ୍ଡିଆନ ମୋବାଇଲ୍ କଂଗ୍ରେସ ମଧ୍ୟ ଆରମ୍ଭ ହୋଇଛି । ଚାରି ଦିନ ପର୍ଯ୍ୟନ୍ତ ଚାଲିବ ଏହି ସମ୍ମିଳନୀ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇ ୫ଜି ସେବା ଆରମ୍ଭ କରିଥିଲେ। ଏହି ସମୟରେ ସେ ଟେଲିକମ୍ ଅପରେଟରମାନଙ୍କ ସହିତ ମଧ୍ୟ ମୋଦୀ କଥା ହୋଇଥିଲେ। ଏବେ ୪ଜିରୁ ଅପଗ୍ରେଡ୍ କରି ଆମେ ୫ଜି ସେବାରେ ପହଞ୍ଚିଛୁ ବୋଲି କହିଥିଲେ।

୪ଜି ତୁଳନାରେ, ୫ଜି ନେଟୱାର୍କର ସ୍ପିଡ ୧୦ ଗୂୁଣା ଅଧିକ। ଏହା ଦ୍ୱାରା ରିଏଲ ଟାଇମରେ ଡାଟା ସେୟାର କରିବା କୋଟି କୋଟି ଲୋକଙ୍କୁ ସହଜ ହୋଇଯିବ। ଯାହାଦ୍ୱାରା ଅନେକ ସମୟ ମଧ୍ୟ ବଞ୍ଚିବ। ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଲଞ୍ଚ କରିବା ସହିତ ନିଜେ ଏହାକୁ ବ୍ୟବହାର କରି ଦେଖିଛନ୍ତି ୫ଜିର ସ୍ପୀଡ କେତେ ରହିଛି। ୫ଜିର ସ୍ପୀଡ ୪ଜି ଠାରୁ ୧୦ ଗୁଣ ଅଧିକ ରହିବ।

ଏହି ଉଦଘାଟନ ସମୟରେ ଦେଶର ତିନି ପ୍ରମୁଖ ଟେଲିକମ୍ ଅପରେଟରମାନେ ଭାରତରେ ୫ଜି ଟେକ୍ନୋଲୋଜିର ସମ୍ଭାବନା ଦେଖାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏକ ଟେକ୍ନୋଲୋଜି ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ହାଇ-ସିକ୍ୟୁରିଟି ରାଉଟର, ସାଇବର ଅପରାଧକୁ ରୋକିବା ଆଦି ଉପରେ ଗୁରୁତ୍ବ ଦେଇଥିଲେ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି ଯେ ଡିସେମ୍ବର ୨୦୨୩ ସୁଦ୍ଧା ଜିଓ ୫ଜି ସେବା ଦେଶର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବ। କମ୍ ଦାମରେ ଏହି ସେବା ଯୋଗାଇ ଦେବ ବୋଲି ଜିଓ କହିଛି।

ସେହିପରି ଭୋଡାଫୋନ୍ ଆଇଡିଆ କହିଛି,  ୫ଜି ଟେକ୍ନୋଲୋଜି ନିର୍ମାଣ ଶ୍ରମିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ । ଏଥିସହ ୫ଜି ଟେକ୍ନୋଲୋଜି କେବଳ ଇଣ୍ଟରନେଟର ସ୍ପୀଡ ନୁହେଁ ଏହା ଲୋକଙ୍କୁ ଅନେକ ପ୍ରକାରର ସୁବିଧା ଯୋଗାଇବ।

Leave A Reply

Your email address will not be published.