Latest Odisha News

BREAKING NEWS

ଦୁଇଟି ଅଜଣା କଲରେ ବେଣୁଧରଙ୍କ ବ୍ରେନ୍ ଟ୍ରାପ୍, ହରାଇଲେ ୭୧ ହଜାର ଟଙ୍କା

ଭୁବନେଶ୍ୱର: ଅଜଣା ନମ୍ବରରୁ ଦୁଇ ଥର କଲ । ପ୍ରଥମେ ଭିଡିଓ କଲ୍ ପରେ ଆଇପିଏସର ପରିଚୟ ଦେଇ ନ୍ୟୁଡ ଫଟୋ ଭାଇରାଲ ହେବାର ଭୟ ଦେଖାଇଲେ। ଆଉ ନିଜ ଇଜ୍ଜତ ସୋଶିଆଲ ମିଡିଆରେ ଭାଇରାଲ ହେବାର ଭୟ ପାଇବା ପାଇ ଖୋର୍ଦ୍ଧା ଜଟଣୀର ବେଣୁଧର ମୁଦୁଲି ୭୧ ହଜାର ଟଙ୍କା ଦେଇଥିଲେ। ପରେ ଜାଣିବାକୁ ପାଇଥିଲେ ଦ୍ବିତୀୟ ଫୋନ୍ କଲଟି ନକଲି ଆଇପିଏସ। ଯିଏକି ଦିଲ୍ଲୀର ବୋଲି ପରିଚୟ ଦେଇଥିଲେ।

ରିପୋର୍ଟ ଅନୁଯାୟୀ ବେଣୁଧର ତାଙ୍କ ସୋସିଆଲ ମିଡିଆରେ ଏକ ଅଜ୍ଞାତ ନମ୍ବରରୁ ଏକ ନଗ୍ନ ଭିଡିଓ କଲ ପାଇଥିଲେ। ସେହି ଭିଡିଓ କଲ୍ ପାଇବାର କିଛି ଘଣ୍ଟା ପରେ, ବେଣୁଧରଙ୍କୁ ଆଉ ଏକ ଅଜ୍ଞାତ ନମ୍ବରରୁ କଲ ଆସିଥିଲା। ନିଜକୁ ଦିଲ୍ଲୀର ଜଣେ ଆଇପିଏସ୍ ଅଧିକାରୀ ଭାବେ ପରିଚୟ ଦେଇ ସେ ବେଣୁଧରଙ୍କୁ କହିଥିଲେ ଯେ ସେ ଝିଅ ସହିତ ତାଙ୍କ ନଗ୍ନ ଭିଡିଓ କଲ୍ ରେକର୍ଡିଂ ରଖିଛନ୍ତି। ଏହି ନଗ୍ନ ଭିଡିଓକୁ ସୋଶିଆଲ ମିଡିଆରେ ଭାଇରାଲ କରିଦେବାର ଭୟ ଦେଖାଇ ସେ ବେଣୁଧରଙ୍କୁ ୧.୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ପରେ ନିଜ ଇଜ୍ଜତ ଦାଣ୍ଡରେ ପଡି ହାଟରେ ଗଡିବ ବୋଲି ଭୟର ଶିକାର ହୋଇଥିଲେ। ଶେଷରେ କିଛି ବୁଦ୍ଧିବାଟ ନଦିଶିବା ପରେ ବେଣୁଧର ଚାରିଟି କିସ୍ତିରେ ୭୧ ହଜାର ଟଙ୍କା ସାଇବର ଠକକୁ ପଠାଇଥିଲେ। ବେଣୁଧର ସାଇବର ପୋଲିସ ନିକଟରେ ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି।

ଉଲ୍ଲେଖଯୋଗ୍ଯ, ରାଜ୍ୟରେ ସାଇବର ଅପରାଧ ବଢି ଚାଲିଛି। ମୁଖ୍ୟତଃ ଭୁବନେଶ୍ୱର ଏବେ ସାଇବର ଲୁଟେରାଙ୍କ ଟାର୍ଗେଟରେ ରହିଛି। ଏହାକୁ ନଜରରେ ରଖି ଓଡ଼ିଶାର ସାଇବର ଥାନା ମଧ୍ୟ ବିଭିନ୍ନ ସମୟରେ ସତର୍କ ସୂଚନା ଜାରି କରିଛି। ନିକଟରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ମଧ୍ୟ ଅଜଣା ନମ୍ବରରୁ କଲ୍ କିମ୍ବା ସୋଶିଆଲ ମିଡିଆରେ ଅଜଣା ନମ୍ବରରୁ କଲ୍ ଆସୁଥିଲେ ସେଥିରୁ ନିବୃତ ରହିବାକୁ ପରାମର୍ଶ ଦେଇଥିଲେ।

ସାଇବର ଲୁଟେରା ମାନେ ନ୍ୟୁଡ କଲ୍ କରି, ବ୍ୟାଙ୍କ କେଓ୍ୱାଇସି ଅପଡେଟ ନଚେତ ଓଟିପି ନେଇ ଲୋକଙ୍କୂ ଚୂନ ଲଗାଉଥିବାର ନଜିର ରହିଛି।

Leave A Reply

Your email address will not be published.