Latest Odisha News

ରାଜ୍ୟ ସରକାର ୨ ହଜାର ସ୍କୁଲରେ ବାଣ୍ଟିବେ ୪୩ ହଜାର ଫୁଟବଲ୍

ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ଅଣ୍ଡର 17 ମହିଳା ଫିଫା ବିଶ୍ବକପ ।  ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ବକପ  ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ଫୁଟବଲ ପ୍ରେମୀମାନେ ବେଶ ଉତ୍ସାହିତ ଅଛନ୍ତି । ଏହି ଅବସରରେ ରାଜ୍ୟରେ ଫୁଟବଲ ଖେଳର ବିକାଶ ଓ ପ୍ରସାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଫୁଟବଲ ଫର ଅଲ୍’ ତଥା ‘ସମସ୍ତଙ୍କ ପାଇଁ ଫୁଟବଲ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ‘ସମସ୍ତଙ୍କ ପାଇଁ ଫୁଟବଲ’ ଯୋଜନାରେ ରାଜ୍ୟର ୨ ହଜାର ସ୍କୁଲରେ  ପ୍ରାୟ ୪୩ ହଜାର ଫୁଟବଲ ବଣ୍ଟନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ସ୍କୁଲସ୍ତରରେ ଫୁଟବଲ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ପିଲାଙ୍କୁ ଫୁଟବଲ ପ୍ରତି ଆଗ୍ରହୀ କରାଇବା ଉଦେଶ୍ୟରେ ଫିଫା ସହାୟତାରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ନୂଆ ଫୁଟବଲ୍ ପ୍ରତିଭା ସୃଷ୍ଟି କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଭର୍ଚୁଆଲ  ମାଧ୍ୟମରେ ଉଦଘାଟନ କରିଛନ୍ତି।

ରାଜଧାନୀର ୟୁନିଟ୍-୯ ଓ କ୍ୟାପିଟାଲ ହାଇସ୍କୁଲ ପିଲାଙ୍କୁ ଫୁଟବଲ୍ ମଧ୍ୟ ବଣ୍ଟନ କରାଯାଇଛି।  କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତ୍ୟେକ୍ଷ ଭାବେ ପିଲାମାନଙ୍କୁ ପୁଟବଲ ବଣ୍ଟନ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ ଏବଂ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ ମାଧ୍ୟମରେ ସାମିଲ ହୋଇଥିଲେ ।

Comments are closed.