Latest Odisha News

BREAKING NEWS

ସନେଟ : ଦାଦନ ଦାନବ

ମାନସ ରଞ୍ଜନ ନାୟକ

ଘର୍ଘର ନାଦରେ ଅଗ୍ରସର ପ୍ରଗତିର ନନ୍ଦୀଘୋଷ
ପତିତ ଉଦ୍ଧାର ପ୍ରାୟେ ମୋକ୍ଷପାଏ ଭୋକଶୋଷ
ଭକତ ସାନ୍ନିଧ୍ୟରେ ଜଗା ବଡଦାଣ୍ଡେ ଧୂଳିଧୂସର
ଭିଟାମାଟି ବଦଳରେ ଦାଦନର ଚାବୁକ୍ ପ୍ରହାର ।

ବିଜ୍ଞାନର ଆସ୍ଫର୍ଦ୍ଧାରେ ଫଳପ୍ରଦ ଚନ୍ଦ୍ରମା ବିଜୟ
ଉଦର ଜ୍ବାଳାରେ ମୁଣ୍ଡ ବିକେ,ମାନିନିଏ ପରାଜୟ
ପରିବ୍ଯାପ୍ତ ସ୍ବାଧୀନତାର ପରିଧି ଦେଶରୁ ବିଦେଶ
ଲୁହ କୋହର ସଉଦାରେ ହାରେ ଜୀବନର ସନ୍ଦେଶ।

ଜାତିସଂଘେ ଫୁଲମାଳ,କେତେ ଗଣତନ୍ତ୍ରର ଡିଣ୍ଡିମ
ଗଣ୍ଡେ ଦାନା,ଖଣ୍ଡେ କନା ପାଇଁ ନିତି ସଂଘର୍ଷ ରକ୍ତୀମ
ବିଶ୍ବଭାତୃତ୍ତ୍ବର ମନ୍ତ୍ରରେ ଅୟୁତ ଚୁକ୍ତି ସ୍ବାକ୍ଷରିତ
ତୋଷାମଦ ଜୀନ୍ଦାବାଦ୍ ପରେ ବି ରାସନ୍ ପ୍ରତୀକ୍ଷିତ।

ପରିବାର ପୋଷଣ ଯୁଦ୍ଧରେ ଭେଟେ ଦାରିଦ୍ର୍ଯ ରାବଣ
ସ୍ବପ୍ନର ରାମରାଜ୍ଯେ ମିଳେ ଦାଦନ ଦାନବ କଷଣ।

 

ମଞ୍ଜୁରୀ ରୋଡ୍, ଭଦ୍ରକ
ପିନ୍ – ୭୫୬୧୨୧
ମୋ- ୯୮୯୦୮୫୧୪୨୭

Leave A Reply

Your email address will not be published.