Latest Odisha News

BREAKING NEWS

ଝିଅର ୟୁପିଏସସି ପରୀକ୍ଷା ପାଇଁ ଅଟୋରେ ପାଠ ପଢୁଛନ୍ତି ଉବର ଡ୍ରାଇଭର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁନିଆର ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ ସେମାନଙ୍କ ପିଲା ଆଗକୁ ବଢନ୍ତୁ ଏବଂ ଭଲ ମଣିଷ ହୋଇ ବଡ଼ ଚାକିରି କରନ୍ତୁ। ସେଥିଲାଗି ପିଲାଙ୍କ ପାଠ ପଢିବା ପାଇଁ ବାପା-ମାଆ କଠିନ ପରିଶ୍ରମ କରିବାକୁ ପଛାଉ ନାହାଁନ୍ତି। ସେ ଗରିବ ହୁଅନ୍ତୁ କିମ୍ବା ଧନୀ, ପ୍ରତ୍ୟେକ ଅଭିଭାବକଙ୍କ ଇଚ୍ଛା ଥାଏ ନିଜ ସନ୍ତାନ ବଡ଼ ପଦବୀରେ ଚାକିରି କରନ୍ତୁ। ନିକଟରେ ଜଣେ ଲିଙ୍କଡିନ୍ ବ୍ୟବହାରକାରୀ ଏକ ପୋଷ୍ଟ ସେୟାର କରି ଜଣେ ପରିଶ୍ରମୀ ବାପାଙ୍କ କାହାଣୀ ଲେଖିଛନ୍ତି। ଜେପି ମୋର୍ଗାନର ଜଣେ ନିବେଶ ବ୍ୟାଙ୍କିଙ୍ଗ ବିଶ୍ଳେଷକ ଅଭିଜିତ ମୁଥା ଉବର ଅଟୋରେ ଯାତ୍ରା କରିବା ବେଳେ ଯେଉଁ ଦୃଶ୍ୟ ଦେଖିଥିଲେ ସେ ସମ୍ପର୍କରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, “ଏକ କାହାଣୀ ଯାହା ପିତାମାତା ସେମାନଙ୍କର ପିଲାମାନଙ୍କ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।”

ସୂଚନା ଅନୁଯାୟୀ ଅଭିଜିତ୍ ଏକ ଉବର ଅଟୋ ବୁକ୍ କରିଥିଲେ ଏବଂ ତାଙ୍କୁ ରାକେଶ ନାମକ ଜଣେ ଡ୍ରାଇଭର ନେବାକୁ ଆସିଥିଲେ। ସେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାବେଳେ ଦେଖିଲେ ଯେ ଡ୍ରାଇଭର ତାଙ୍କ ୟୁଟ୍ୟୁବ୍ ଭିଡିଓ ବନ୍ଦ କରି ନାଭିଗେସନ୍ ଆରମ୍ଭ କରିଛନ୍ତି। କିଛି ସମୟ ପରେ ସେ ପୁଣିଥରେ ଅଧାରୁ ବନ୍ଦ କରିଥିବା ଭିଡିଓ ଲଗାଇ ଦେଖିବାକୁ ଆରମ୍ଭ କଲେ। ଅଭିଜିତ୍ ଏହା ଦେଖି ରାକେଶଙ୍କୁ ପ୍ରଶ୍ନ କରିଥିଲେ ଯେ ସେ କଣ ଦେଖୁଛନ୍ତି। ରାକେଶ ଉତ୍ତର ଦେଇଥିଲେ, ” ଭାଇ କରେଣ୍ଟ ଏଫାୟାର୍ସ ଏବଂ ଅର୍ଥନୀତି ବିଷୟରେ ଦେଖୁଛି।” ଅଭିଜିତ ରାକେଶଙ୍କୁ ପଚାରିଲେ ଯେ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କି? ରାକେଶ କହିଥିଲେ ଯେ ସେ ନିଜ ପାଇଁ ନୁହେଁ ତାଙ୍କ ଝିଅ ପାଇଁ ପ୍ରସ୍ତୁତ ହେଉଛନ୍ତି। କାରଣ ତାଙ୍କ ଝିଅ ୟୁପିଏସସି (UPSC) ପାଇଁ ପ୍ରସ୍ତୁତ ହେଉଛନ୍ତି।

ଉବର ଡ୍ରାଇଭର ରାକେଶ କହିଛନ୍ତି, “ମୋ ଝିଅ UPSC ପାଇଁ ପ୍ରସ୍ତୁତ ହେଉଛି, ତେଣୁ ମୁଁ ତାକୁ ବେଳେ ବେଳେ ସାହାଯ୍ୟ କରେ। ପ୍ରତିଦିନ ସନ୍ଧ୍ୟାରେ ଯେତେବେଳେ ସେ ଲାଇବ୍ରେରୀରୁ ଆସେ, ଆମେ ଏହିପରି ଆଲୋଚନା କରୁ। ଲାଇବ୍ରେରୀରୁ ଫେରିବା ପରେ ଝିଅ ସହ ମିଶି ଯେକୌଣସି ଗୋଟିଏ ବିଷୟ ଉପରେ ଆଲୋଚନା କରୁ।” ଅଭିଜିତଙ୍କ ଏହି ପୋଷ୍ଟ ଭାଇରାଲ ହୋଇଛି। ଏହାକୁ ୧.୨ ଲକ୍ଷରୁ ଅଧିକ ଲୋକେ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକେ ଉବର ଡ୍ରାଇଭରକୁ ପ୍ରଶଂସା କରିଥିବାବେଳେ କିଛି ଲୋକେ ଗାଡି ଚଳାଇବା ସମୟରେ ଭିଡିଓ ଦେଖିବା ଠିକ ନୁହେଁ ବୋଲି କହିଥିଲେ। ସତରେ ଅଟୋ ଡ୍ରାଇଭର ରାକେଶଙ୍କ ଏପରି ପରିଶ୍ରମ ପ୍ରଶଂସା ଯୋଗ୍ୟ।

Comments are closed.