Latest Odisha News

BREAKING NEWS

କବିତା : ଅନନ୍ତ ଶୟନେ ଯୁଗ ପୁରୁଷ

ବିନ୍ଦୁ ନିବେଦିତା 

ଆମେ ଜାଣିଛୁ…ତମେ ମିଛ କୁହ,
ତଥାପି ଶୁଣିବାକୁ ଯାଉ
ଆମେ ଜାଣିଛୁ,..ମିଥ୍ୟା ପ୍ରତିଶ୍ରୁତିରେ ପୋତି ପକାଅ;
ତଥାପି ସ୍ଵପ୍ନ ଦେଖିବା ଆରମ୍ଭ କରିଦେଉ
ଆମେ ଜାଣିଛୁ, ଦିନକେତେ ଭାସିବ ଆମ ଘରେ
ଲୋଭର ଘିଅ ଆଉ ମହୁ;
ଆମେ ବି ସେ ମିଛି ମିଛିକା ଖୁସିରେ ଭାସୁ ।

ଟଙ୍କା ପାଆଁଶ ଦେଇ ପାଞ୍ଚ ବର୍ଷ ପାଇଁ
ଆମ ବିଧାତା ସାଜ;
ତଥାପି କିଛି ଚମତ୍କାରର ଆଶାରେ ବଞ୍ଚୁ
ହେଲେ ତମ କୋଠାଘରର
ଉଚ୍ଚତା ଆହୁରି ବଢିବଢି ଯାଏ;
ନିଜ କଣା ଚାଳକୁ କୋଠା କରିବାର
ଆମେ ସ୍ଵପ୍ନ ଦେଖି ରହିଯାଉ
ତମେ ଖିରି ପୁରି ରେ ଭାସୁଥାଅ..
ଆମେ ପାଞ୍ଚ ଟଙ୍କିଆ ଆହାର ପାଇ ଖୁସି ଥାଉ
ତମେ ସ୍ଵପ୍ନ ବିକିବିକି ଧନୀ ହେଇଯାଅ ;
ଆମ ଇଚ୍ଛା ଦେଖିପାରେନା ସକାଳର ସୂର୍ଯ୍ୟୋଦୟ
ତମେ ଭୋଗ ସମ୍ଭୋଗର ଶେଷ ସୀମାରେ ପହଞ୍ଚ;
ଆମେ ଶୁଖିଶୁଖି ନିର୍ବାଣ ଅପେକ୍ଷାରେ ଥାଉ
ଆଖି ପିଛୁଳାକେ ତମେ ସେବକରୁ ମାଲିକ ପାଲଟ,
ଆଉ ଆମେ ମାଲିକରୁ ସେବକ ।

ତମ ପାଣିଗାର କଥାକୁ ଆମେ ବେଦ ବାକ୍ୟ କରୁ;
“ଆଚ୍ଛେ ଦିନ”ବୁରେ ଦିନ”କୁ ଖୋଜୁଥାଉ
ବଢନ୍ତା ପେଟ୍ରୋଲ ଦରରେ
ଟ୍ରେନ ଆଉ ବସର ବର୍ଦ୍ଧିତ ଭଡାରେ
ଘରଣୀର ଶୁଖିଲା ମୁହଁରେ,ତେଲ ଲୁଣ
ସଂସାରର ଚଢା ଦରଦାମରେ
ଅଠାକାଠିରେ ଜୀବନ ଜୀବିକା ଆଜି
ହେଲେ ଅହରହ ସନ୍ତୁଳି ହଉଥାଉ
ଆଚ୍ଛେଦିନର ସମ୍ଭାବନାରେ ।

ଚା କପ, ଅଫିସ ଆଉ ଖଟିରେ ଝଡ଼ ଉଠେ
ଜିନ୍ଦାବାଦ ମୁର୍ଦ୍ଦାବାଦରେ କାନରୁ ଅତଡା ଖସେ
କିନ୍ତୁ ତମେ ଶୋଇଥାଅ ଅଚିନ୍ତା ନିଦରେ
ଘର ବୁଡି ପାଣି ଆଣ୍ଠୁଏ ହଉ ପଛେ
ପୁଣି ଅପେକ୍ଷା କରୁ ପାଞ୍ଚ ବର୍ଷ;
ଭାସୁଥାଉ ଯୁଗ ପରିବର୍ତ୍ତନର ପ୍ରବଞ୍ଚନା
ଓ ମିଥ୍ୟା ପ୍ରତିଶ୍ରୁତିର ବନ୍ୟାରେ ।
କେଜାଣି,ଏଇ ଆତ୍ମଘୋଷିତ ଯୁଗପୁରୁଷମାନଙ୍କର
ନିଦ୍ରା ଭଙ୍ଗ ପାଇଁ କଣ ଦରକାର..!!
ଆଉ ଏକ ପ୍ରଜା ମେଳି,ସିପାହୀ ବିଦ୍ରୋହ
ନା ବିହଙ୍ଗ ବିପ୍ଳବ..!!!

ଭୁବନେଶ୍ୱର

Comments are closed.