Latest Odisha News

ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ଅଫିସ ତରଫରୁ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ବର: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ଅଫିସ ଦ୍ୱାରା ୟୁକୋ ବ୍ୟାଙ୍କର ଏଲ.ଡି.ଏମ୍ ବିଶ୍ଵଜିତ ଶତପଥୀ ଙ୍କ ସକ୍ରିୟ ସହଯୋଗରେ ବାଲେଶ୍ଵରରେ ଏକ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ ର ଓଡିଶା ର ଲୋକପାଳ(Ombudsman)  ପଙ୍କଜ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ଉପ ଲୋକପାଳ  ଆଶୀଷ ରାଜାମଣି କେରକେଟା, ୟୁକୋ ବ୍ୟାଙ୍କ ର ଜୋନାଲ ହେଡ ତଥା ଉପ ମହାପ୍ରବନ୍ଧକ ଦେବବ୍ରତ ମହାନ୍ତି, ଷ୍ଟେଟ ବ୍ୟାଙ୍କର ସହାୟକ ମହାପ୍ରବନ୍ଧକ ମନୋଜ କୁମାର ପ୍ରଧାନ, ପଞ୍ଜାବ ନାସନାଲ ବ୍ୟାଙ୍କ ର ସହାୟକ ମହାପ୍ରବନ୍ଧକ ଶ୍ରୀ ପୁରୁଷୋତ୍ତମ ପଟନାୟକ, ଯୁନିଅନ ବ୍ୟାଙ୍କ ର ଡେପୁଟି ଆଞ୍ଚଳିକ ମୁଖ୍ୟ ଗଜେନ୍ଦ୍ର ନାଥ ଦାସ, ୟୁକୋ ବ୍ୟାଙ୍କ ର ଏଲ. ଡି ଏମ  ବିଶ୍ଵଜିତ ଶତପଥୀ, ଓଡିଶା ଗ୍ରାମ୍ୟ ବାଙ୍କ ର ପ୍ରତିନିଧି, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ରିଜର୍ଭ ବ୍ୟାଙ୍କର ଉପ ଲୋକପାଳ ଆଶୀଷ ରାଜାମଣି କେରକେଟା ତାଙ୍କ ଭାଷଣ ରେ ରିଜର୍ଭ ବ୍ୟାଙ୍କ ଲୋକପାଳ ଯୋଜନା ଓ ଏହି ସଚେତନତା କାର୍ଯକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଲୋକପାଳ ପଙ୍କଜ କୁମାର ନାୟକ ତାଙ୍କ ଅଭିଭାଷଣରେ ରିଜର୍ଭ ବ୍ୟାଙ୍କ ଏକୀକୃତ ଲୋକପାଳ ଯୋଜନା ବା ଇଣ୍ଟିଗ୍ରେଟେଡ୍ ଓମ୍ବୁଡ୍ସମ୍ୟାନ୍ ସ୍କିମ୍, 2021 ଉପରେ ବିସ୍ତ୍ରୁତ ଆଲୋଚନା କରି ସ୍ପଷ୍ଟ କରିଛନ୍ତି ଯେ ଏହି ସ୍କିମ୍ ହେଉଛି ଗ୍ରାହକଙ୍କ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ଥାପିତ ଏକ ବୈକଳ୍ପିକ ଅଭିଯୋଗ ସମାଧାନ ପ୍ରଣାଳୀ

ଶ୍ରୀ ନାୟକ କହିଲେ ଯେ ବ୍ୟାଙ୍କ, NBFC ଏବଂ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପରି ରିଜର୍ଭ ବ୍ୟାଙ୍କ ଦ୍ଵାରା ନିୟନ୍ତ୍ରିତ ସଂସ୍ଥା ମାନଙ୍କର ଗ୍ରାହକଙ୍କର ଉକ୍ତ ସଂସ୍ଥା ଦ୍ଵାରା ପ୍ରଦତ୍ତ ସେବାରେ ଅଭାବ ଜନିତ ଯଦି କୌଣସି ଅଭିଯୋଗ ଥାଏ, ତେବେ ଗ୍ରାହକ ପ୍ରଥମେ ସମ୍ପୃକ୍ତ ସଂସ୍ଥା ନିକଟରେ ଅଭିଯୋଗ କରିବେ ।  ଯଦି 30 ଦିନ ମଧ୍ୟରେ ଉକ୍ତ ସଂସ୍ଥା ଗ୍ରାହକ ଙ୍କ ସମସ୍ୟାର ସମାଧାନ ନ କରେ କିମ୍ବା ଉକ୍ତ ସଂସ୍ଥା ଦ୍ଵାରା ପ୍ରଦତ୍ତ ସମାଧାନ ରେ ଗ୍ରାହକ ସନ୍ତୁଷ୍ଟ ନୁହଁନ୍ତି, କିମ୍ବା 30 ଦିନ ମଧ୍ୟରେ ଉକ୍ତ ସଂସ୍ଥା ଗ୍ରାହକ ଙ୍କୁ କୌଣସି ଉତ୍ତର ନ ଦିଅନ୍ତି, ତେବେ ଅସନ୍ତୁଷ୍ଟ ଗ୍ରାହକ ଆରବିଆଇ ଲୋକପାଳ ଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ ଦାଖଲ କରିବାର ସହଜ ଉପାୟ ହେଉଛି ଏହାକୁ https://cms.rbi.org.in ପୋର୍ଟାଲ ମାଧ୍ୟମରେ ଅନଲାଇନ ଫାଇଲ କରିପାରିବେ । ଅଭିଯୋଗକାରୀ ତୁରନ୍ତ ଅଭିଯୋଗ ନମ୍ବର ସହିତ ଏକ ସ୍ୱୀକୃତି ପତ୍ର ପାଆନ୍ତି, ଯାହା ସେ ତାଙ୍କ ଅଭିଯୋଗର ଅଗ୍ରଗତି ଜାଣିବା ପାଇଁ ବ୍ୟବହାର କରିପାରିବେ । ଅଭିଯୋଗ ଦାଖଲ କରିବା ସମୟରେ, ଅଭିଯୋଗକାରୀ ତାଙ୍କ ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି ଦେବା ଉଚିତ୍ ଯାହା ଦ୍ଵାରା ଆର ବି ଆଇ ଲୋକପାଳ ଅଫିସ୍ ତାଙ୍କ ସହିତ ସହଜରେ ଯୋଗାଯୋଗ କରିପାରିବ । ଅଭିଯୋଗକାରୀ ରିଜର୍ଭ ବ୍ୟାଙ୍କ ର ଟୋଲ ଫ୍ରି ଫୋନ ନମ୍ବର 14448 ରେ ଯୋଗାଯୋଗ କରି ଅଧିକ ସୂଚନା ପାଇ ପାରିବେ ।

ବ୍ୟାଙ୍କ ଗ୍ରାହକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସାଇବର ଜାଲିଆତି ବିଷୟରେ ଆଲୋଚନା କରି ଶ୍ରୀ ନାୟକ କହି ଥିଲେ ଯେ ସାଇବର ଠକ ମାନେ ଏଟିଏମ୍ କାର୍ଡ କ୍ଲୋନିଂ, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଗ୍ରାହକଙ୍କୁ ଠକି ତାଙ୍କ ବ୍ୟାଙ୍କ ଖାତା ରୁ ଟଙ୍କା ହଡପ କରୁଛନ୍ତି । ନିରାପଦ ଡିଜିଟାଲ ବ୍ୟାଙ୍କିଙ୍ଗ ସମ୍ପର୍କୀୟ ଅନେକ ଉପାଦେୟ ତଥ୍ୟ କହିଥିଲେ ଏବଂ ଉପସ୍ଥିତ ଶ୍ରୋତା ମାନଙ୍କୁ ସର୍ଚ୍ଚ ଇଞ୍ଜିନ ବ୍ୟବହାର କରି ଇଣ୍ଟରନେଟରୁ କଷ୍ଟମର-କେୟାର ଫୋନ ନମ୍ବର ନ ଖୋଜି ଡେବିଟ କାର୍ଡ / କ୍ରେଡିଟ କାର୍ଡ ରେ ଦିଆଯାଇଥିବା ଫୋନ ନମ୍ବର କିମ୍ବା ବ୍ୟାଙ୍କ / ଅନୁଷ୍ଠାନର ୱେବସାଇଟରେ ଦିଆଯାଇଥିବା ଫୋନ ନମ୍ବରକୁ ବ୍ୟବହାର କରିବାକୁ ତଥା ଆର୍ଥିକ କାରବାର କରିବା ପାଇଁ କେବଳ ସୁରକ୍ଷିତ ୱେବସାଇଟ୍, ଯାହାର URL ରେ https ଅଛି, ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।

ଶ୍ରୀ ନାୟକ କହିଛନ୍ତି ଯେ ନଭେମ୍ବର 2022 ମାସରେ ରିଜର୍ଭ ବ୍ୟାଙ୍କ ସମସ୍ତ ଆରବିଆଇ ନିୟନ୍ତ୍ରିତ ସଂସ୍ଥାଗୁଡିକର ସହଯୋଗ ରେ ଦେଶ ବ୍ୟାପୀ ଗ୍ରାହକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଯାଉଛି।

Comments are closed.