ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଧରାବଂଧା ମତ, ଅମତ
ହେଲେ ହେଁ କଥିତ, ଲିଖିତ
ତା ଯୋଗୁଁ ଭାଷା କି ସାହିତ୍ୟ
କେବେ ତ ହୁଏନି ଆଦୃତ
‘ ଭଲ, ବଢ଼ିଆ, ଚମତ୍କାର ‘
ଭଳିଆ ଶବ୍ଦ ବ୍ୟବହାର
କରି ଜଣାଉଁ ଅଭିମତ
ସାହିତ୍ୟ ହୁଏନି ବିସ୍ତୃତ
ଶ୍ରଦ୍ଧା ସହିତ ଶବ୍ଦ ମିଶି
ନ ପାରି, ଭାବନା ପ୍ରକାଶି
ଯାହା ବି କରୁଥାଂତି ବ୍ୟକ୍ତ
ତାହା ତ ଚିର-ଆଚରିତ
ସାହିତ୍ୟ ରସ ଆସ୍ବାଦନ
ନିମଂତେ ଲୋଡ଼ା ଯେଉଁ ମନ
ତାହାର ଉତ୍କଟ ଅଭାବ
ଘଟାଏ ଶବ୍ଦ ପ୍ରାଦୁର୍ଭାବ
‘ ହୃଦୟସ୍ପର୍ଶୀ ‘ ହୁଏ ଲେଖା
ଅସ୍ଥିର ସ୍ପଂଦନ ଅବିକା
ପାରସ୍ପରିକ ଟେକାଟେକି
ସତରେ ସରିବନାହିଁ କି ?
ଲେଖକ, ପାଠକ ସଂପର୍କ
ଲୋଡ଼େନି ଯୁକ୍ତିଯୁକ୍ତ ତର୍କ
ବିଶୁଦ୍ଧ ଶ୍ରଦ୍ଧା ଓ ଆଦର
ଏବେ ଅଧିକ ଦରକାର
ଶବ୍ଦ ହୋଇଲେ ଭାବଭରା
ଭାଷାଟେ ହୁଏନି ମୁଖରା
ମଂତ୍ର ଭଳି ସଂକ୍ଷିପ୍ତ ଉକ୍ତି
ଦିଏ ଭାଷାକୁ ପ୍ରାଣଶକ୍ତି
ଆମର ଲୋକେ ଶବ୍ଦପ୍ରିୟ
ସର୍ବଦା କରୁଥାଂତି ଭୟ
ଅଜଣା ଶବ୍ଦ ବାରଂବାର
କରଂତି ନିତି ବ୍ୟବହାର
ଶବ୍ଦ ତ ସର୍ବଦା ସୀମିତ
ତହିଁରେ ଭାବ ଅସୀମିତ
ପୂରାଇ ପାରିବା କୌଶଳ
ଭାଷାକୁ କରଇ ସବଳ
Comments are closed.