Latest Odisha News

BREAKING NEWS

ବଉଳର ଅଭିମାନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

କବିତାର ଗାଁ ଜଗନ୍ନାଥପୁରରେ ସ୍କୁଲ ନଥିଲା। ସେଥିପାଇଁ ତାକୁ ପ୍ରାୟ ଚାରି କିଲୋମିଟର ଚାଲି ଚାଲି ପାଖ ଗାଁ ରାମପୁରକୁ ଯିବାକୁ ପଡୁଥିଲା। ଅବଶ୍ୟ ସେ ଏକା ଯାଉନଥିଲା ସ୍କୁଲ। ତା ସାଙ୍ଗରେ ତା ଗାଁରୁ ଆହୁରି ଅନେକ ପିଲା ଯାଉଥିଲେ। ଯେଉଁମାନେ ତା ସାଙ୍ଗର, ସେମାନେ ତ ଠିକ୍ ଭାବେ ତା ସହିତ ଯାଆନ୍ତି, କିନ୍ତୁ ତାଠୁ ବଡ଼ ପିଲାମାନେ ବେଳେ ବେଳେ ତାକୁ ହଇରାଣ କରନ୍ତି। କିଏ ତା ମୁଣ୍ଡର ରିବନ୍ ଟାଣି ଦିଏ ତ, ଆଉ କିଏ ତା ହାତରୁ ଟିଫିନ୍ କ୍ୟାରେଜକୁ ଟାଣି ଦିଏ। କେହି କେହି ରାସ୍ତାରେ ମାଙ୍କଡ଼ ଅଛି କହି ଦୌଡ଼ି ପଳାନ୍ତି, ଯାହା ଫଳରେ ସେ ଡରି ଯାଏ। କାନ୍ଦି କାନ୍ଦି ସେମାନଙ୍କ ପଛରେ ଦୌଡ଼େ। ତା ଗାଁରେ ମାତ୍ର ତୃତୀୟ ଶ୍ରେଣୀ ଯାଏଁ ପଢ଼ିବା ପାଇଁ ଗୋଟିଏ ଛୋଟିଆ ସ୍କୁଲ ଥିଲା। ଚତୁର୍ଥ ଶ୍ରେଣୀ ପଢ଼ିବା ପାଇଁ ତାକୁ ଚାରି କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି। ତେବେ ଚାରି କିଲୋମିଟର ଚାଲି ଚାଲି ଫେରିବା ପରେ ସେ ଏତେ ଥକି ଯାଉଥିଲା ଯେ, ଘରେ ଆଉ ପାଠ ପଢ଼ିବା ଅବସ୍ଥାରେ ନଥିଲା ସେ। କବିତା ଏତେ ଭଲ ପଢୁ ନଥିଲା। ପଢ଼ିଥାନ୍ତା ବା କେମିତି, ତା ବାପା ତ ନିତି ଦିନିଆ କର୍ମ ଜଞ୍ଜାଳରେ ବ୍ୟସ୍ତ। ମାଆ ଆଦୌ କିଛି ପାଠ ପଢ଼ିନାହାନ୍ତି। ଏଭଳି ସ୍ଥଳେ ସେ ଭୁଲ୍ କଲା କି ଠିକ୍ କଲା, କହିବା ଲୋକ କେହି ନାହିଁ। ତେଣୁ ସେ ବଣର କଣ୍ଟା, ଜନ୍ମରୁ ଗୋଜିଆ। ଯାହା ଶିଖିଲା ବା ପଢ଼ିଲା ନିଜ ପ୍ରଚେଷ୍ଟାରେ।

କବିତା ଯେତେବେଳେ ରାମପୁର ସ୍କୁଲରେ ପଢୁଥିଲା, ସେତେବେଳେ ତା କ୍ଲାସରେ ସେହି ଗାଁର ଗୋଟିଏ ଝିଅ ପଢୁଥିଲା, ଯିଏ ପ୍ରାୟତଃ ଦେଖିବାକୁ ତା ଭଳି। ତା ନାଁ ଥିଲା ବିନୀତା। ଦୁହିଁଙ୍କୁ ଏକାଠି ଠିଆ କରାଇଦେଲେ ଯେ କେହି କହିବ ଗୋଟିଏ ମାଆର ଦୁଇଟି ଛୁଆ। ତେଣୁ ଅଧିକାଂଶ ସମୟରେ ଶ୍ରେଣୀର ଶିକ୍ଷକମାନେ ଉଭୟଙ୍କୁ କହନ୍ତି, ଆରେ ତୁମେ ଦୁଇ ଜଣ ତ ଏକାଭଳି ଦେଖିବାକୁ, ସଙ୍ଗାତ କି ମକର କି ବଉଳ ବସୁନ କାହିଁକି? ଏତେ ଛୋଟ ପିଲା ଦିଟା କଣ ବା ବୁଝୁଥିଲେ ମକର, ବଉଳରୁ। ତେଣୁ ସେମାନେ କେବଳ ସାଙ୍ଗ ହୁଅନ୍ତି। ଦିନେ ଉଭୟଙ୍କ ବାପା ସ୍କୁଲରେ ପରସ୍ପରକୁ ଭେଟିଲେ। ସେମାନେ କେହି ଅନ୍ୟ ଜଣକର ଝିଅକୁ ଦେଖିନଥିଲେ। ଯେତେବେଳେ ଦୁହେଁ କବିତା ଓ ବିନୀତା ଏକା ସାଙ୍ଗରେ ସ୍କୁଲରୁ ବାହାରିଲେ, ଉଭୟଙ୍କ ବାପା ଉଭୟଙ୍କୁ ଦେଖି ଆଶ୍ଚର୍ଯ୍ୟ। ସେଇଠୁ ଆରମ୍ଭ ହେଲା ସଂପର୍କ। ବଉଳ ଅମାବାସ୍ୟା ଦିନ ଦୁହେଁ ଏକା ଭଳି ପୋଷାକ ପିନ୍ଧି ପରସ୍ପରର ବଉଳ ବସିଲେ।

ଗୋଟିଏ ପରେ ଗୋଟିଏ ଶ୍ରେଣୀ ସେମାନେ ଅତିକ୍ରମ କରି ଚାଲିଥାନ୍ତି। ଏହାସହିତ ଉଭୟଙ୍କ ସମ୍ପର୍କ ନିବିଡ଼ ହେଉଥାଏ। ପର୍ବପର୍ବାଣୀରେ ଉଭୟେ ଉଭୟଙ୍କ ଘରକୁ ଯାଆନ୍ତି। କବିତା କେବେ କେମିତି ରାମପୁର ଆସି ତା ବଉଳ ଘରେ ତିନି ଚାରି ଦିନ ରହିଯାଏ। ଅନୁରୂପ ଭାବରେ ବିନୀତା। ଉଭୟେ ଉଭୟଙ୍କ ବାପା ମାଆଙ୍କୁ ବଉଳବାପା ଏବଂ ବଉଳମାଆ ବୋଲି ଡାକନ୍ତି। ହସ ଖୁସିରେ ଚାଲିଥାଏ ସେମାନଙ୍କ ଜୀବନ। ମାଟ୍ରିକ୍ ପରୀକ୍ଷାରେ କବିତା ଭାବୁଥିଲା ସେ ନିଜେ ଫେଲ୍ ହୋଇଯିବ। ବିନୀତା ଅପେକ୍ଷାକୃତ ଭଲ ପଢୁଥିଲା। ତେଣୁ ପାସ୍ ହେବା ନେଇ ତା ମନରେ କୌଣସି ଭୟ ନଥିଲା। କିନ୍ତୁ ସୌଭାଗ୍ୟବଶତଃ ଉଭୟେ ପାସ୍ କରିଥିଲେ ମାଟ୍ରିକ୍। ଅବଶ୍ୟ କବିତାଠୁ ବିନୀତା ରଖିଥିଲା ଅଧିକ ନମ୍ବର।

ସାଧାରଣତଃ ସାଙ୍ଗ ଯଦି ଅଧିକ ନମ୍ବର ରଖିଲା, ତାହେଲେ ଈର୍ଷ୍ୟା ହୁଏ। ସାଙ୍ଗର ସଫଳତାକୁ ଅନେକ ଲୋକ ସହଜରେ ଗ୍ରହଣ କରିପାରନ୍ତିନି। କିନ୍ତୁ ସେ ସବୁ କିଛି ନଥିଲା ସେମାନଙ୍କ ଭିତରେ। ଉଭୟେ ସାଙ୍ଗ ହୋଇ କଲେଜରେ ନାଁ ଲେଖାଇଲେ। ଗାଁରୁ ସାଇକିଲ୍ ଧରି କଲେଜ ଗଲେ। ଦିନେ କଲେଜ ଯିବା ବାଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହେଲା କବିତା। ଚେତା ଶବ୍ଦ କିଛି ନଥିଲା ତାର। ଡାକ୍ତରଖାନାରେ ଦୁଇ ଦିନ ପରେ ଚେତା ଆସିଲା ତାକୁ। ଏଣେ କାନ୍ଦି କାନ୍ତି ବିନୀତା ନୟାନ୍ତ। ଡାକ୍ତରଖାନାରେ ତାକୁ ଜଗି ବସିଥାଏ ସେ। ଯେତେବେଳେ କବିତାର ଚେତା ଫେରିଲା, ବିନୀତାର ଆନନ୍ଦ କହିଲେ ନସରେ। ସେ ସଙ୍ଗେ ସଙ୍ଗେ କହିଲା, ବୁଝିଲ ବଉଳ, ତମର ଚେତା ଫେରିଲେ ମୁଁ ଗାଁ ମହାଦେବ ମନ୍ଦିରରେ ନଡ଼ିଆ ବାଡ଼େଇବି ବୋଲି ମାନସିକ କରିଛି। ସତକୁ ସତ କବିତା ସୁସ୍ଥ ହୋଇ ଘରକୁ ଫେରିବା ପରେ ଉଭୟେ ରାମପୁର ମହାଦେବ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କଲେ। ଦେଖୁ ଦେଖୁ ନଈ ପାଣି ଭଳି ବହି ଚାଲିଥିଲା ସମୟ। କେତେବେଳେ କଲେଜ ସରିଗଲା ଜଣା ପଡ଼ିଲାନି।

ବିଶ୍ୱବିଦ୍ୟାଳୟକୁ ଗଲା ବିନୀତା। ଅଧିକ ପଢ଼ିବା ପାଇଁ। ହେଲେ କବିତାର ପାଠପଢ଼ାରେ ଡୋର ବନ୍ଧା ହୋଇସାରିଥିଲା। କାରଣ, ତା ବାପା ତାକୁ ଆଉ ପଢ଼ାଇବାକୁ ଚାହୁଁନଥିଲେ। ବରଂ ସେ ଚାହୁଁଥିଲେ, ଝିଅ ଏବେ ବିଏ ପଢ଼ି ସାରିଲାଣି, ଆଉ ଅଧିକ ପଢ଼ି କଣ କରିବ। ତା ବଦଳରେ ଘର କାମ ଶିଖୁ। ଶାଶୂଘରକୁ ଗଲେ କାମରେ ଆସିବ। ପାଠ ପଢ଼ା ଜୁନ୍ ମାସରେ ସରିଲା। ତା ପର ବର୍ଷ ଜୁନ୍ ପୂର୍ବରୁ କବିତାର ନିର୍ବନ୍ଧ ଶେଷ ହୋଇ ସାରିଥାଏ। ପାଖ ଗାଁର ହିଁ ଗୋଟିଏ ପୁଅ ସହିତ କବିତାର ବାହାଘର ସ୍ଥିର କରିଥିଲେ ତା ବାପାମାଆ। ନିଜ ବାହାଘରକୁ ନେଇ କବିତା ମନରେ ଥିଲା ଅନେକ ଉତ୍କଣ୍ଠା। ହେଲେ ସେ ଚାହୁଁଥିଲା, ତା ବଉଳର ବାହାଘର ବି ସେହି ଏକା ସମୟରେ ହେଉ। କିନ୍ତୁ ବଉଳ ଯେତେବେଳେ ପାଠ ପଢୁଛି, ତା ବାହାଘର ବା କେମିତି ହେବ? ସେ କଥା, ସେ ଚାହୁଁଥିଲା କହିବା ପାଇଁ ବିନୀତାକୁ। କିନ୍ତୁ କହିପାରୁନଥିଲା। ହେଲେ କବିତାର ବାହାଘରେ ସବୁଠୁ ବେଶୀ ଖୁସିଥିଲା ବିନୀତା। ସେ ଆସିଥିଲା, କବିତାର ବାହାଘରକୁ। ଅତି ସକ୍ରିୟତାର ସହିତ ସବୁ କାମରେ ସାମିଲ ହେଉଥିଲା ସେ। କବିତାର ବାହାଘର ସରିଲା ପରେ, ପୁଣି ହଷ୍ଟେଲକୁ ଫେରିଗଲା ବିନୀତା। ଏଣେ ବାହାଘର ପରେ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା କବିତାର ଦୁନିଆ। ଘରେ ଏକମାତ୍ର ଝିଅ ଭାବେ ସେ ଯେଉଁ ସ୍ୱାଧୀନତା ପାଇଥିଲା, ଆଉ ତାହା ନଥିଲା ଶାଶୂଘରେ। ଶାଶୂଘରର ଆଦବ କାଇଦା ଭିତରେ ତାକୁ ଢେର ସମୟ ଲାଗିଥିଲା ନିଜକୁ ଖାପ ଖୁଆଇବା ପାଇଁ। ବାହାଘରର ମାତ୍ର କିଛି ଦିନ ପରେ, ବେଙ୍ଗାଳୁରୁ ଗଲା କବିତା ତା ସ୍ୱାମୀ ସହ। କବିତାର ସ୍ୱାମୀ ସେଇଠି କାମ କରେ। ତେଣୁ ଘରଠୁ ଅନେକ ଦୂରରେ ଆରମ୍ଭ ହେଲା କବିତାର ନୂଆ ସଂସାର। ନିଜ ଗାଁ ଜଗନ୍ନାଥପୁରରୁ ବଉଳର ଗାଁ ରାମପୁର ଏବଂ ପାଖ ସହରର କଲେଜକୁ ଛାଡ଼ିଦେଲେ ସେ କେବେ ଆଉ କୁଆଡ଼େ ଯାଇନି। ଏମିତିକ କଲେଜରେ ପଢ଼ିଲା ବେଳେ ପିକନିକ୍ କିମ୍ବା ଏକ୍ସକର୍ସନରେ କୁଆଡ଼େ ବି ଯାଇନି ସେ। ଏଭଳି ସ୍ଥଳେ ବେଙ୍ଗାଳୁରୁ ଭଳି ମହାନଗରୀରେ କେମିତି ଚଳିବ ସେ? ସେଇ ଚିନ୍ତା ଘାରିଥାଏ ତାକୁ। ହେଲେ ସାହସ କରି ସ୍ୱାମୀକୁ କହିପାରୁନଥିଲା ସେ। ତେଣୁ ମନ ଦୃଢ଼ କରି ସଂସାର ଆରମ୍ଭ କରିଥିଲା କବିତା।

ନିଜ ନିତିଦିନିଆ ଜୀବନ ଭିତରେ ଏତେ ବ୍ୟସ୍ତ ହୋଇଗଲା ଯେ, ସେ ଚାହିଁଲେ ବି ଆଉ ବଉଳ ସହିତ କଥାବାର୍ତ୍ତା କରିପାରୁନଥିଲା। କେବେ କେମିତି ତା ହଷ୍ଟେଲ ଠିକଣାରେ ଖଣ୍ଡେ ଚିଠି ଲେଖୁଥିଲା କବିତା। ହେଲେ ଯେଉଁଦିନ ସେ ତା ପ୍ରତ୍ୟୁତ୍ତର ଚିଠିରୁ ଜାଣିଲା ଯେ, ଏମ୍.ଏ. ପରୀକ୍ଷା ଶେଷ ହେବା ମାତ୍ରେ ତା ବଉଳ ବିନୀତାର ବାହାଘର ହେବ। ଆନନ୍ଦରେ ଦୌଡ଼ି ଯାଇ କୁଣ୍ଢାଇ ଧରିଲା ତା ସ୍ୱାମୀଙ୍କୁ। କହିଲା, ମୁଁ ଆଜି ସବୁଠୁ ବେଶୀ ଖୁସି। ମୋ ବଉଳର ବାହାଘର ହେବ। ହେ .. ଶୁଣ .. ପ୍ଲିଜ୍, ମୋ ବଉଳର ବାହାଘରକୁ ଆମେ ତାଙ୍କ ଗାଁକୁ ଯିବା। ଦେଖ, ତମେ ଜମା ମନା କରିବନି। ଯେମିତି ହେଲେ ଅଫିସରୁ ଛୁଟି ବ୍ୟବସ୍ଥା କରିବ। ଯଦି ମୁଁ ବଉଳର ବାହାଘରକୁ ନଯାଏ, ତାହେଲେ ସବୁ ଅସୁବିଧା ହୋଇଯିବ। ତମେ ଦେଖିଛ ନା, ଆମ ବାହାଘର ବେଳେ କେତେ ଉତ୍ସାହର ସହ ସବୁ କାମ କରୁଥିଲା ବଉଳ? କଣ କହୁଛ? ପ୍ଲିଜ୍, ଆମେ ଯିବା ତ?

କବିତାର ସ୍ୱାମୀ କୌଣସି ଅଧିକ ଉତ୍ତର ନଦେଇ, କେବଳ ଗମ୍ଭୀର କଣ୍ଠରେ କହିଲା, ହଉ ସମୟ ଆସୁ ଦେଖିବା। ନିଜ ବଉଳର ବାହାଘରକୁ ନେଇ କେତେ କଣ ଯୋଜନା ପ୍ରସ୍ତୁତ କରିଥିଲା କବିତା। କହିବାଗକୁ ଗଲେ, ସେ ଖବର ପାଇବା ଦିନଠୁ ତାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିଲା। କିନ୍ତୁ ଯେଉଁଦିନ ସେମାନଙ୍କୁ ରାମପୁର ଯିବା ପାଇଁ ଘରୁ ବାହାରିବାର ଥିଲା, ସେଦିନ କୌଣସି ଏକ ବିଦେଶୀ କାମରେ ତା ସ୍ୱାମୀଙ୍କୁ ଦେଶ ବାହାରକୁ ଯିବାକୁ ପଡ଼ିଲା। ତେଣୁ ସେ ଗଲା ପରେ, ଆଉ ଏକାକୀ କେମିତି ଯିବ ବଉଳର ବାହାଘରକୁ? କିଛି ସ୍ଥିର କରିପାରୁନଥିଲା କବିତା। ବାଧ୍ୟ ହୋଇ ଗୋଟିଏ ଚିଠି ଲେଖିଲା ବିନୀତାକୁ। ..

ସ୍ନେହର ବଉଳ,

ଆଶା ଭଲ ଥିବ। ତମ ବାହାଘର ପାଇଁ ତମକୁ ଅନେକ ଅନେକ ଅଭିନନ୍ଦନ। ଈଶ୍ୱର କରନ୍ତୁ, ତମ ବୈବାହିକ ଜୀବନ ସୁଖମୟ ହେଉ। ତମର ସବୁ ଇଚ୍ଛା ପୂରଣ ହେଉ। ତେବେ ଗୋଟିଏ ଅନୁରୋଧ କରିବି ବଉଳ, ମୋ ଉପରେ ଜମାରୁ ରାଗିବନି। କି ଅଭିମାନ ବି କରିବନି। ପ୍ଲିଜ୍। କାରଣ, ସମସ୍ତ ପ୍ରସ୍ତୁତି ସତ୍ୱେ ମୁଁ ତମ ବାହାଘରକୁ ଆସିପାରୁନି। ମୋ ସ୍ୱାମୀଙ୍କୁ ଦେଶ ବାହାରକୁ ଯିବାକୁ ପଡ଼ିଛି। ଘରେ ମୁଁ ଏକା। ତେଣୁ ଆସିପାରୁନି। ପ୍ଲିଜ୍ ଭୁଲ୍ ବୁଝିବନି। ପରେ ଆମେ କେବେ ତମ ଘରକୁ ଏକାଠି ଆସିବୁ। ପୁଣି ଥରେ ତମକୁ ଢେର ଅଭିନନ୍ଦନ।

ରହୁଛି ..

ଇତି ତୁମର ବଉଳ

ସେ ଚିଠି ବିନୀତା ପାଇଛି କି ନାହିଁ ତାହା ଏ ଯାଏଁ ଜାଣିନି କବିତା। କିନ୍ତୁ କବିତା ତା ବାହାଘରକୁ ନ ଆସିବା ନେଇ ବିନୀତା ଏତେ ଦୁଃଖୀଥିଲା ଯେ, ସେ ସେହିଦିନଠୁଁ ହିଁ କବିତା ସହିତ ସମ୍ପର୍କକୁ ଶେଷ କରି ଦେଇଥିଲା। ନା ଆଉ କେବେ ଚିଠିର ଉତ୍ତର ଦେଲା ବିନୀତା, ନା କୌଣସି ଭଲ ମନ୍ଦରେ ତାକୁ ମନେ ପକାଇଲେ କେବେ। ଦେଖୁ ଦେଖୁ ଉଭୟ କବିତା ଓ ବିନୀତା ନିଜ ଦୁନିଆରେ ଏତେ ବ୍ୟସ୍ତ ହୋଇଗଲେ ଯେ, ସବୁ କିଛି ଭୁଲିଗଲେ। ଭୁଲିଗଲେ ପରସ୍ପରକୁ। ହେଲେ ପ୍ରକୃତରେ କଣ ଏମିତି ଏକ ସମ୍ପର୍କକୁ ଭୁଲିହୁଏ ? ଯାହା ସହିତ ନିଜ ଶୈଶବ, କୈଶୋର

ତେବେ ଏହି ଘଟଣାର ପ୍ରାୟ ବାର ବର୍ଷ ପରେ ଯେଉଁଦିନ କବିତାର ସାନ ଭାଇ ବାହାହେବା ପାଇଁ ସ୍ଥିର ହେଲା, ସେଦିନ କବିତା ସ୍ଥିର କରିଥିଲା ଏକ ନୂଆ ଯୋଜନା। ବଉଳ ସହିତ ସମ୍ପର୍କ, ଏତେ ବର୍ଷ ଧରି ତାକୁ ବାରମ୍ବାର ଅନ୍ୟମନସ୍କ କରିଆସିଛି। ତା ସ୍ୱାମୀଙ୍କ ଅନୁପସ୍ଥିତିରେ ଏକୁଟିଆ ବସି ସେ ଅନେକ ଥର କାନ୍ଦିଛି। ତେଣୁ ସେ କେବେ ବି ଚାହିଁନି, ତା ବଉଳ ସହିତ ତାର କେବେ ସମ୍ପର୍କରେ ତିକ୍ତତା ଆସୁ। ତେଣୁ ଏଥର ଭାଇ ବାହାଘର ପାଇଁ ଗାଁକୁ ଗଲା ପରେ, ସେ ସଙ୍ଗେ ସଙ୍ଗେ ବାହାରିଗଲା ତା ବଉଳର ଶାଶୂଘର ଗାଁକୁ । ସେ ଆସିବ ବୋଲି ଆଦୌ କୌଣସି ସୂଚନା ଦେଇନଥିଲା । ହଠାତ୍ ଯେତେବେଳେ ବିନୀତାର ଘରର କଲିଂ ବେଲକୁ ବଜାଇଲା କବିତା, ସେ ଦୌଡ଼ିଆସିଲା ଘର ଭିତରକୁ। ଦୁଆର ମୁହଁରେ ବଉଳକୁ ଦେଖି, ସବୁକିଛି ଭୁଲି ଯାଇଥିଲା ସେ। ସଙ୍ଗେ ସଙ୍ଗେ କୁଣ୍ଢାଇ ଧରିଲା ତାକୁ। କହିଲା, ତମେ ଏମିତି ମୋତେ ପର କରିଦେବ ବୋଲି ମୁଁ କେବେ ଭାବିନଥିଲି ବଉଳ। ମୋ ଦୁଆରକୁ ଆସିବା ପାଇଁ ତମକୁ ଏତେ ବର୍ଷ ଲାଗିଗଲା। କହିଲ ଦେଖି, ତମେ ମୋ ବାହାଘରକୁ ଆସିବା କଥା, ହେଲେ ତମେ ଏତେ ସମୟ ନେଇଗଲ ଯେ, ଏହାରି ଭିତରେ ମୋ ପୁଅ ହାଇସ୍କୁଲ ପଢ଼ିଲାଣି। ଯାହା ହେଉ, ମୁଁ ତ ଭାବିଥିଲି ତମେ ମୋତେ ସମ୍ପୂର୍ଣ୍ଣ ରୂପେ ଭୁଲି ସାରିଛ ବୋଲି। କୁହ, ଏତେ ଦିନରେ କେମିତି ମନେ ପଡ଼ିଲି ମୁଁ। କବିତା ବିନୀତାକୁ ଜାବୁଡ଼ି ଧରି କାନ୍ଦି ଉଠିଲା। ଯେତେ ଚେଷ୍ଟା କଲେ ବି ସେ ତା ଲୁହକୁ ନିୟନ୍ତ୍ରଣ କରିପାରୁନଥାଏ। ତା ପରେ କହିଲା, ମୁଁ ଭାବିଲି, ତମ ବାହାଘରକୁ ଆସିପାରିଲିନି ବୋଲି, ତମେ ମୋ ସହିତ ସମ୍ପର୍କ ତୁଟାଇ ଦେଲ। ହେଲେ ମୁଁ ଭୁଲ୍ ଥିଲି। ସେ ଯାହା ହେଉ, ଏବେ ମୋ ସାନ ଭାଇର ବାହାଘର। ତମକୁ ଯେମିତି ହେଲେ ଆସିବାକୁ ହେବ। ସେଥିପାଇଁ ମୁଁ ନିଜେ ନିମନ୍ତ୍ରଣ କରିବାକୁ ଆସିଛି। ବିନୀତା ହସିଲା। ଖୁବ୍ ଜୋରରେ ହସିଲା । କହିଲା, ତମେ ଆସିଛ ଯେତେବେଳେ ମୁଁ କେମିତି ନଯାଇ ରହିବି କହିଲ ବଉଳ? ମୁଁ ନିଶ୍ଚୟ ଯିବି। ଏକାକୀ ନୁହେଁ, ମୋ ପିଲା ପରିବାରକୁ ନେଇ।

କବିତାର ଭାଇ ବାହାଘର ଦିନ ଜଗନ୍ନାଥପୁରରେ ପହଞ୍ଚିଲା ବିନୀତା। ସାଙ୍ଗରେ ତା ଦୁଇଟି ପିଲା ଏବଂ ସ୍ୱାମୀ। ପହଞ୍ଚିବା ପରେ ନିଜ ବ୍ୟାଗରୁ ଗୋଟିଏ ଲଫାଫା ବାହାର କଲା ବିନୀତା। ତାକୁ ନେଇ କବିତା ହାତରେ ବଢ଼ାଇ ଦେଲା। କବିତା ସେଇ ଲଫାଫାଟିକୁ ଦେଖିଲା ପରେ ଲାଗୁଥିଲା ସତେଯେମିତି ସେ ସ୍ତବ୍ଧ ହୋଇଛି। ସେଇଟି ଥିଲା ସେ ନିଜ ଲେଖିଥିବା ସେଇ ଚିଠି। ଯେଉଁଥିରେ, ସେ ବିନୀତାର ବାହାଘରକୁ ନ ଆସିବାର କାରଣ ଲେଖିଥିଲା। ହେଲେ ଏ କଣ, ଏ ଚିଠିଟି ତ ଆଦୌ ଖୋଲା ଯାଇନି ହିଁ। ବିନୀତା କହିଲା, ତମ ଚିଠି ନପଢ଼ି ହିଁ ମୁଁ ଜାଣିସାରିଥିଲି ତମେ ଆସିବ ନାହିଁ ବୋଲି। ତେଣୁ ତମ ଉପରେ ଏତେ ଅଭିମାନ ଥିଲା ଯେ, ମୁଁ ଆଉ କେବେ ତମ ଚିଠି ଖୋଲିଲି ହିଁ ନାହିଁ। ସେଥିପାଇଁ ଏବେ ତମ ହାତରେ ସେ ଚିଠି। ନିଜେ ତାକୁ ଖୋଲ ଏବଂ ମୋ ସାମ୍ନାରେ ପଢ଼। ଅନ୍ତତଃ ତମ ଚିଠି ତମ ମୁହଁରୁ ଶୁଣିଲେ ଭଲ ଲାଗିବ। କବିତା କିଛି ନକହି, ସେଇ ଚିଠିଟିକୁ ଖୋଲି ଦେଲା ଏବଂ ପୁଣି ଥରେ ବିନୀତା ହାତକୁ ବଢାଇ ଦେଲା। ତା ପରେ ସେହି ଚିଠିକୁ ବିନୀତା ପଢ଼ିବା ଆରମ୍ଭ କରିବାକୁ ଗଲାବେଳେ ଘର ଭିତରୁ ମାଆଙ୍କ ପାଟି ଶୁଭିଲା। ସେ ଡାକୁଥିଲେ, ଆରେ ପିଲାମାନେ ସେଇଠି ସେଇ ଦୁଆର ମୁହଁଟାରେ ଖାଲି ଠିଆ ହୋଇଛ। ଘରକୁ ଆସିଲେ ହୁଅନ୍ତାନି । ମାଆଙ୍କ କଥା ଶୁଣି ଉଭୟେ ହସିଉଠିଲେ ଠୋ ଠୋ ହୋଇ।

 

ମିଡିଆ ଷ୍ଟଡିଜ
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

Leave A Reply

Your email address will not be published.