ନୂଆଦିଲ୍ଲୀ: ଅଣ ବିଜେପି ଶାସିତ ରାଜ୍ୟରେ ବିଜେପି ‘ଅପରେସନ୍ ଲୋଟସ୍’ ଚଳାଇଛି। ତେଲେଙ୍ଗାନାର ଶାସକ ଦଳ ଟିଆରଏସର ବିଧାୟକଙ୍କୁ ବିଜେପି କିଣିବାକୁ ପ୍ରୟାସ କରୁଛି। ଏପରି ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଆଉ ପ୍ରମାଣ ଦେବାକୁ ଯାଇ ଏକ ଅଡିଓ କ୍ଲିପ୍ ଶୁଣାଇଛନ୍ତି।ଯେଉଁଥିରେ ବିଜେପି ‘ଅପରେସନ୍ ଲୋଟସ୍’ ମାଧ୍ୟମରେ ଟିଆରଏସ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ ଆଣିଛନ୍ତି।
ମନୀଷ ସିସୋଦିଆ ଦାବି କରିଛନ୍ତି ଯେ ପୂର୍ବରୁ ଦିଲ୍ଲୀ, ପଞ୍ଜାବ ଏବଂ ଅନ୍ୟ ଆଠଟି ରାଜ୍ୟରେ ବିଜେପି ଏପରି ଉଦ୍ୟମ କରିଥିଲା ଏବଂ ଏଥର ତେଲେଙ୍ଗାନାରେ ବିଜେପି ଏପରି କରିବାକୁ ପ୍ରୟାସ କରିଛି। ଆପର ଏହି ବରିଷ୍ଠ ନେତା ଏକ ଅଡିଓ ଟେପ୍ ଜାରି କରି ଶୁଣାଇଛନ୍ତି ଯେଉଁଥିରେ ତେଲେଙ୍ଗାନାରେ ବିଜେପି ତେଲେଙ୍ଗାନା ରାଷ୍ଟ୍ର ସମିତିର ବିଧାୟକ କିଣିବା ପାଇଁ ମସୁଧା ହୋଇଥିବା ଅଭିଯୋଗ ହୋଇଛି।
କଥାବାର୍ତ୍ତା କରୁଥିବା ତିନି ଜଣଙ୍କ ମଧ୍ୟରୁ ଜଣେ ଗିରଫ ହୋଇଛନ୍ତି ବୋଲି ସିସୋଦିଆ କହିଛନ୍ତି। ତେଲେଙ୍ଗାନାରେ ବିଜେପି ଚାରିଜଣ ବିଧାୟକ କିଣିବା ପାଇଁ ୨୫-୨୫ କୋଟି ଟଙ୍କା ଦେଉଛନ୍ତି, ଆଉ ୪୩ ଜଣ ବିଧାୟକ କିଣିବା ପାଇଁ ୧୦୭୫ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଏହି ୧୦୭୫ କୋଟି ଟଙ୍କା କାହାର? ଏହି ଟଙ୍କା କେଉଁଠୁ ଆସୁଛି, କେଉଁଠାରୁ ବିଧାୟକ କିଣୁଛନ୍ତି? ଏହି ସମସ୍ତ ଅନୁସନ୍ଧାନ କରାଯିବା ଉଚିତ୍ ବୋଲି ସିସୋଦିଆ ଦାବି କରିଛନ୍ତି।
ସିସୋଦିଆ କହିଛନ୍ତି ଯେ ଏହି ମାମଲାରେ ବିଜେପି ନେତା ବି.ଏଲ୍ ସନ୍ତୋଷ ଏବଂ ଅମିତ ଶାହାଙ୍କ ସଂପୃକ୍ତି ରହିଛି। ଦେଶର ଗୃହମନ୍ତ୍ରୀ ଅମିତ ଶାହା ଏବେ ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ। କାରଣ ଯଦି ଦେଶର ଗୃହମନ୍ତ୍ରୀ ଅମିତ ଶାହ ଷଡଯନ୍ତ୍ର କରି ବିଧାୟକ କିଣିବିକାରେ ନିୟୋଜିତ ଅଛନ୍ତି, ତେବେ ଏହା ଦେଶ ପାଇଁ ବିପଦଜନକ ହୋଇପାରେ ବୋଲି ସିସୋଦିଆ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨୭ ରେ ହାଇଦ୍ରାବାଦର ସାଇବରବାଦରେ ବିଜେପି ବିଧାୟକ କିଣୁଥିବା ନେଇ ଅଭିଯୋଗ ହୋଇଛି। ଏଥିସହ ୧୦୦ କୋଟି ଟଙ୍କା ଧରି ଧରାପଡିଛି। ସେହିପରି ମନୀଷ ସିସୋଦିଆ ମଧ୍ୟ ଅବକାରୀ ଦୁର୍ନୀତି ମାମଲାରେ ଫସିଛନ୍ତି। ସିବିଆଇ ଏବଂ ଇଡି ଏହି ମାମଲାର ତଦନ୍ତ କରୁଥିବା ବେଳେ ସିବିଆଇ ଜେରାରର ସାମ୍ନା କରିଛନ୍ତି ସିସୋଦିଆ।
Comments are closed.