Latest Odisha News

ଧାମନଗରର ଭୁଲ୍ ପଦ୍ମପୁରରେ ଦୋହରାଇବ କି ବିଜେଡି?

ଭୁବନେଶ୍ୱର: ଭଦ୍ରକ ଧାମନଗର ବିଧାନସଭା ଉପନିର୍ବାଚନ ପରେ ଏବେ ନେତାଙ୍କ ନଜର ରହିଛି ପଦ୍ମପୁର ପଲିଟିକ୍ସ ଉପରେ। ବରଗଡ ଜିଲ୍ଲାର ଏହି ଆସନରେ ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାରି ଭିତରେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବେ ଆପତତଃ ସୁନିଶ୍ଚିତ ହୋଇଥିବା ବେଳେ ବିଜେଡି କାହାକୁ ପ୍ରାର୍ଥୀ କରିବ ତା ଉପରେ ରହିଛି ସମସ୍ତଙ୍କ ନଜର।

ବିଜେଡି ଏହି ଆସନ ପାଇଁ ଦିବଂଗତ ବିଧାୟକଙ୍କ ପରିବାର ସଦସ୍ୟକୁ ବିଧାୟକ ପ୍ରାର୍ଥୀ କରିବ ନା ସ୍ଥାନୀୟ କୈଣସି ନେତାଙ୍କୁ ଟିକେଟ ଦେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦିଓ ପୂର୍ବରୁ ବିଜେଡି ଉପନିର୍ବାଚନରେ ଦିବଂଗତ ବିଧାୟକଙ୍କ ପରିବାରକୁ ପ୍ରାର୍ଥୀ କରିବା ସହିତ ମହିଳା କାର୍ଡକୁ ଗୁରୁତ୍ୱ ଦେଇ ସଫଳ ହୋଇଛି। ହେଲେ ଧାମନଗର ଜନାଦେଶ ବିଜେଡି ତାର ଚିରାଚରିତ ରଣନୀତିରେ ପରିବର୍ତନ କରିପାରେ।

ଅନ୍ୟପଟେ ଦିଂବଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପତ୍ନୀ ତିଳୋତ୍ତମା ବରିହା ବିଧାୟକ ଭାବେ ଦଳୀୟ ଟିକେଟରୁ ଲଢିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଦଳୀୟ ଟିକେଟରେ ପ୍ରାର୍ଥୀ ହୋଇ ତାଙ୍କ ସ୍ୱାମୀଙ୍କ ପରି ଲୋକଙ୍କ ସେବା କରିବାକୁ ଇଚ୍ଛୁକ ବୋଲି କହିଛନ୍ତି।

ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହାରିବା ପରେ ଦଳର ପୂର୍ବତନ ନେତା ଦାମୋଦର ରାଉତ କହିଛନ୍ତି, ବିଧାୟକ ପ୍ରାର୍ଥୀ କିଏ ହେବେ ତାହା ଭୁବନେଶ୍ୱରରୁ ରହି ନିଷ୍ପତ୍ତି ନିଆଯିବା ଠିକ୍ ନୁହେଁ। ପ୍ରଥମେ ସ୍ଥାନୀୟ ଲୋକଙ୍କ ମତ ଦିଆଯିବା ଦରକାର। ମହିଳା କାର୍ଡ ଖେଳିବା ଅପେକ୍ଷା ସେହି ନେତ୍ରୀ ଜଣଙ୍କ ସଂପୃକ୍ତ ଅଞ୍ଚଳରେ କେତେ ସକ୍ରିୟ ଅଛନ୍ତି ଦେଖିବା ଜରୁରୀ ବୋଲି ସେ କହିଥିଲେ। ନଚେତ ରାଜେନ୍ଦ୍ର ଦାସଙ୍କ ଭଳି ବିଦ୍ରୋହୀ ତିଆରି ହେବା ସ୍ବାଭାବିକ। ଭୋଟର ଏବେ ସଚେତନ ହେଲେଣି ତେଣୁ କାହାକୁ ଥୋପିଦେଲେ ଭୋଟର ଭୋଟ୍ ଦେବେ ଭାବିବା ଭୁଲ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ଯ, ଏହି ଧାମନଗର ଉପନିର୍ବାଚନ ବେଳେ ଶାସକ ଦଳ ମିଶନ ଶକ୍ତି ସହିତ ମହିଳା ଭୋଟ୍ ବ୍ଯାଙ୍କ ଉପରେ ଗୁରୁତ୍ୱ ଦେଇଥିଲା। ହେଲେ ଫଳାଫଳ ଓଲଟା ହୋଇଛି। ତେଣୁ ଏବେ ପଦ୍ନପୁରରେ ବିଜେଡି ମହିଳା କାର୍ଡ ଖେଳିବ ନା ସ୍ଥାନୀୟ ଲୋକଙ୍କ ମୁଡ ପରଖି ପ୍ରାର୍ଥୀ ଦେବ ତାଉପରେ ରହିଛି ନଜର। ଯଦି ବିଜେଡି ମହିଳା କାର୍ଡ ସହିତ ଅନୁକମ୍ପା ମୂଳକ ଭୋଟ୍ ହାତେଇବାକୁ ଦିବଂଗତ ବିଧାୟକଙ୍କ ପତ୍ନୀ ତିଳୋତ୍ତମାଙ୍କୁ ପ୍ରାର୍ଥୀ କରି ଏବଂ ଧାମନଗରର ରାଜେନ୍ଦ୍ର ଦାସଙ୍କ ଭଳି ବିଦ୍ରୋହୀ ନେତା ବିରୋଧୀ ବିଜେପି ସହିତ କିମ୍ବା ସ୍ୱାଧୀନ ଭାବେ ପ୍ରାର୍ଥୀ ହୁଅନ୍ତି ତାହେଲେ ବିଜେଡି ପୁଣିଥରେ ଅୁଡଆରେ ପଡିପାରେ।

ଏହି ଆସନରେ ପୂର୍ବତନ ବିଜେପି ବିଧାୟକ ରାଜନୀତିରେ ସକ୍ରିୟ ରହିଛନ୍ତି। ଯେଉଁ ଅନୁକମ୍ପା ମୂଳକ ଭୋଟ୍ କାଟିବାକୁ ଧାମନଗରରେ ବିଜେଡି ବିଜେପି ବିରୋଧରେ ରଣକୌଣଳ ଆପାଇଥିଲେ ତାହା ଯଦି ବିଜେପି ପ୍ରୟୋଗ କରେ? କାରଣ ପଶ୍ଚିମ ଓଡ଼ିଶାରେ ବିଜେପି ଉପକୂଳ ତୁଳନାରେ ଅଧିକ ସକ୍ରିୟ ରହିଛି। ବିରୋଧୀ ଦଳର ନେତା ମଧ୍ୟ ନିଜେ ପଶ୍ଚିମ ଓଡ଼ିଶାର।

ସେହିପରି କଂଗ୍ରେସ ମଧ୍ୟ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ରହିଛି। ହେଲେ ପିସିସି ସଭାପତି କିଶୋର ପଟେଲଙ୍କ ନେତୃତ୍ୱରେ ଏକ ଟିମ୍ ପଦ୍ନପୁର ଗସ୍ତ କରିଛି। ରିପୋର୍ଟ ଆସିଲା ପରେ ଦଳର ଶୀର୍ଷ ନେତା କାହାକୁ ଟିକେଟ ଦିଆଯିବ ସେ ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି।

Comments are closed.