ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ଜୋରଦାର କରିଛି। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଉଠାଇ ନେବା ପରେ ଆଜି ଇଡି ଗିରଫ କରିଛି।
ଖଗେଶ୍ବର ପାତ୍ରଙ୍କୁ ତାଙ୍କ ପୈତୃକ ଗାଁ ଗଙ୍ଗେଶ୍ୱରରୁ ଉଠାଇ ନେଇ ଇଡି କାର୍ଯ୍ୟାଳୟରେ ପଚରାଉଚରା କରିଥିଲା। ଖଗେଶ୍ବର ପାତ୍ରଙ୍କ ମୋବାଇଲ୍ ଫୋନ୍, କାଗଜପତ୍ର ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି ଇଡି। ଏହା ସହିତ ଅର୍ଚ୍ଚନାଙ୍କ ମହିନ୍ଦ୍ରା ଥର୍ ଗାଡ଼ିକୁ ମଧ୍ୟ ଗତକାଲି ଜବତ କରିଛି ଇଡି।
ଗତକାଲି ଅଧିକାରୀମାନେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହ ସମ୍ପୃକ୍ତ ୬ଟି ସ୍ଥାନରେ ଚଢ଼ଉ କରିଥିଲେ। ସେମାନଙ୍କ ମଧ୍ୟରେ ଅର୍ଚ୍ଚନଙ୍କ ପୈତୃକ ବାସଭବନ, ଭୁବନେଶ୍ୱରସ୍ଥିତ ସତ୍ୟବିହାର ବାସଭବନ ଓ ଜଳେଶ୍ୱର ସ୍ଥିତ ଶାଶୂଘର ଥିଲା।
ରାଜନୈତିକ ନେତାଙ୍କ ସମେତ ହାଇପ୍ରୋଫାଇଲ ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରି ମାତ୍ର ୪ ବର୍ଷ ମଧ୍ୟରେ ଅର୍ଚ୍ଚନା-ଜଗବନ୍ଧୁ ୩୦ କୋଟିରୁ ଅଧିକ ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଛି। ଇଡି ଏହି ମାମଲାରେ ଅର୍ଚ୍ଚନାଙ୍କ ଦୁଇ ସହଯୋଗୀ ଖଗେଶ୍ବର ପାତ୍ର ଏବଂ ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ଯୁବତୀ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଉଭୟଙ୍କୁ ହାଜର ହୋଇ ଜେରାର ସାମ୍ନା କରିବାକୁ କହିଥିଲା।
ଉଲ୍ଲେଖଯୋଗ୍ୟ, ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଝାରପଡ଼ା ଜେଲରେ ରହିଛନ୍ତି। କିଙ୍ଗପିନ୍ ଅର୍ଚ୍ଚନାଙ୍କୁ ଗତ ଅକ୍ଟୋବର ୭ ତାରିଖରେ ବଡ଼ବଡ଼ିଆଙ୍କୁ ହନିଟ୍ରାପ୍ କରି ସେମାନଙ୍କଠାରୁ ଟଙ୍କା ଆଦାୟ କରିବା ଅଭିଯୋଗରେ ଗିରଫ କରିଥିଲା ପୋଲିସ। ଗତ ୧୭ ତାରିଖରେ ଭୁବନେଶ୍ବର ସ୍ଥିତ ଏସଡିଜେଏମ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଗତ ଅକ୍ଟୋବର ୨୧ ତାରିଖରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରାଯାଇଥିଲା। ଭୁବନେଶ୍ୱର ସତ୍ୟବିହାରସ୍ଥିତ ବାସଭବନରୁ ତାଙ୍କୁ ଉଠାଇ ନେଇ ଗିରଫ କରିଥିଲା ପୋଲିସ।
ଗତ ଅକ୍ଟୋବର ୨ ତାରିଖରେ ଜଣେ ମହିଳା ପୀଡ଼ିତା ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ଜଗବନ୍ଧୁ ଓ ତାଙ୍କ ସହଯୋଗୀ ଖଗେଶ୍ୱର ପାତ୍ର ହିଁ ତାଙ୍କୁ ଫସାଇଥିଲେ। ଏହାସହ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ବ୍ୟବହାର କରି କୋଟି କୋଟି ଟଙ୍କା ରୋଜଗାର କରିଥିବା ସେ ଉଲ୍ଲେଖ କରିଛନ୍ତି।
Comments are closed.