Latest Odisha News

BREAKING NEWS

ମିଡ ଡେ ମିଲରେ ପୋକ, ସାର କହିଲେ ଏଥିରେ ଅଛି ଭିଟାମିନ

ପ୍ରତିଦିନ ସ୍କୁଲରେ ଦିଆଯାଉଛି ମିଡ ଡେ ମିଲ । ଭୋକିଲା ପେଟରେ ପିଲା ପାଠ ପଢିବେନି । ସେଥିପାଇଁ ସରକାର କରିଛନ୍ତି ଏମିତି ବ୍ୟବସ୍ଥା । ହେଲେ ପିଲାଙ୍କ ପେଟ ସହ ସବୁବେଳେ ଏମିତି ଖେଳ କାହିଁକି ? କେତେବେଳେ ପାଣିଆ ଡ଼ାଲି ତ ପୋକରା ଚାଉଳର ଭାତ । ମିଡ ଡେ ମିଲକୁ ନେଇ ଏମିତି ଅବ୍ୟବସ୍ଥା ଆମେ ଅନେକ ସମୟରେ ଶୁଣି ଆସୁଛୁ । ହେଲେ ବିହାରର ଏଇ ସ୍କୁଲର ଅବ୍ୟବସ୍ଥା ଏବଂ ପ୍ରଧାନ ଶିକ୍ଷକଙ୍କ ଅପାରଗତା ସବୁ ସୀମା ଟପିଯାଇଛି । ମଧ୍ୟାହ୍ନ ଭୋଜନରେ ବାହାରିଲା ପୋକ । ଆଉ ପିଲାମାନେ ଅଭିଯୋଗ କରିବାରୁ ପ୍ରଧାନ ଶିକ୍ଷକ ଯାହା କହିଲେ ଆପଣଙ୍କ ମୁଣ୍ଡ ବି ଗୋଲ ହୋଇଯିବ ।  ସମସ୍ୟାର ସମାଧାନ କରିବେ କ’ଣ ପ୍ରଧାନଶିକ୍ଷକ କହିଲେ ପୋକରେ ଭିଟାମିନ ଅଛି, ଖାଇଦିଅ ।

ଘଟଣା ଦେଖିବାକୁ ମିଳିଛି ବିହାରର ବୈଶାଳୀ ଜିଲ୍ଲାର ଲାଲଗଞ୍ଜ ସ୍ଥିତ ଏକ ମାଧ୍ୟମିକ ସ୍କୁଲରେ । ଗତକାଲି ପିଲାମାନେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବାକୁ ବସିଲେ । ହେଲେ ଖାଦ୍ୟରେ ପୋକ ଦେଖି  ଛାତ୍ରମାନେ ନ ଖାଇ ଉଠିଗଲେ । ଏ ନେଇ ପିଲାମାନେ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ  ହେଲେ ପ୍ରଧାନ ଶିକ୍ଷକ ସମାଧାନ କରିବେ କ’ଣ ପିଲାଙ୍କୁ ଓଲଟା  ଜ୍ଞାନ ବାଣ୍ଟିଲେ ।

ସାର କହଲେ, ପୋକରେ ଭିଟାମିନ ଥାଏ ।  ଚୁପଚାପ ଖାଇଦିଅ । ହେଲେ ଛାତ୍ରମାନେ ପୋକରା ଖାଦ୍ୟକୁ ଖାଇ ପାରି ନ ଥିଲେ ।  ପିଲାଙ୍କ ଅମାନିଆ ପଣଆକୁ ଦେଖି ରାଗିଗଲେ ସାର । ପିଲାଙ୍କୁ ମାଡ ମାରିବା ସହ ଗୋଟିଏ ଛାତ୍ରର ହାତ ଭାଙ୍ଗି ଦେଇଥିଲେ ।    ହାତ ଭାଙ୍ଗି ଥିବା ଛାତ୍ରର ପରିବାର ଲୋକେ ଆସି ସ୍କୁଲରେ ହଟଗୋଳ କରିଥିଲେ ।

ପୁରା ମାମଲା ଶିକ୍ଷା ବିଭାଗ ପାଖକୁ ଗଲା ପରେ ଏକ ଟିମ୍ ଗଠନ କରାଯାଇ ଏହି ମାମଲାର ଯାଞ୍ଚ କରିବା ପାଇଁ ସ୍କୁଲକୁ ପଠାଯାଇଛି । ଟିମରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ପର୍ଶୁରାମ ସିଂହ ଛାତ୍ର ମାନଙ୍କ କଥା ହେବା ସହ ହାତ ଭାଙ୍ଗି ଯାଇଥିବା ଛାତ୍ରର ମେଡିକାଲ ରିପୋର୍ଟ ଦେଖିଛନ୍ତି । ମାଡ ମାରିବା ଅଭିଯୋଗ ଯଦି ସତ ହୁଏ ତେବେ ପ୍ରଧାନ ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିମ କହିଛି ।

Comments are closed.