Latest Odisha News

BREAKING NEWS

ଆଜି ପ୍ରଥମାଷ୍ଟମୀ: ଘରେ ଘରେ ଏଣ୍ଡୁରି ପିଠାର ମହକ

ଭୁବନେଶ୍ୱର : ଆଜି ପବିତ୍ର ପ୍ରଥମାଷ୍ଟମୀ । ପରିବାରର ପ୍ରଥମ ସନ୍ତାନଙ୍କ ପାଇଁ ଦିନଟିଏ । ଯାହାକୁ ପଢୁଆଁଷ୍ଟମୀ ବୋଲି ମଧ୍ୟ କୁହାଯାଏ । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ ହୁଏ । ଜ୍ୟେଷ୍ଠ ପୁତ୍ରଙ୍କୁ ଏହି ଦିନ ପୂଜା କରାଯାଏ । ଘରେ ଘରେ ପ୍ରଥମାଷ୍ଟମୀରେ ବଡ ପୁଅ ବା ବଡ ଝିଅକୁ ମାଆ ମାନେ ବନ୍ଦାପନା କରନ୍ତି । ଏଣ୍ଡୁରି ପିଠା ତିଆରି ହୁଏ । ଗୋସେବା କରି ଆଶିର୍ବାଦ ଲାଭ କରାଯାଏ ।

ପରିବାରର ପ୍ରଥମ ସନ୍ତାନଙ୍କୁ ସ୍ନାନ କରାଇ ନୂଆ ବସ୍ତ୍ର ପିନ୍ଧାଇ ଚନ୍ଦନ ଲଗାଇ ବନ୍ଦାପନା କରାଯାଏ । ନୂଆ ଚାଉଳରେ ଖିରି, ଖେଚେଡି, ଏଣ୍ଡୁରି, କାକରା ଆଦି ପିଠା କରି ମାଆ ଲକ୍ଷ୍ମୀଙ୍କ ନିକଟରେ ଭୋଗ ଲାଗି ହୁଏ । ମାଆମାନେ ଷଷ୍ଠୀ ପୂଜା କରନ୍ତି । ବଡ଼ ପୁଅ ବା ଝିଅର ଦୀର୍ଘାୟୁ କାମନା ପାଇଁ ଦେବୀଙ୍କୁ ପ୍ରାର୍ଥନା କରାଯାଏ । ମାମୁଁ ଘରୁ ପଢୁଆଁ ଭାର ଆସିଥାଏ ।

ପରିବାରର ଜ୍ୟେଷ୍ଠ ସନ୍ତାନକୁ ଏଭଳି ସମ୍ମାନ ଦେବା ଆମ ଓଡ଼ିଆ ପରମ୍ପରାର ନିଚ୍ଛକ ଦୃଶ୍ୟ, ଯାହା ଅନ୍ୟ କୌଣସି ରାଜ୍ୟ ବା ଦେଶରେ ଦେଖିବାକୁ ମିଳିନଥାଏ । ବିବାହିତ ଝିଅମାନଙ୍କୁ ପଢୁଆଁ କରିବାକୁ ପିତାମାତା ତାର ଶାଶୁଘରକୁ ନୂଆ ବସ୍ତ୍ର ସହିତ ନାନା ମିଷ୍ଟାନ୍ନ ପଠାଇଥାନ୍ତି । ପ୍ରଥମାଷ୍ଟମୀ ଲିଙ୍ଗରାଜ ମହାପ୍ରଭୂଙ୍କ ଆଦ୍ୟଯାତ୍ରା । ଓଡିଆଙ୍କ ଆରାଧ୍ୟା ଦେବତା ଶ୍ରୀଜଗନ୍ନାଥ ମଧ୍ୟ ପଢୁଆଁ ହୁଅନ୍ତି ।

ଶ୍ରୀମନ୍ଦିରକୁ ମାମୁଁ ଘର ନିଆଳି ମାଧବ ଜିଉଙ୍କ ଘରୁ ପଢୁଆଁ ଭାର ଆସିଥାଏ । ନବ ବସ୍ତ୍ର, ନାନା ବ୍ୟଞ୍ଜନ, ଫଳମୂଳ ଭାରରେ ରହିଥାଏ । ଭାରକୁ ବୋହି ବୋହି ଶ୍ରୀମନ୍ଦିର ପର୍ଯନ୍ତ ନେଇ ଆସିଥାନ୍ତି ଭାରୁଆ । ଭାରକୁ ନେବା ସମୟରେ ଭଜନ କୀର୍ତ୍ତନ କରି ହରି ନାମ ସହିତ ଆଣିଥାନ୍ତି ଭାରୁଆ ।  ପ୍ରଥମାଷ୍ଟମୀ ଓଡିଶାର ଘରେ ଘରେ ଖୁବ ଆନନ୍ଦ ଉଲ୍ଲାସରେ ପାଳନ ହୁଏ ।

Comments are closed.