Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନ: ଶେଷ ଦିନରେ ତିନି ଦଳ ପାର୍ଥୀପତ୍ର ଦାଖଲ କରିବେ !

ପଦ୍ମପୁର: ଶେଷ ଦିନରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିପାରନ୍ତି। ୧୪ ତାରିଖରେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିଥାନ୍ତେ। ହେଲେ ନାଟକୀୟ ଢ଼ଙ୍ଗରେ ସେ ଚାଷୀଙ୍କ ଦାବିକୁ ସମର୍ଥନ ଜଣାଇ ଉପଜିଲ୍ଲାପାଳଙ୍କ ଅଫିସ ପହଞ୍ଚିବା ପୂର୍ବରୁ ଫେରିଆସିଥିଲେ। ଏହାରି ଭିତରେ ଯଦିଓ ତିନି ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ହେଲେ ଆଜି ମଧ୍ୟ କେହି ନାମାଙ୍କନ ଦାଖଲ କରିନାହାନ୍ତି। ତେଣୁ ଶେଷ ଦିନରେ ତିନି ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରନ୍ତି।

ବିଜେପି ନିର୍ବାଚନରେ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରି ଚାଷୀ କାର୍ଡ ଖେଳି ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜେଡି ଦିବଂଗତ ବିଧାୟକ ବର୍ଷା ବରିହା ସିଂଙ୍କୁ ପ୍ରାର୍ଥୀ କରି ମହିଳା ସହିତ ଅନୁକମ୍ପା ମୂଳକ କାର୍ଡ ଖେଳିଛି। ସେହିପରି କଂଗ୍ରେସ ଏହି ଆସନରୁ ତିନି ଥର ବିଧାୟକ ହୋଇଥିବା ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି।

ଏହାରି ଭିତରେ ଚାଷୀଙ୍କର ଯେଉଁ ଦାବି ଥିଲା ସେ ନେଇ ବାଟ ଫିଟିଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ନମିଳିବା ନେଇ ପଦ୍ମପୁରର ଚାଷୀ ଦାବି କରୁଥିଲେ। ଏହି ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ତୋମାର ଟ୍ୱିଟ୍ କରି ସଂପୃକ୍ତ ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ଟଙ୍କା ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ସମସ୍ତ ଅର୍ଥ ରାଜ୍ୟ ସରକାର ନିଜ ରାଜକୋଷରୁ ପ୍ରଦାନ କରିବେ।

ଉଲ୍ଲେଖଯୋଗ୍ୟ, କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରାର୍ଥୀମାନେ ନଭେମ୍ବର ୧୭ ସୁଦ୍ଦା ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିବେ। ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ନଭେମ୍ବର ୨୧। ଭୋଟ୍ ଡିସେମ୍ବର ୫ରେ ପଡିବ,  ୮ରେ ଫଳାଫଳ ଘୋଷଣା ହେବ।

Comments are closed.