Latest Odisha News

କଲେଜରେ ନିର୍ବାଚନ ବାତିଲ ନେଇ ବର୍ଷିଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ରହିଛି। ଏହାକୁ ନେଇ ବର୍ଷିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏପରି କହି ସେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଏହାଦ୍ବାରା ରାଜ୍ୟରେ ଆଗାମୀ ଦିନରେ ନେତାଙ୍କ ଅଭାବ ରହିବ ବୋଲି ସେ ଆଶଙ୍କା କରିଛନ୍ତି।

ଗୁରୁବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୮୯ଙ୍କh ଜନ୍ମବାର୍ଷିକୀ ଅବସରରେ ଯୋଗ ଦେଇଥିଲେ ବିଧାୟକ ତଥା ରାଜ୍ୟର ବରିଷ୍ଠ ସାମ୍ବାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ଅବସରରେ ସେ କହିଛନ୍ତି, କଲେଜ ନିର୍ବାଚନ ସ୍ଥଗିତ ହେଲେ ଭବିଷ୍ୟତରେ ନେତୃତ୍ୱର ଅଭାବ ଦେଖାଦେବ। ଗତ ତିନି ଚାରି ବର୍ଷ ହେଲା କୌଣସି କଲେଜରେ ଆମେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଦେଉନାହୁଁ। କେଉଁ ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଛି ତାହା ମୁଁ ଜାଣିନାହିଁ। ଏହାର ପରିଣାମ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆଜି ଜଣେ ଛାତ୍ର ଛିଡ଼ା ହୋଇ ସର୍ବସାଧାରଣଙ୍କ ଆଗରେ କିଛି କଥା କହିବାକୁ ସାହସ ଜୁଟାଇ ପାରିବ ନାହିଁ ବୋଲି ସୌମ୍ୟରଞ୍ଜନ କହିଛନ୍ତି।

ସେ ନିଜର ଛାତ୍ର ଜୀବନ ବାବଦରେ ମନେ ପକାଇ କହିଛନ୍ତି, ଜଣେ ଛାତ୍ର ରାଜନୀତିରେ ସାମିଲ ହେଲେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନେତୃତ୍ୱ ନେବାର ସୁଯୋଗ ସୃଷ୍ଟି ହୁଏ। ହେଲେ ଏବେ ଯେଉଁପରି ବ୍ୟବସ୍ଥା ହେଉଛି ତାହା ଆଗାମୀ ଦିନରେ ନେତାଙ୍କ ଅଭାବକୁ ଦର୍ଶାଇବ। ତେଣୁ ସେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରାମର୍ଶଦାତାଙ୍କୁ ଅନୁରୋଧ କରି କହିଛନ୍ତି, ଯେଉଁ କାରଣ ପାଇଁ ନିର୍ବାଚନ ବନ୍ଦ ରହିଛି ତାର ପୁନର୍ବିଚାର କରାଯାଉ।

ଉଲ୍ଲେଖଯୋଗ୍ୟ, ୨୦୧୮ରେ ବାତ୍ୟା ତିତଲି, ୨୦୧୯ରେ କଲେଜ କ୍ୟାମ୍ପସରେ ହିଂସା। ପରେ ୨୦୨୦ରୁ କରୋନା ମହାମାରୀ ଯୋଗୁଁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଥିଲା। ଚଳିତ ବର୍ଷ ମଧ୍ୟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ଖଣ୍ଡପଡାର ଏହି ବିଜେଡି ସାଂସଦ ପୂର୍ବରୁ ମଧ୍ଯ ନିଜ ଦଳର ନେତୃତ୍ବକୁ ଖୋଲାଖୋଲି ସମାଲୋଚନା କରିଛନ୍ତି।

Comments are closed.