ତିରୁମାଲା ମନ୍ଦିରକୁ ୧୨୧ କେଜି ସୁନା ଦାନ କରି ଚର୍ଚ୍ଚାରେ ଚେନ୍ନାଇର ବ୍ୟବସାୟୀ ବର୍ଦ୍ଧମାନ ଜୈନ; ଜାଣନ୍ତୁ କିଏ ଏହି ଶିଳ୍ପପତି?
ତିରୁପତି: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ତିରୁପତି ମନ୍ଦିରକୁ ୧୨୧ କିଲୋଗ୍ରାମର ସୁନା ଅଳଙ୍କାର ଦାନ କରି ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଚେନ୍ନାଇର ବିଶିଷ୍ଟ ଶିଳ୍ପପତି ବର୍ଦ୍ଧମାନ ଜୈନ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ବର୍ଦ୍ଧମାନ ଜୈନ ଏବଂ ତାଙ୍କ ପତ୍ନୀ ରାଧିକା ଜୈନ ଭଗବାନ ଶ୍ରୀ ଭେଙ୍କଟେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରାୟ ୧୬୦ରୁ ୨୦୬ କୋଟି ଟଙ୍କା ମୂଲ୍ୟର ଏହି ୪୦ ପ୍ରକାରର ସୁନା ଅଳଙ୍କାର ଅର୍ପଣ କରିଛନ୍ତି। ଏଥିରେ ସୁନାର ମୁକୁଟ, ବାହୁବନ୍ଧ, ଅଣ୍ଟାସୂତା ଓ ଦେବୀ ପଦ୍ମାବତୀଙ୍କ ପାଇଁ ସ୍ୱତନ୍ତ୍ର ଅଳଙ୍କାର ସାମିଲ ରହିଛି।
କିଏ ଏହି ବର୍ଦ୍ଧମାନ ଜୈନ?
ବର୍ଦ୍ଧମାନ ଜୈନ ହେଲଥକେୟାର ଟେକ୍ନୋଲୋଜି କମ୍ପାନୀ ‘ଆକ୍ସେସ ହେଲଥକେୟାର’ର ପ୍ରତିଷ୍ଠାତା ତଥା ପୂର୍ବତନ ଉପାଧ୍ୟକ୍ଷ ଏବଂ ‘ଏସିଆ ଚେନ୍ନାଇ ଇଞ୍ଜିନିୟରିଂ’ର ସହ-ମାଲିକ। ଚେନ୍ନାଇର ଲୋୟୋଲା କଲେଜରୁ ସ୍ନାତକ ଏବଂ ଆମେରିକାର ଟେକ୍ସାସ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସେ ହେଲଥକେୟାର ଆଇଟି ଓ ଅଟୋମେସନ କ୍ଷେତ୍ରରେ ବଡ଼ ସଫଳତା ପାଇଥିଲେ। ୨୦୨୫ ମସିହାରେ ସେ ‘ଆକ୍ସେସ ହେଲଥକେୟାର’ର ୭୦ ପ୍ରତିଶତ ଅଂଶଧନ ଏକ ଆମେରିକୀୟ କମ୍ପାନୀକୁ ପ୍ରାୟ ୨ ବିଲିୟନ ଡଲାରରେ ବିକ୍ରି କରିଥିଲେ।
ପୂର୍ବରୁ ମଧ୍ୟ କରିଛନ୍ତି ଅନେକ ଦାନ- ୨୦୧୯ ମସିହାରୁ ବର୍ଦ୍ଧମାନ ଜୈନ ତିରୁମାଲା ମନ୍ଦିର ଟ୍ରଷ୍ଟକୁ ନିୟମିତ ସହାୟତା କରିଆସୁଛନ୍ତି। ପୂର୍ବରୁ ସେ ମନ୍ଦିରକୁ ଇଲେକ୍ଟ୍ରିକ୍ ବସ୍, ହୁଣ୍ଡି ଟଙ୍କା ଗଣିବା ପାଇଁ ୧ କୋଟି ଟଙ୍କାର ମେସିନ୍, ଗୋଶାଳା ପାଇଁ ୫ କୋଟି ଟଙ୍କାର ପ୍ଲାଣ୍ଟ ଏବଂ ଭକ୍ତି ଚ୍ୟାନେଲ ପାଇଁ ୭ କୋଟି ଟଙ୍କା ଦାନ କରିଥିଲେ* । ଏହା ବ୍ୟତୀତ ସେ ‘ଆବିଷ୍କାର’ ଏବଂ ‘ସରିତା ଜୈନ ଫାଉଣ୍ଡେସନ’ ମାଧ୍ୟମରେ ଗରିବ ପିଲାଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛନ୍ତି।
