ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ଦୁଇ ଛାତ୍ରୀଙ୍କୁ ରାଗିଂ ଘଟଣା ଏବେ ସାରା ରାଜ୍ୟରେ ଚର୍ଚାର ବିଷୟ ହୋଇଛି । ଏଭଳି ଘଟଣାକୁ ବୁଦ୍ଧିଜୀବୀମାନେ ଅକ୍ଷମଣୀୟ ଅପରାଧ କହିବା ସହ କଠୋର ଦଣ୍ଡ ଦେବାକୁ ଦାବି କରୁଛନ୍ତି । ଅଭିଭାବକମାନେ ନିଜ ପିଲାଙ୍କୁ ପାଠ ପଢ଼ାଇବା ପାଇଁ କଲେଜ ଛାଡୁଥିବା ବେଳେ ଏଭଳି ରାଗିଂ ଦୃଶ୍ୟ ମନରେ ଭୟ ସୃଷ୍ଟି କରୁଛି । କଲେଜରେ ଛାତ୍ରଛାତ୍ରୀଙ୍କୁ ସିନିୟର ଛାତ୍ରଛାତ୍ରୀମାନେ ରାଗିଂ ବା ନିର୍ଯ୍ୟାତନା ଦେବା ଘଟଣା ନୂଆ ନୁହେଁ । ଏପରିକି ଏହି କାରଣରୁ ଅନେକ ଛାତ୍ରଛାତ୍ରୀଙ୍କ ଅକାଳରେ ଜୀବନ ମଧ୍ୟ ଯାଇଛି । ଏହାକୁ ଯେତେ ଲୁଚାଇଲେ ମଧ୍ୟ ଏହି ରାଗିଂ ଘଟଣା ସବୁ ମହାବିଦ୍ୟାଳୟମାନଙ୍କରେ କିଛି ଛାତ୍ରଛାତ୍ରୀ କରିବାର ପ୍ରମାଣ ମିଳୁଛି । ତେଣୁ ଏଭଳି ରାଗିଂ ରୋକିବାକୁ କଠୋର ଦଣ୍ଡର ଆବଶ୍ୟକତା ରହିଥିବା ଶିକ୍ଷାବିତମାନେ ଆଲୋଚନା କରୁଛନ୍ତି ।
ମହାବିଦ୍ୟାଳୟରେ ରାଗିଂ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । କେବଳ ବିନାୟକ ଆଚାର୍ଯ୍ୟ କଲେଜରେ ଏହା ହେଉନାହିଁ । ଛୋଟ ବଡ଼ ଅଧିକାଂଶ କଲେଜ, ବିଶ୍ବବିଦ୍ୟାଳୟରେ ରାଗିଂ ନିତିଦିନିଆ ଘଟଣା ଭାବେ ପ୍ରତିବର୍ଷ ଘଟିଚାଲିଛି । ରାଗିଂ କୁ ନେଇ କଲେଜ ପରିସର ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି, ପାଠପଢ଼ା ନଷ୍ଟ ହେଉଛି କଲେଜ ପରିବେଶ ନଷ୍ଟ ହେଉଥିଲେ ମଧ୍ୟ ସମସ୍ତେ ଜାଣି ଚୁପ ରହୁଛନ୍ତି । କିଛି ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ବୁଦ୍ଧିଜୀବୀ ସ୍ବର ଉତ୍ତୋଳନ କରୁଥିବା ଦେଖାଯାଉଛି ।
୨୦୨୨ ଜୁଲାଇରେ ଭୁବନେଶ୍ବର ବିଜେବି କଲେଜରେ ରାଗିଂ ଯୋଗୁ ରୁଚିକା ମହାନ୍ତି ନାମ୍ନୀ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣାକୁ ଅଳ୍ପ କେତେମାସ ବିତିଛି । ପରେ ସେହି କଲେଜର +୨ ଦ୍ୱିତୀୟ ବର୍ଷ କଳା ବିଭାଗର ଜଣେ ଛାତ୍ରଙ୍କୁ ଏକାଧିକ ସିନିୟର୍ ନିର୍ଯାତନା ଦେବା ସହ ପିଟିଥିବା ଅଭିଯୋଗ ହୋଇଥିଲା ।
୨୦୨୨ ଏପ୍ରିଲରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ଜଣେ ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ର ରାଗିଂ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ୨୦୨୦ରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ରାଗିଂ ଅଭିଯୋଗ ଆଧାରରେ ୬ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯିବା ସହିତ ଗୋଟିଏ ସେମିଷ୍ଟର୍ ପାଇଁ ବହିଷ୍କାର କରାଯାଇଥିଲା। ୨୦୧୯ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ର ୫୨ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ୨୦୨୧ରେ ସେହି ଅନୁଷ୍ଠାନରେ ୧୨ ଜଣ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆସିଥିଲା। ଏଭଳି ଅନେକ ଅଭିଯୋଗ ମଧ୍ୟ ରେକର୍ଡକୁ ଆସିପାରୁନାହିଁ ।
ବିନାୟକ ଆଚାର୍ଯ୍ୟ କଲେଜର ରାଗିଂ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାୟକ କେବଳ ଏକ ଉଦାହରଣ ମାତ୍ର । ସାରା ଓଡ଼ିଶାରେ ଏଭଳି ଅନେକ ଛାତ୍ର ରାଗିଂରେ ଜଡିତ ଅଛନ୍ତି । ଏବେ ବି ଅନେକ ଛାତ୍ରଛାତ୍ରୀ ନ୍ୟାୟ ଅପେକ୍ଷାରେ ଅଛନ୍ତି । ପ୍ରତିବର୍ଷ ଏଭଳି ରାଗିଂ ଘଟଣା ସାମନାକୁ ଆସୁଛି । କିଛି ଦିନ ଛାତ୍ରଛାତ୍ରୀ ଅଭିଭାବକମାନେ ଅଭିଯୋଗ କରୁଛନ୍ତି, ଆନ୍ଦୋଳନ କରୁଛନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ପରେ ସେହି ରାଗିଂ ଘଟଣାକୁ ଭୁଲିଯାଉଛନ୍ତି । ରାଗିଂ ନେଇ କଠୋର ଆଇନ ନଥିବାରୁ ଆଇନର ଗଳାବାଟରେ ଖସିଯାଉଛନ୍ତି ରାଗିଂ କରୁଥିବା ଛାତ୍ରଛାତ୍ରୀ ।
ଆଜିର ଛାତ୍ର ଆସନ୍ତାକାଲିର ନାଗରିକ ଏବଂ ନେତା ମଧ୍ୟ । ତେବେ ଏହି ଛାତ୍ରନେତାମାନେ ଏଭଳି ବିଶୃଙ୍ଖଳିତ କାର୍ଯ୍ୟ କରୁଛନ୍ତି ଯାହା କି ନିଜ ପରିବାର, କଲେଜ ଏବଂ ରାଜ୍ୟର ନାମ ତଳକୁ ହେବାରେ ଲାଗିଛି । ରାଗିଂର ପରିଣତି ଯେଭଳି ଦୁଃଖଦ, ସେଭଳି ଦୁର୍ଭାଗ୍ୟଜନକ ମଧ୍ୟ । ରାଗିଂ ପାଇଁ ଅନେକ ନିରୀହ ଛାତ୍ରଛାତ୍ରୀଙ୍କୁ ଜୀବନ ଦେବାକୁ ପଡୁଛି । ଓଡ଼ିଶାରେ ରାଗିଂ ନୂଆ ନୁହେଁ ,ଏହା ଏକ ସାମାଜିକ ବ୍ୟାଧି କହିଲେ ଅତ୍ୟୁକ୍ତି ହେବନାହିଁ । ସରକାରୀ ଏବଂ ବେସରକାରୀ କଲେଜରେ ଏବେ ରାଗିଂ ଯୋଗୁଁ ପାଠପଢ଼ାରେ ବିଭ୍ରାଟ ସୃଷ୍ଟି ହେଉଥିବା ଅନେକ ସମୟରେ ଅଭିଯୋଗ ହେଉଛି । ଏହା ଅଶୋଭନୀୟ ହୋଇଥିଲେ ମଧ୍ୟ କିଛି ଛାତ୍ରଛାତ୍ରୀ ଏହାକୁ ସମର୍ଥନ କରୁଛନ୍ତି ।
ବିନାୟକ ଆଚାର୍ଯ୍ୟ କଲେଜରେ ଯେଉଁ ଘଟଣା ଘଟିଛି ଏହାକୁ ସାମାନ୍ୟ ଘଟଣା କହି ଏଡାଇଯିବା ସହଜ ହେବନାହିଁ । ରାଗିଂ ଘଟଣାରେ ଜଡିତ ଛାତ୍ରଛାତ୍ରୀଙ୍କ ଉପରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହା ରାଜ୍ୟର ବିଦ୍ୟାର୍ଥୀଙ୍କ ସୁରକ୍ଷା ପାଇଁ ଉଦାହରଣ ହୋଇରହିବ । କଲେଜରେ ଆଣ୍ଟି ରାଗିଂ କମିଟିକୁ କ୍ରିୟାଶୀଳ କରିବା, ରାଗିଂ ବନ୍ଦ କରିବା ଏବଂ ସୁରକ୍ଷା ପାଇଁ ଟେଲିଫୋନ ନମ୍ବର ସୁବିଧା ଯୋଗାଇବା ନିହାତି ଦରକାର ।
ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ କରିଥିବା ଛାତ୍ରମାନେ ଯେଭଳି ରାଜନୀତିର ଛତ୍ରଛାୟାତଳେ ରହି ଏଭଳି କାର୍ଯ୍ୟ କରୁଥିଲେ ଏଥିରୁ ଜଣାପଡୁଛି ଯେ ଛାତ୍ରଛାତ୍ରୀଙ୍କୁ ବିଶୃଙ୍ଖଳିତ ହେବାପାଇଁ କିଛି ରାଜନୈତିକ ବ୍ୟକ୍ତି ଦାୟୀ । କିଛି ଦଶନ୍ଧି ହେଲା କଲେଜର ରାଜନେତାଙ୍କ ହସ୍ତକ୍ଷେପ ପାଇଁ ଛାତ୍ର ସମାଜ ଭିତରେ ଅନ୍ୟାୟ, ଅନୀତି, ଦୁର୍ନୀତି, ଅଶାନ୍ତି ପ୍ରବେଶ କରିଛି । ଏହା କଲେଜର ଶୈକ୍ଷିକ ପରିବେଶକୁ ନଷ୍ଟ କରୁଛି । କହିବାକୁ ଗଲେ ରାଜନୀତିର ଛତ୍ରଛାୟା ତଳେ କିଛି ଛାତ୍ର କଲେଜ ପରିସରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଛନ୍ତି । କଲେଜରେ ଅବାଞ୍ଛିତ ରାଜନୈତିକ ହସ୍ତକ୍ଷେପ ରାଗିଂ ପାଇଁ ସେମାନଙ୍କୁ ସାହସ ଯୋଗାଉଛି ।
ବିନାୟକ ଆଚାର୍ଯ୍ୟ କଲେଜ ପରିସରରେ ଛାତ୍ରୀଙ୍କୁ ରାଗିଂ ନାମରେ ହୋଇଥିବା ଅକଥନୀୟ ନିର୍ଯାତନା ସଭ୍ୟ ସମାଜରେ ନିନ୍ଦନୀୟ । ଆଜିର ଦିନରେ ଏହା ଆମ ସହର, ଜିଲ୍ଲା ଓ ରାଜ୍ୟବାସୀଙ୍କ ଲଜ୍ମାର ବିଷୟ । ଏଭଳି ରାଗିଂ କୁ ରୋକିବାକୁ କଠୋର ଦଣ୍ଡର ଆବଶ୍ୟକତା ରହିଛି । ଏହି ଘଟଣାରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସମ୍ପୃକ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଦୃଢ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିହାତି ଆବଶ୍ୟକ । ଯାହା ଫଳରେ ଆଗାମାୀ ଦିନରେ ଏପରି ରାଗିଂ କରିବା ବେଳକୁ ଛାତ୍ରଛାତ୍ରୀମାନଙ୍କୁ ଭାବିବାକୁ ପଡ଼ିବ ।
ଏହା ସହ କଲେଜରେ ସୃଙ୍ଖଳିତ ପରିବେଶ ସୃଷ୍ଟି ପାଇଁ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ସମ୍ମିଳନୀର ଆବଶ୍ୟକତା ରହିଛି । ମହାବିଦ୍ୟାଳୟରେ ରାଜନୀତିର ଅନୁପ୍ରବେଶକୁ ପ୍ରତିହତ କରାଯାଇପାରିଲେ ରାଗିଂ ଦୂର ହୋଇପାରିବ । ନେତାମାନେ ଏଥିପ୍ରତି ଦୃଷ୍ଟି ଦେବାର ସମୟ ଆସିଛି । ବର୍ତ୍ତମାନ ସମୟରେ କଲେଜରେ ନିର୍ବାଚନ ଏବଂ ଏହାକୁ ନେତାମାନେ ସମର୍ଥନ କରିବା ଦ୍ବାରା ଅନେକ ଛାତ୍ର ନେତାମାନେ ସକ୍ରିୟ ରାଜନୀତିରେ ରହି ରାଗିଂ କରିବାକୁ ସାହାସ ପାଉଛନ୍ତି । ଛାତ୍ର ପ୍ରାରମ୍ଭରେ ଛାତ୍ର ପରେ ସେ ରାଗିଂ ଗୁରୁ ବନିଯାଉଥିବା ଦେଖାଯାଉଛି । ତେଣୁ ଯେଉଁମାନେ ଏଭଳି ରାଗିଂରେ ସଂପୃକ୍ତ ରହୁଛନ୍ତି ସେହି ଛାତ୍ରଛାତ୍ରୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାର ଆବଶ୍ୟକତା ରହିଛି ।
Comments are closed.