ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଚିଲିକା ପୁସ୍ତକ ମେଳା। ଏହି ମେଳା ଆସନ୍ତା ଏପ୍ରିଲ ୨୪ତାରିଖରୁ ଆରମ୍ଭ ହୋଇ ୨୮ତାରିଖ ପର୍ଯ୍ୟନ୍ତ ଚାଲିବ। ଚିଲିକା କୂଳରେ ଥିବା ବାଲୁଗାଁ କଲେଜ ପଡିଆରେ ଏହି ପୁସ୍ତକ ମେଳା ଅନୁଷ୍ଠିତ ହେବ।
ଏହାର ସଫଳତା ପାଇଁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଓ ଭୁବନେଶ୍ବର ପ୍ରକାଶକ ସଂଘର ସଦସ୍ୟମାନେ ଯୋଗଦେଇ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ଏଥିସହିତ ଏହି ମେଳାର ସଫଳତା ଉପରେ ସେମାନେ ନିଜସ୍ବ ମତ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରିଥିଲେ।
ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ରାଜ୍ୟର ପ୍ରତିଷ୍ଠିତ ପ୍ରକାଶକମାନେ ପ୍ରାୟ ୮୦ଟି ଷ୍ଟଲ ମାଧ୍ୟମରେ ସେମାନଙ୍କର ପୁସ୍ତକ ପ୍ରଦର୍ଶନ ତଥା ବିକ୍ରୟ କରିବେ। ଏଥିସହିତ ଏହି ମେଳାରେ ବିଭିନ୍ନ ଖାଦ୍ୟ ଷ୍ଟଲ ମଧ୍ୟ ସ୍ଥାପନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି ।
ପ୍ରଥମ ଦିନରେ ଏହି ମେଳାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ପ୍ରଥମ ଦିନରେ ସାଂସଦ ସମ୍ବିତ ପାତ୍ର, ଜିଲ୍ଲାପାଳ ଅମ୍ରିତ ଋତୁରାଜ, କିଟ୍ କିସ୍ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ, ସାହିତ୍ୟିକ ଡ ଶଶାଙ୍କ ଶେଖର ଚୂଡାମଣି ଯୋଗ ଦେବେ। ସେହିପରି ଅନ୍ୟ ଦିନ ମାନଙ୍କରେ ମନ୍ତ୍ରୀ ରବି ନାରାୟଣ ନାୟକ, ମନ୍ତ୍ରୀ ସଂପଦ ସ୍ବାଇଁ, ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ସେହିପରି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବିଧାୟକ ବାବୁ ସିଂ, ବିଧାୟକ ବିଭୂତି ବଳବନ୍ତରାୟ, ବିଧାୟିକା ଉପାସନା ମହାପାତ୍ର, ବିଧାୟକ ପ୍ରଦୀପ ସାହୁ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ବିଧାୟକ ନବ ମଲ୍ଲିକ ବିଭିନ୍ନ ଦିନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସାହିତ୍ୟ ତଥା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିତ୍ବମାନେ ମଧ୍ୟ ଏହି ମେଳାରେ ଅତିଥି ଭାବେ ଯୋଗଦେବେ। ସେମାନେ ହେଲେ ସୌମ୍ୟରଂଜନ ପଟ୍ଟନାୟକ, ସାହିତ୍ୟିକା ଅର୍ଚ୍ଚନା ନାୟକ, ସାହିତ୍ୟିକ ଗୌରହରି ଦାସ, ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ।
ଏହି ବୈଠକରେ ପୁସ୍ତକ ମେଳା କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶରତ ପାଇକରାୟ, କମିଟି ଉପସଭାପତି ସୁବାସ ଶ୍ରୀଚନ୍ଦନ, ଉପଦେଷ୍ଠା ଡକ୍ଟର ଶଶାଙ୍କ ଶେଖର ଚୂଡାମଣି, ପ୍ରକାଶ ପ୍ରଧାନ ଏବଂ ସନ୍ତୋଷ ବଳିୟାରସିଂ ପ୍ରମୁଖ ଯୋଗ ଦେଇଥିଲେ।