ସେ ଏକାଧାରରେ ସେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ ବ୍ୟଙ୍ଗକାର ତଥା ଗବେଷକ ।ସାହିତ୍ୟର ସବୁ ବିଭାଗରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର।
ଦାଣ୍ଡି ପେଟେଣ୍ଟ ମେଡ଼ିସିନ, ପ୍ୟାରୋଡ଼ି ପଞ୍ଚବିଂଶତି, ନେତୃ ଚରିତମ୍, ଗୋଲି କବିତା ଶତାଧିକ, ପତ୍ନୀ ଚର୍ଚ୍ଚା ‘ମିତା ପାଇଁ କବିତା’, ଅବିବାହିତ ର ଜୀବନ ସଙ୍ଗିନୀ’, ‘ପତ୍ନୀ ସହ ପଚିଶ ବର୍ଷ’ ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା। ତାଙ୍କର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ ।
ଲେଖକ ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’
କେଉଁ ସ୍ରଷ୍ଟାଙ୍କର ସୃଷ୍ଟି ଆପଣଙ୍କୁ ସାହିତ୍ୟ ରଚନା ପ୍ରତି ଆକୃଷ୍ଟ କରିଥିଲା ?
ଯେତେବେଳେ କବିତା ରଚନା ଆରମ୍ଭ କରିଥିଲି ସେତେବେଳେ ସେମିତି କିଛି ରଚନା ପଢିବାର ସୁଯୋଗ ପାଇନଥିଲି । ମାତ୍ର୍ ସେହି କିଶୋର ବୟସରେ ଅର୍ଥାତ୍ କବିତା ରଚନାର ପ୍ରାକ୍ କାଳରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ କାନ୍ତ ସାହିତ୍ୟମାଳାର ପ୍ରଥମ ଖଣ୍ଡ ପଢ଼ିବାର ସୁଯୋଗ ପାଇଥିଲି। ସେଇ ପୁସ୍ତକର ପ୍ରଭାବ
କବିତାର ଭାବ, ଗଳ୍ପର ଗାମ୍ଭିର୍ଯ୍ୟ ଏବଂ ବ୍ୟଙ୍ଗ ସାହିତ୍ୟର କଟାକ୍ଷ ଭିତରେ କିପରି ସାମଞ୍ଜସ୍ୟ ରଖନ୍ତି ?
କବିତାର ଭାବ ଓ ବ୍ୟଙ୍ଗ ସାହିତ୍ୟର କଟାକ୍ଷ ଦୁଇଟି ଆଲଗା ଆଲଗା ଜିନିଷ। କବିର ଗୋଟିଏ ତୃତୀୟ ନେତ୍ର ରହିଛି। କବିତା ରଚନା କରିବା ବେଳେ ସେ ତୃତୀୟ ନେତ୍ରକୁ ବ୍ଯବହାର କରିଥାଏ । ଫଳରେ ଆମେ ଖାଲି ଆଖିରେ ଯାହା ଦେଖି ପାରୁ କବି ତାକୁ ଭିନ୍ନ ରୂପରେ ଦେଖିଥାଏ। ବ୍ୟଙ୍ଗ ସାହିତ୍ୟିକ ପାଇଁ ତୃତୀୟ ନେତ୍ରର ଆବଶ୍ୟକତା ନାହିଁ। ସାଧାରଣ ଲୋକ ଯାହା ଦେଖନ୍ତି ବ୍ୟଙ୍ଗ ସାହିତ୍ୟିକ ତାକୁ ବୁଲେଇ ବଙ୍କେଇ ଦେଖେ। ବ୍ୟଙ୍ଗ ସାହିତ୍ୟିକମାନେ ଟେରା ମଣିଷ ସହ ସମାନ। ସେ ସବୁବେଳେ ଅନ୍ୟ କିଛିକୁ ଦେଖୁଥାନ୍ତି। ଗଳ୍ପ କ୍ଷେତ୍ରରେ କିନ୍ତୁ ଅଲଗା। ଗଳ୍ପର ଗାମ୍ଭୀର୍ଯ୍ୟ ସାଙ୍ଗକୁ ଯଦି ବ୍ୟଙ୍ଗର କଟାକ୍ଷ ମିଶାଇ ଦେବେ ତେବେ ତାହା ଅନନ୍ୟ ସୃଷ୍ଟି ହୋଇଯିବ। ବୁଢୀମାର ହାସ୍ୟ ଥିବା ଯୋଗୁଁ ରେବତୀ ଗଳ୍ପ ଏତେ ଲୋକପ୍ରିୟ। ଚନ୍ଦ୍ରମଣିଙ୍କ ଉପରେ ଛାଞ୍ଚୁଣୀ ପ୍ରହାର ପଡ଼ିଥିବା ଯୋଗୁଁ ପେଟେଣ୍ଟ ମେଡିସିନ ଏତେ ଚର୍ଚ୍ଚିତ।
ଅନୁଭୂତିକୁ ନେଇ କେବେ ସାହିତ୍ୟ ରଚନା କରିଛନ୍ତି କି ?
ରାମାୟଣ ସାତ କାଣ୍ଡ ଧରି ରଚନା କରାଇଥିଲେ ମଧ୍ଯ ପତ୍ନୀ ପ୍ରେମ ତାର ମୂଳକଥା। ମହାଭାରତ ଅଠର ପର୍ବ ହୋଇ ରଚିତ ହୋଇଥିଲେ ମଧ୍ଯ ଭାଇ କଳି ଯେମିତି ତାର ମୂଳକଥା। ସେମିତି ସବୁ ସାହିତ୍ୟ ଅନୁଭୁତିର ଖିଅଟିଏ ନେଇ ରଚିତ ହୋଇଥାଏ। ସାହିତ୍ୟକୁ ଚିପୁଡ଼ି ଦେଇ ଦେଖିଲେ ବିନ୍ଦୁଏ ଅନୁଭୂତି ସେଥିରୁ ନିଶ୍ଚିତ ବାହରି ପଡ଼ିବ। ଅନୁଭୂତିର କେଉଁ ସ୍ପର୍ଶ ମୋର କେଉଁ ଗଳ୍ପରେ ଅଛି ତାହା ମୁଁ ଆଖିବୁଜି କହି ଦେଇପାରିବି। ମାତ୍ର୍ ମୋର ପତ୍ନୀ ସହ ପଚିଶ ବର୍ଷ ଉପନ୍ୟାସଟି ନିଚ୍ଛକ ସତ୍ୟ ଘଟଣାକୁ ଆଧାର କରିଛି।
ବ୍ୟଙ୍ଗ ସାହିତ୍ୟ ରଚନା ପାଇଁ କାହିଁକି ଆଗ୍ରହୀ ହେଲେ ?
କାନ୍ତ ସାହିତ୍ୟ ମାଳାର ହାସ୍ୟ ରସାତ୍ମକ ରଚନା ପଢ଼ି ମୁଁ ବ୍ୟଙ୍ଗ ରଚନା କରିବା ପାଇଁ ଆଗ୍ରହୀ ହୋଇ ପଡ଼ିଲି। କଲେଜରେ ପଢ଼ିବା ସମୟରେ ବ୍ୟଙ୍ଗ କବିତାମାନ ପଢ଼ିବା ବେଳେ ଖୁବ୍ ତାଳି ହେଉଥିବାର ଦେଖି ସେହିପରି କବିତା ଲେଖିବାରେ ମନୋନିବେଶ କଲି । ଗଦ୍ୟାତ୍ମକ ବ୍ୟଙ୍ଗ ରଚନା ଲେଖିବା ପାଇଁ ସମ୍ବାଦ ପତ୍ର ଗୁଡ଼ିକରେ ଅନୁରୋଧ ମତେ ସେହି କାର୍ଯ୍ୟ କରିବାକୁ ଅନୁପ୍ରେରିତ କରିଥିଲା।
ଅନ୍ୟ ଲେଖକଙ୍କ ତୁଳନାରେ ବ୍ୟଙ୍ଗ ସାହିତ୍ୟିକଙ୍କୁ ସେତିକି ଗ୍ରହଣୀୟତା ମିଳେ ନାହିଁ ବୋଲି ଆପଣ କେବେ ଅନୁଭବ କରିଛନ୍ତି କି ?
କିଏ କହେ ଗ୍ରହଣୀୟତା ମିଳେ ନାହିଁ ବୋଲି ! ଗଳ୍ପରେ ହାସ୍ୟ ରହିଥାଏ ବୋଲି ମନୋଜ ଦାସ ଲୋକମାନଙ୍କର ଅତିପ୍ରିୟ । ମୋର ଯେଉଁ ଗଳ୍ପରେ ବ୍ୟଙ୍ଗ ରହିଛି ତାହା ଅଧିକ ଜନାଦୃତ ହୋଇଛି । ଜ୍ଞାନ ହୋତା, ସତ୍ୟାନାଶ ପ୍ରମୁଖ ବ୍ୟଙ୍ଗ କବିତା ପ୍ରତି ଲୋକଙ୍କର ଆଦୃତି ରହିଛି ବୋଲି ଓଡ଼ିଶା ସାରା ସେମାନଙ୍କୁ ନିମନ୍ତ୍ରଣ ମିଳୁଛି। ସରକାର ବ୍ୟଙ୍ଗ ସାହିତ୍ୟ ପାଇଁ ପୁରସ୍କାର ଦେଉ ନାହାନ୍ତି ବୋଲି ସେମାନେ କେବେ ଅଗ୍ରହଣୀୟ ନୁହଁନ୍ତି।
ବର୍ତ୍ତମାନ ବ୍ୟଙ୍ଗ ସାହିତ୍ୟ ସମାଜରେ ଘଟୁଥିବା ନକାରାତ୍ମକ ଘଟଣାବଳୀକୁ ନେଇ କଟାକ୍ଷ କରିବା ଅପେକ୍ଷା ବ୍ୟକ୍ତିଗତ ଆକ୍ଷେପ ଅଧିକ କରୁଛନ୍ତି ବୋଲି ମତ ପ୍ରକାଶ ପାଉଛି । ସେ ବିଷୟରେ କଣ କହିବେ ?
ଏକଥାରେ ହୁଏତ ସତ୍ଯତା ନାହିଁ। ଦୁନିଆରେ ଦୁଇ ପ୍ରକାର କବି ଥାଆନ୍ତି। ମୁଖ୍ୟ ଓ ଗୌଣ। ଗୌଣ କବିମାନେ ବ୍ୟକ୍ତିଗତ ଆକ୍ଷେପ କରିଥାନ୍ତି ମାତ୍ର କବିଙ୍କର କବିତାରେ ସାମାଜ ପ୍ରତି କଟାକ୍ଷ ଥାଏ । ଜଣେ କବି, ନେତାଙ୍କ ଦୁର୍ନତୀ ବିଷୟରେ ଲେଖିଲେ ତାକୁ ଯଦି ପାଠକ ଜଣେ ବ୍ୟକ୍ତିର ବ୍ୟକ୍ତିଗତ କଥା ବୋଲି ଭାବିବ ତେତେ କଥା ସରିଲା । ନାଟକରେ ଏକ ଚରିତ୍ର ସହିତ ସମଭାବ ହୋଇଗଲା ପରି ସାର୍ବଜନୀନ ସତ୍ଯଟି ବ୍ୟକ୍ତି ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଲେ ତାହା ତ ଉତ୍ତମ କବିତା ହୋଇଥାଏ।
ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ, କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?
ନିଜ ଲେଖାକୁ ତ ସମୀକ୍ଷା କରିଛି। ମୋର କୌଣସି ଲେଖାରେ ମୁଁ ସନ୍ତୁଷ୍ଟ ନୁହଁ। କାରଣ ତାଠାରୁ ଆହୁରି ଭଲ ଲେଖା ଲେଖିବାର ଥିଲା। ଆଧୁନିକ କବିତାକୁ କବିମାନେ ଯେପରି ଲେଖୁଛନ୍ତି, ତାହା ମୁଁ ଠିକ ଭାବରେ ବୁଝିପାରେ ନାହିଁ । ତେଣୁ ସେପରି ଲେଖିପାରେ ନାହିଁ। ଉପମା, ରୂପକ ଓ ଚିତ୍ରକଳ୍ପ ପ୍ରୟୋଗ କରିବାରେ ମୋର ସେମିତି ଦକ୍ଷତା ନାହିଁ। ଏତେ ଶବ୍ଦ ମତେ ଜଣା ନାହିଁ ଯେ ଠିକ୍ ଶବ୍ଦ ଠିକ୍ ଜାଗାରେ ବସେଇ ପାରିବି। ବର୍ଣ୍ଣନା କଲାବେଳେ ଅଧା ଜିନିଷ କହିବାକୁ ଭୁଲି ଯାଇଥାଏ। ଯାହା ଲେଖେ ପ୍ରଥମେ ମୋ ସ୍ତ୍ରୀଙ୍କୁ ପଢାଏ। ସେ ଭଲ ବୋଲି କହିଲେ ପ୍ରକାଶ ପାଇଁ ଦିଏ । ମୋଟ ଉପରେ କହିଲେ ସାହିତ୍ୟର ସବୁଦିଗ ମାର୍ଜିତ ହେବା ଆବଶ୍ୟକ ବୋଲି ମୁଁ ମନେ କରେ।
ସମସାମୟିକ ସାହିତ୍ୟକୁ ଧ୍ୟାନରେ ରଖି ଆମ ଭାଷା ସାହିତ୍ୟର ଭବିଷ୍ୟତ କିପରି ହେବ ବୋଲି ଆପଣ ଭାବନ୍ତି ?
ଆମ ଭାଷା ଏକ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷା । ତାହାର ପୂର୍ବ କାଳ ଉନ୍ନତ ଥିଲା। ସାମ୍ପ୍ରତିକ କାଳ ଉନ୍ନତ ଅଛି। ଭବିଷ୍ୟତ କାଳ ମଧ୍ଯ ଉନ୍ନତ ହେବ। ସମସାମୟିକ ସାହିତ୍ୟ ଅନ୍ୟ ଭାଷାଭାଷୀ ସାହିତ୍ୟ ସହିତ ତାଳ ଦେଇ ଚାଲିଛି। ଆମ ଲେଖକମାନଙ୍କର ସ୍ଵତନ୍ତ୍ର ଚିନ୍ତାଧାରା ରହିଛି। ସେଥିପାଇଁ ଏହାର ଭବିଷ୍ୟତ ଉଜ୍ୱଳ।
ସାହିତ୍ୟକୁ ନେଇ ଭବିଷ୍ୟତ ଯୋଜନା କ’ଣ ?
ଅସଂଖ୍ୟ ଯୋଜନା ରହିଛି । ସଂଗଠନରୁ ନିଜକୁ ମୁକ୍ତକରି ଗଳ୍ପ, କବିତା ଓ ଉପନ୍ୟାସ ରଚନା କରିବା ପାଇଁ ଯୋଜନା କରୁଛି। ସାହିତ୍ୟର କେତେକ ଅନାଲୋଚିତ ଦିଗ ଉପରେ ପ୍ରବନ୍ଧ ରଚନା କରିବି ଓ କେତେକ ଦୁଷ୍ପ୍ରାପ୍ୟ ପୋଥିର ଶୁଦ୍ଧ ପାଠ କରିବି ବୋଲି ସ୍ଥିର କରିଛି।
ନୂଆ ପୀଢ଼ିକୁ କି ବାର୍ତ୍ତା ଦେବେ ?
ନିଜକୁ କେବେ ହେଁ ନ୍ୟୁନ ନ ଧରିବେ ମନେ
ପାଠକଙ୍କୁ ଭାବୁଥିବେ ଈଶ୍ଵର ଯେସନେ ।
ଲେଖାରେ ଅଜାଡୁ ଥିବ ସୁଧାଶବ୍ଦ ବାରି
ଗର୍ବ କରିଥିବେ ଦେଖି ଭାଷାର ମାଧୁରୀ।
Comments are closed.