Latest Odisha News

ଚଢ଼ାଉକୁ ବିରୋଧ, ଆସନ୍ତାକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା

ବରଗଡ଼: ଉପନିର୍ବାଚନ ଭୋଟ୍ ଗ୍ରହଣ ପୂର୍ବରୁ ପଦ୍ମପୁରରେ ଜୋର ଧରିଛି ରେଡ୍ ରାଜନୀତି । ଗୋଟିଏ ଦିନରେ ଆୟକର ବିଭାଗ ଓ ଜିଏସଟି ଚଢ଼ାଉ ପଦ୍ମପୁର ରାଜନୈତିକ ପାଣିପାଗକୁ ଉଷ୍ମ କରିଛି । ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଥିବା ବେଳେ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ ସଂଘ ।

ଜିଏସଟି ରେଡ୍ ପ୍ରତିବାଦରେ ପଦ୍ମପୁର ବଣିକ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା କୁହାଯାଇଛି । ସଂଘ ଅଭିଯୋଗ କରିଛି ଉଦ୍ଦେଶ୍ୟମୂଳକ ଭାବେ ଜିଏସଟି ରେଡ୍ କରାଯାଇଛି । ମଙ୍ଗଳବାର ଦିଆଯାଇଥିବା ବନ୍ଦ ଡାକରାରେ କେବଳ ବ୍ୟବସାୟିକ ପ୍ରତିଷ୍ଠାନ ସାମିଲ୍ ହେବେ ବୋଲି କୁହାଯାଇଛି ।

ସୋମବାର ସକାଳେ ୩ ଜଣ ସ୍ଥାନୀୟ ବିଜେଡି ନେତାଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଥିଲା । ଚଢ଼ାଉକୁ ନେଇ ନେତାଙ୍କ ବାକଯୁଦ୍ଧ ଚାଲିଥିବା ବେଳେ ସନ୍ଧ୍ୟାରେ ଜିଏସଟି ବିଭାଗ ଚଢ଼ାଉ କରିଥିଲା ପଦ୍ମପୁରରେ । ପଦ୍ମପୁରର ପାଇକମାଳ ଏବଂ ଝାରବନ୍ଧରେ ବିଜେପି ନେତା ସୁନିଲ୍ ଅଗ୍ରୱାରଲଙ୍କ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ କରିଥିଲା ଜିଏସଟି ବିଭାଗ ।

ତେବେ ଆୟକର ବିଭାଗର ଚଢ଼ାଉ ପରେ କାଉଣ୍ଟର କରିବାକୁ ଯାଇ ଏଭଳି ଜିଏସଟି ରେଡ୍ କରାଯାଇଥିବା ଲୋକେ ଚର୍ଚ୍ଚା କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥାର ରେଡ୍ ପରେ ଏବେ ବ୍ୟବସାୟୀ ସଂଘ ଆସନ୍ତାକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଇଛି ।

Leave A Reply

Your email address will not be published.