Latest Odisha News

BREAKING NEWS

ଅଫତାବ ଯାଉଥିବା ପୁଲିସ ଭ୍ୟାନ ଉପରେ ଖଣ୍ଡାରେ ଆକ୍ରମଣ

ନୂଆଦିଲ୍ଲୀ: ପୋଲିସ ଗାଡି ଭିତରେ ଯାଉଥିବା ହତ୍ୟା ଅଭିଯୁକ୍ତକୁ ଆକ୍ରମଣ କରିବାକୁ ଉଦ୍ୟମ । ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାଓ୍ୱାଲା ପୁଲିସ ଭ୍ୟାନରେ ଯାଉଥିବା ବେଳେ କିଛି ଲୋକ ଖଣ୍ଡା ଧରି ଆକ୍ରମଣ କରିଥିଲେ। ପୁଲିସ ଏବେ ଗାଡ଼ି ଉପରେ ଆକ୍ରମଣ କରିଥିବା ଦୁଇ ଜଣଙ୍କୁ ଅଟକ ରଖିଛି । ଯେଉଁମାନେକି ନିଜକୁ ହିନ୍ଦୁ ସେନା ନାମକ ଏକ ସଙ୍ଗଠନର ବୋଲି ଦାବି କରୁଛନ୍ତି। ପଶ୍ଚିମ ଦିଲ୍ଲୀର ରୋହିଣୀରେ ଥିବା ଫରେନ୍ସିକ ଲାବୋରେଟୋରିରୁ ଅଫତାବଙ୍କୁ ପଲିଗ୍ରାଫ୍ ଟେଷ୍ଟ ପରେ ଜେଲ୍ ନିଆଯିବା ସମୟରେ ଏହି ଘଟଣା ଘଟିଥିଲା।

ପୁଲିସ ଭ୍ୟାନ୍ ଉପରକୁ ମଧ୍ୟ ଢେଲାପଥର ମାଡ଼ କରିଥିଲେ ଏହି ଗୋଷ୍ଠୀ। ଆକ୍ରମଣ ସମୟରେ ଜଣେ ସବ୍-ଇନ୍ସପେକ୍ଟରଙ୍କ ସମେତ ଅଫତାବଙ୍କ ସହ ପୁଲିସ ଭ୍ୟାନରେ ପାଞ୍ଚ ଜଣ ପୁଲିସ ଉପସ୍ଥିତ ଥିଲେ। ଆକ୍ରମଣ ପରେ ଜଣେ ପୁଲିସ ଅଧିକାରୀ ଗାଡ଼ିରୁ ବାହାରି ନିଜ ବନ୍ଧୁକ ଦେଖାଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।

ଭ୍ୟାନ୍ ଉପରେ ଆକ୍ରମଣ କରିଥିବା ଜଣେ ବ୍ୟକ୍ତି କହିଛନ୍ତି, ସେ (ଅଫତାବ) ଆମ ଭଉଣୀକୁ ହତ୍ୟା କରି ୩୫ ଖଣ୍ଡ କରି କାଟି ଦେଇଥିଲେ। ତାଙ୍କୁ (ଅଫତାବ) ଦୁଇ ମିନିଟ୍ ପାଇଁ ବାହାରକୁ ଛାଡିଦିଅ, ଆମେ ତାକୁ ହତ୍ୟା କରିବୁ। ତେବେ ଏହି ଆକ୍ରମଣରୁ ସଙ୍ଗଠନକୁ ଦୂରେଇ ରଖିଛନ୍ତି ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଶର୍ମା।

ଅଫତାବ ଗତ ମେ ମାସରେ ଶ୍ରଦ୍ଧା ଓ୍ବାକରଙ୍କୁ ଗଳାକାଟି ହତ୍ୟା କରିବା ସହ ତାଙ୍କ ଶରୀରକୁ ୩୫ ଖଣ୍ଡ କରି କାଟି ଦେଇଥିବା ଅଭିଯୋଗ ରହିଛି। ସେ ଦକ୍ଷିଣ ଦିଲ୍ଲୀର ମହରୌଲୀରେ ଥିବା ଭଡାଘରେ ପ୍ରାୟ ମାସେ ଧରି ଏକ ୩୦୦ ଲିଟର ଫ୍ରିଜରେ ମୃତ ଶରୀରକୁ କାଟି ଫ୍ରିଜରେ ରଖିଥିଲା।

ଅଫତାବଙ୍କୁ ନଭେମ୍ବର ୧୨ରେ ଗିରଫ କରାଯାଇ ୫ ଦିନିଆ ପୁଲିସ ହେପାଜତକୁ ପଠାଯାଇଥିବା ବେଳେ ନଭେମ୍ବର ୧୭ରେ ଏହାକୁ ୫ ଦିନ ବୃଦ୍ଧି କରାଯାଇଥିଲା। ନଭେମ୍ବର ୨୨ ତାରିଖରେ ତାଙ୍କୁ ୪ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦିଆଯାଇଥିଲା। ନଭେମ୍ବର ୨୬ରେ କୋର୍ଟ ତାଙ୍କୁ ୧୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଅଫତାବ ପୂର୍ବରୁ ପଲିଗ୍ରାଫ ଟେଷ୍ଟର ୪ଟି ସେସନ ସାମ୍ନା କରିସାରିଛି । ଯାହାକୁ ଲାଇ ଡିଟେକ୍ଟର ଟେଷ୍ଟ ମଧ୍ୟ କୁହାଯାଏ। ସୋମବାର ଦିଲ୍ଲୀ ପୋଲିସ ଦାବି କରିଛି ଯେ ଶ୍ରଦ୍ଧାଙ୍କ ଶରୀରକୁ କାଟିବା ପାଇଁ ଅଫତାବ ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିବା କୁହାଯାଉଛି ତାହାକୁ ଉଦ୍ଧାର କରାଯାଇଛି। ପୁଲିସ ୨୭ ବର୍ଷୀୟ ଓ୍ୱାକଲରଙ୍କ ଏକ ମୁଦି ମଧ୍ୟ ଜବତ କରିଛି, ଯାହା ପୁନାଓ୍ୱାଲା ଅନ୍ୟ ଜଣେ ମହିଳାଙ୍କୁ ଦେଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.