କାମାକ୍ଷାନଗର : ରେକୁଳା ଗ୍ରାମବାସୀ ପକ୍ଷରୁ ଖେମକା କମ୍ପାନୀକୁ ବିରୋଧ । ଜଙ୍ଗଲ ଜମିକୁ ନେଇ କାମାକ୍ଷାନଗର ମହୁଲପାଳ ସ୍ଥିତ ରେକୁଳା ଗାଁରେ ଦେଖାଦେଇଛି ଅସନ୍ତୋଷ । ବେଆଇନ ଜଙ୍ଗଲ ଜମି ଅକ୍ତିଆର , ଜଙ୍ଗଲ ନଷ୍ଟ ସହିତ ଜଙ୍ଗଲରୁ ମାଟି ନେଇ ପୋଖରୀ ଖୋଳିବା ଅଭିଯୋଗରେ ଖେମକା ରିଫାକ୍ଟୋରି ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ବିରୋଧ କରିଛନ୍ତି ଗ୍ରାମବାସୀ । ପୂର୍ବଜଙ୍କ ସମୟରୁ ସେମାନେ ଜଙ୍ଗଲକୁ ସଂରକ୍ଷିତ ରଖି ଆସୁଥିବା ବେଳେ ଖେମକା କମ୍ପାନୀ ଜଙ୍ଗଲ ଜମି ଅକ୍ତିଆର କରୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏଥିସହ ସ୍ଥାନୀୟ ତହସିଲ,ରାଜସ୍ୱ ନିରୀକ୍ଷକ ଓ ବନ ବିଭାଗର ଅଧିକାରୀ ମାନେ ଏଥିରେ ଲିପ୍ତ ଥିବା କହିଛନ୍ତି ଗ୍ରାମବାସୀ ।
ଏ ନେଇ କମ୍ପାନୀ ପରିସର ମଧ୍ୟରେ ଗ୍ରାମବାସୀ ଓ କମ୍ପାନୀର ମାଲିକଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଯାହାକୁ ନେଇ ରେକୁଳା ଗ୍ରାମବାସୀ ମାନେ କାମାକ୍ଷାନଗର ତହସିଲ କାର୍ଯ୍ୟାଳୟ ଓ ପଶ୍ଚିମାଞ୍ଚଳ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ହଟଗୋଳ କରିଥିଲେ । ତେବେ ଜଙ୍ଗଲ ଜମି ଦୁର୍ନୀତି ହେଉଥିବା ବେଳେ ପ୍ରଶାସନ ଚୁପ୍ କାହିଁକି ରହିଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ବିଦ୍ୟୁତ ବିଭାଗ ଜଙ୍ଗଲ ଜମି ଭିତରେ ଫାକ୍ଟୋରିକୁ କିପରି ବିଦ୍ୟୁତ ସଂଯୋଗ କଲେ ତାହା ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।
ତେବେ ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବୋଲି ଚେତାବନୀ ଦେଇଛନ୍ତି ରେକୁଳା ଗ୍ରାମବାସୀ । ସେପଟେ ବେଆଇନ ଜଙ୍ଗଲ ଜମି ଅକ୍ତିଆରକୁ ଖଣ୍ଡନ କରିଛନ୍ତି କମ୍ପାନୀ ମାଲିକ । ଏନେଇ ସ୍ଥାନୀୟ ରେଞ୍ଜରକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ।
Comments are closed.