Latest Odisha News

BREAKING NEWS

ଉପନିର୍ବାଚନରେ ରେଡ୍ ରାଜନୀତି, ବିଜେପି ବିଧାୟିକାଙ୍କ ନାଁରେ ମାମଲା

ବରଗଡ଼: ଉପନିର୍ବାଚନ ପ୍ରଚାରକୁ ନେଇ କମ୍ପୁଥିବା ପଦ୍ମପୁର ରାଜନୀତିରେ ଚଢ଼ାଉ ନୂଆ ଟ୍ୱିଷ୍ଟ ଆଣିଛି । ସୋମବାର ସକାଳେ ଆୟକର ଓ ସନ୍ଧ୍ୟାରେ ଜିଏସଟି ରେଡକୁ ନେଇ ରାଜନୈତିକ ବାକଯୁଦ୍ଧ ପରେ ଆରମ୍ଭ ହୋଇଛି ଏତଲା । ଜିଏସଟି ଅଧିକାରୀଙ୍କ ଚଢ଼ାଉ ବେଳେ ବାଧା ଦେବା ଏବଂ ଦୁର୍ବ୍ୟବହାର ଅଭିଯୋଗରେ ସୁନ୍ଦରଗଡ଼ ବିଜେପି ବିଧାୟିକା କୁସୁମ ଟେଟେଙ୍କ ନାଁରେ ମାମଲା ହୋଇଛି ।

ଜିଏସଟି ପକ୍ଷରୁ ଦିଆଯାଇଥିବା ଏତଲା ଅନୁସାରେ, ରେଡ୍ ବେଳେ ବିଧାୟିକା ତାଙ୍କ ସମର୍ଥକଙ୍କ ସହ ପାଟିତୁଣ୍ଡ କରିବା ସହ ନାରାବାଜି କରିଥିଲେ । ଏପରିକି ଚଢ଼ାଉ ସ୍ଥଳରୁ ଜିଏସଟି ଅଧିକାରୀଙ୍କୁ ତଡ଼ିବାକୁ ଚେଷ୍ଟା କରିଥିଲେ । ପରେ ପୋଲିସ ସହାୟତାରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ତେବେ ବିଧାୟିକା ଓ ତାଙ୍କ ସମର୍ଥକ ଭିଡ଼ ଜିଏସଟି ଜବତ କରିଥିବା କାଗଜପତ୍ର ନେଇ ଯାଇଥିବା ଅଭିଯୋଗ ହୋଇଛି । ତେବେ ଏତଲା ପରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ସୋମବାର ସକାଳେ ଆୟକର ବିଭାଗ ୩ ଜଣ ସ୍ଥାନୀୟ ବିଜେଡି ନେତାଙ୍କ ଘରେ ଚଢ଼ାଉ କରିଥିଲା । ସନ୍ଧ୍ୟାରେ ଜିଏସଟି ବିଭାଗ ବିଜେପି ବ୍ୟବସାୟୀଙ୍କ ପ୍ରତିଷ୍ଠାନରେ ଚଢ଼ାଉ କରିଥିଲା । ଯାହାକୁ ନେଇ ପଦ୍ମପୁର ରାଜନୈତିକ ପାଣିପାଗ ବେଶ୍ ଉଷ୍ମ ରହିଥିବା ବେଳେ ଏବେ ଏତଲା ହୋଇଛି ।

Leave A Reply

Your email address will not be published.