ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ, ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାର ପରିକ୍ରମା ଜାରିଅଛି । ଏମିତି କିଛି ପାର୍ଶ୍ଵ ଦେବୀ ଦେବତା ଅଛନ୍ତି, ଯାହାଙ୍କ ବିଷୟରେ ସାଧାରଣ ଭକ୍ତଟିଏ ଜାଣିପାରେନି। ଶ୍ରୀକ୍ଷେତ୍ରପାଳ, ଉଗ୍ର ଭୈରବଙ୍କ ବିଷୟରେ ଜାଣିବା ପରେ, ସେହି ମନ୍ଦିରର ପୂର୍ବ ପଟ କାନ୍ଥରେ ବିରାଜିତ ଦେବୀ ହେଉଛନ୍ତି “କୁତ୍ତlମଚଣ୍ଡୀ ” । ଏହି ନାମକରଣରୁ ଅନୁମାନ କରିହୁଏ ଏହି ଦେବୀ ନିଶ୍ଚିତ ଭାବେ ସ୍ୱତନ୍ତ୍ର ଅଟନ୍ତି। କାରଣ ଏକ କୁତ୍ତା (କୁକୁର )ଉପରେ ବିରାଜିତ ପ୍ରସ୍ତର ନିର୍ମିତ୍ତ ଏହି ଦେବୀ ହିଁ ସାଧାରଣରେ କୁତ୍ତାମ ଚଣ୍ଡୀ ଭାବରେ ଖ୍ୟାତ। ଏଠାରେ ଉଲ୍ଲେଖ କରିବାକୁ ଚାହେଁ ଶ୍ରୀମନ୍ଦିର ଭିତରେ ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାର୍ଶ୍ଵ କାନ୍ଥରେ, ଜଗମୋହନ ଆଡ଼କୁ ମୁହଁ କରି ଅନ୍ୟ ଏକ କୁତ୍ତା ବା କୁକୁର ମୂର୍ତ୍ତି ଅଛି। ଏହାଙ୍କୁ ମଧ୍ୟ କେତେକ କୁତ୍ତାମ ଚଣ୍ଡୀ ବୋଲି କହିଥାନ୍ତି କିନ୍ତୁ ପ୍ରକୃତରେ “କୁତ୍ତାମ ଚଣ୍ଡୀ “ହେଲେ ଶ୍ରୀକ୍ଷେତ୍ରପାଳଙ୍କ ମନ୍ଦିର କାନ୍ଥରେ ବିରାଜିତ କୁତ୍ତା ବାହିନୀ ଦେବୀ ମୂର୍ତ୍ତି ।
ଇତିହାସ କହେ ଏହି କୁତ୍ତାମ ଚଣ୍ଡୀ ପ୍ରଥମେ ପୋଖରୀଆ (ରତ୍ନବେଦୀ ବା ରତ୍ନ ସିଂହାସନ ନିକଟରେ )ପ୍ରତିଷ୍ଠିତ ହୋଇଥିଲେ। କିନ୍ତୁ ପରମ ବୈଷ୍ଣବମାନେ ରତ୍ନସିଂହାସନ ନିକଟରେ ଏଭଳି ଶାକ୍ତ ପ୍ରଭାବ ସହି ପାରିଲେନି, ତେଣୁ ଦେବୀଙ୍କୁ ସେଠାରୁ ଅପସାରିତ କରାଯାଇ ବର୍ତ୍ତମାନର ସ୍ଥାନ ଶ୍ରୀକ୍ଷେତ୍ରପାଳ ମହାଦେବ ଙ୍କ ମନ୍ଦିର କାନ୍ଥରେ ସ୍ଥାପିତ କରାଯାଇଛି । କେତେକ ଐତିହାସିକ ମତ ଦିଅନ୍ତି ୧୪୯୮ ଖ୍ରୀଷ୍ଟାବ୍ଦରେ ଏକ ବିଶେଷ ଘଟଣାରୁ ଏହି କୁତ୍ତାମ ଚଣ୍ଡୀ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ହୋଇଥିଲେ।
ଉଜ୍ଜୟଣୀରୁ ଆସିଥିବା ଜଣେ ମହାନ ତାନ୍ତ୍ରିକ “ଦିଗନା “ତାଙ୍କର ଶ୍ରୀକ୍ଷେତ୍ର ରହଣି ସମୟରେ ଦେଖିଲେ ଶ୍ରୀମନ୍ଦିର ମଧ୍ୟରେ ବାରମ୍ବାର କୁକୁରମାନଙ୍କ ପ୍ରବେଶ ଯୋଗୁ ନାନା ବିଭ୍ରାଟ ଘଟୁଛି। ଠାକୁରଙ୍କ ରୀତିନୀତିରେ ବିଳମ୍ବ ହେଉଛି। ବାରମ୍ବାର ଶ୍ରୀଜୀଉମାନଙ୍କ ଭୋଗ ମାରା ହେବାରୁ ଅନେକ କ୍ଷତି ମଧ୍ୟ ହେଉଛି। ନିଜେ ଜଣେ ତନ୍ତ୍ର ସାଧକ ଥିବାରୁ ସଙ୍ଗେ ସଙ୍ଗେ ଏହାର ପ୍ରତିକାର ଚିନ୍ତା କଲେ ଓ ଶ୍ରୀମନ୍ଦିର ପରିଚାଳକ ତଥା ସେ ସମୟର ଗଜପତିଙ୍କ ସହ ପରାମର୍ଶ କରି ମା କୁତ୍ତାମ ଚଣ୍ଡୀଙ୍କ ସ୍ଥାପନା କଲେ। ମୂଖ୍ୟତଃ ଭୋଗ ଓ ରୀତିନୀତିର ସୁରକ୍ଷା ପାଇଁ ଏହି ଦେବୀଙ୍କୁ ପ୍ରଥମେ ପୋଖରୀଆରେ ସ୍ଥାପନ କରାଗଲା। ଏହି ରହସ୍ୟମୟ ଦେବୀଙ୍କ ସ୍ଥାପନା ପରେ, ସତକୁ ସତ ଶ୍ରୀମନ୍ଦିର ମଧ୍ୟରେ କୁକୁରଙ୍କ ପ୍ରବେଶ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଦୂର ହେଲା। ତନ୍ତ୍ରର ଏହି ରହସ୍ୟମୟ ଦେବୀଙ୍କ ବିଷୟରେ ଅନେକ କଥା ଜାଣିବା ଆଗାମୀ ଅଧ୍ୟlୟ ରେ ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।
ପୂର୍ବ ଦିଗକୁ ମୁଖ କରି
ବସିବ ଆସନ ସୁମରି ।
ଅଙ୍ଗ ଶୋଧିବ ଅଙ୍ଗନ୍ୟାସେ
ମନ୍ତ୍ର ଉଚ୍ଚlରୀ ବେନି ପlଶେ ।
ମନ୍ତ୍ର ସୁମରି କୁଶ ନୀରେ
ମାର୍ଜନା କରି ଆତ୍ମ ଶିରେ ।
ପୂଜାର ଦ୍ରବ୍ୟ ପୂଜା ଭୂମି
ମାର୍ଜିବ ଆପଣା ମୁର୍ଦ୍ଧନି ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )