କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଆଜି ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଆନୁଷ୍ଠାନିକ ଭାବେ ପଶ୍ଚିମବଙ୍ଗର ନୂତନ ପୂର୍ଣ୍ଣାଙ୍ଗ ମନ୍ତ୍ରୀମଣ୍ଡଳ ଗଠନ ପ୍ରକ୍ରିୟା ଶେଷ ହୋଇଛି। ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଏହି ନୂଆ ସରକାରରେ ସମୁଦାୟ ୩୫ ଜଣ ବିଧାୟକ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।
ରାଜ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ନୂତନ ମନ୍ତ୍ରୀମଣ୍ଡଳରେ କିଛି ଯୁବ ଚେହେରାଙ୍କ ସହ ଅନେକ ଅଭିଜ୍ଞ ନେତାଙ୍କୁ ସ୍ଥାନ ମିଳିଛି। ତେବେ ଏମାନଙ୍କ ମଧ୍ୟରେ ସମସ୍ତଙ୍କ ନଜର ଆକର୍ଷଣ କରିଛନ୍ତି ଦୁଇ ବରିଷ୍ଠ ନେତା ତାପସ ରାୟ ଏବଂ ଅର୍ଜୁନ ସିଂହ। ଦୁହେଁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିର୍ବାଚନ ପରେ ଏହି ଦୁଇ ନେତା କ୍ୟାବିନେଟରେ ସ୍ଥାନ ପାଇବେ ବୋଲି ଚର୍ଚ୍ଚା ହେଉଥିଲା।
କ୍ୟାବିନେଟରେ ଆଞ୍ଚଳିକ ସନ୍ତୁଳନ ବଜାୟ ରଖିବା ସହ ରାଜ୍ୟର ସବୁ ପ୍ରମୁଖ ଜିଲ୍ଲା ଏବଂ ବର୍ଗକୁ ସମାନ ପ୍ରତିନିଧିତ୍ୱ ଦେବା ପାଇଁ ଶୀର୍ଷ ନେତୃତ୍ୱ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ଆଗାମୀ ଦିନରେ ନୂଆ ମନ୍ତ୍ରୀମାନେ ନିଜ ନିଜ ବିଭାଗର ଦାୟିତ୍ୱ ତୁଲାଇବେ। ରାଜ୍ୟର ବିକାଶ ବିଶେଷ କରି ଭିତ୍ତିଭୂମି ଓ ଶିଳ୍ପାୟନ ଉପରେ ଏହି ନୂଆ ଟିମ ଅଧିକ ଗୁରୁତ୍ୱ ଦେବ ବୋଲି ଆଶା କରାଯାଉଛି।
ଶପଥ ଗ୍ରହଣ ଉତ୍ସବ ଶେଷ ହେବା ପରେ ଏବେ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ତାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ନିଜେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପରେ ଖୁବଶୀଘ୍ର ବିଭାଗ ବଣ୍ଟନ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।