ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ ହୋଇଛନ୍ତି। ସୋମବାର ଦିନ କେନ୍ଦ୍ର ସରକାର ଦେଶର ସର୍ବୋଚ୍ଚ ଅଦାଲତର ବିଚାରପତି ଭାବରେ ୪ଟି ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଜଣେ ବରିଷ୍ଠ ମହିଳା ସୁପ୍ରିମକୋର୍ଟ ଓକିଲଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି।
କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନିଜେ ଏହି ସୂଚନା ସେୟାର କରିଛନ୍ତି। ପୂର୍ବରୁ ଏକ ଅଧ୍ୟାଦେଶ ମାଧ୍ୟମରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରୁ ୩୮କୁ ବୃଦ୍ଧି କରାଯାଇଥିଲା। ଏହି ୫ ଜଣ ବିଚାରପତିଙ୍କ ନିଯୁକ୍ତି ସହିତ ସୁପ୍ରିମକୋର୍ଟର ବର୍ତ୍ତମାନର ସଦସ୍ୟ ସଂଖ୍ୟା ୩୭ରେ ପହଞ୍ଚିଛି।
ପୂର୍ବରୁ ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଏହି ନାମଗୁଡ଼ିକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ଏବେ ସୁପ୍ରିମକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି ସହିତ ବରିଷ୍ଠ ଓକିଲ ଭି. ମୋହନା ଇତିହାସ ସୃଷ୍ଟି କରିଛନ୍ତି। କାରଣ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କ ପରେ ସେ ଭାରତର ଇତିହାସରେ ଦ୍ୱିତୀୟ ମହିଳା ଆଇନଜୀବୀ ହୋଇଛନ୍ତି। ଯିଏ କି ସିଧାସଳଖ ଜଣେ ଓକିଲରୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଛନ୍ତି।
ଭି. ମୋହନାଙ୍କ ବ୍ୟତୀତ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୀଳ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ମଧ୍ୟ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜିବ ସଚଦେବ ଏବଂ ଜମ୍ମୁ-କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁଣ ପାଲିଙ୍କ ନିଯୁକ୍ତିକୁ ମଧ୍ୟ ଅନୁମୋଦନ କରାଯାଇଛି।