ରଜନୀ ଗୋ
ଶରତ ଦାଶ
ରଜନୀ ଗୋ ତୁମେ କଳାପାଟ ପିନ୍ଧି
କାହିଁ ଆସ ସଞ୍ଜପରେ
ଲିଭାଇ ଆଲୋକ ସବୁ ଏକାକାର
କରିଦିଅ ଅନ୍ଧକାରେ!
କ୍ଳାନ୍ତ ନୟନ ଶ୍ରାନ୍ତ ଶରୀର
ପଡେ଼ ତୁମ କୋଳେ ଶୋଇ
ଅବଶ ମାନସ ଛାଡେ଼ ଦୀର୍ଘଶ୍ୱାସ
ଅବଚେତନରେ ଥାଇ ।
ରଜନୀ ଗୋ କୁହ କାହିଁକି ସାଥିରେ
ଆସେ ତୁମ ଡରଭୟ
ନିସ୍ତବ୍ଧ ଧରଣୀ ବିନା କୋଳାହଳେ
ହୋଇଯାଏ ଶବ୍ଦମୟ ।
କାହିଁକି ତମସା ଲଗାଏ ମାନସେ
ସ୍ମୃତିର ପ୍ରଖର ଅଗ୍ନି
ନୟନରୁ ନିଦ୍ରା ଲୁଟଇ ନିଃଶବ୍ଦେ
ସପନେ ଢାଳଇ ପାଣି ।
ରଜନୀ ଗୋ ତୁମେ ବଡ଼ ମଧୁଝରା
ପ୍ରିୟା ଯେବେ ଥାଏ ପାଶେ
ପାହିଯାଅ କିନ୍ତୁ ତଡ଼ିତ ବେଗରେ
ମନ ଭରି ଅସନ୍ତୋଷେ ।
ବିରହ କାଳରେ ଅବଧି ତୁମର
ବଢ଼ିଯାଏ ବହୁ ଗୁଣ
ପାହନାହିଁ ଜମା ପ୍ରଭାତ ଆସେନା
ବଢ଼ିବଢ଼ି ଯାଏ କ୍ଷଣ ।
ରଜନୀ ଗୋ ତୁମେ ଆସୁଛ ପ୍ରତ୍ୟହ
କଜଳ ଅନ୍ଧାର ଧରି
ତୁମେ ଭାଗ୍ୟବତୀ ତୁମ କୋଳେ ଦିନେ
ଜନ୍ମିଥିଲେ ନରହରି ।
Comments are closed.