Latest Odisha News

BREAKING NEWS

କେନ୍ଦ୍ରାପଡାରୁ କେବେ ଗଡିବ ପାସେଞ୍ଜର ଟ୍ରେନ୍, କେନ୍ଦ୍ର ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରାପଡ଼ାରୁ ମାର୍ଶାଘାଇକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ନ କରିବା ନେଇ ସୋମବାର ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ପାରାଦୀପ ଓ ହରିଦାସପୁର ମଧ୍ୟରେ ରେଳପଥ କାର୍ଯ୍ୟକ୍ଷମ ହେବାର ଗୋଟିଏ ବର୍ଷ ବିତିଗଲାଣି। ମାଲବାହୀ ଟ୍ରେନ୍ଗୁଡ଼ିକ ଏହି କ୍ଷେତ୍ରରେ କୋଇଲା ପରିବହନ ଆରମ୍ଭ କରିସାରିଥିବା ବେଳେ ଏଯାବତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ନକରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାକୁ ନେଇ ହରିଦାସପୁରରୁ ପାରାଦୀପ ଯାଏ ୮୨ କିଲୋମିଟର ରେଳ ପ୍ରକଳ୍ପ ପାଇଁ ୧୯୯୬ ମସିହାରେ ମଞ୍ଜୁରୀ ମିଳିଥିଲା। ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ନୀତିଶ କୁମାର ୧୯୯୯ ଏପ୍ରିଲ ୪ରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ନିକଟରେ ଏହି ପ୍ରକଳ୍ପର ଶିଳାନ୍ୟାସ କରି ଏହାକୁ ୨୦୦୪ ସୁଦ୍ଧା ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଭିନ୍ନ କାରଣରୁ ଏହା ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରିନଥିଲା।

ଶେଷରେ, ୨୦୨୦ରେ ମାଲବାହୀ ଟ୍ରେନର ପରୀକ୍ଷଣ କରାଯାଇଥିଲା, ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଯେ ଆବଶ୍ୟକ ଭିତ୍ତିଭୂମି ପ୍ରତିଷ୍ଠା ହେବା ପରେ ଏହି ମାର୍ଗରେ ଯାତ୍ରୀ ଟ୍ରେନ ସେବା ଆରମ୍ଭ ହେବ ବୋଲି କୁହାଯାଇଥିଲା। ତେବେ ଟ୍ରେନ ଚଳାଚଳ ବିଳମ୍ବ ହେବାରୁ ବିଜେଡି କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିଛି। ଯାହାକୁ ବିଜେପି ଓଡିଶା ସରକାରଙ୍କ କ୍ରେଡିଟ୍ ଟେକିଂ ଷ୍ଟ୍ରାଟେଜି ବୋଲି ଖୋଲାଖୋଲି ଭାବେ କହିଛି।

ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, କୋଭିଡ୍ ମହାମାରୀ ଯୋଗୁ ଅନେକ ପ୍ରକଳ୍ପ ଆରମ୍ଭ କରିବା ପାଇଁ ରେଳବାଇର ପ୍ରୟାସ ମନ୍ଥର ହୋଇଯାଇଥିଲା। ତେବେ ଓଡିଶାରୁ ୨୨ଟି ଷ୍ଟେସନକୁ ମଡେଲ ଷ୍ଟେସନରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଏଥିରେ ସାମିଲ କରିଛନ୍ତି। ବିଜେଡିର ସଦ୍ୟତମ କାନ୍ଦଣା ହେଉଛି କ୍ରେଡିଟ୍ ଟେକିଂ ଟେକନିକ୍, କାରଣ ସେମାନେ ଜାଣିଛନ୍ତି, କେନ୍ଦ୍ରାପଡ଼ାରେ ପାସେଞ୍ଜର ଟ୍ରେନ୍ ସେବା ଖୁବ୍ ଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଛି।

 

Comments are closed.