Latest Odisha News

ବିଜେଡିର କେନ୍ଦ୍ର ଅବହେଳା ପ୍ରସଙ୍ଗ, ତିନି କେନ୍ଦ୍ରମନ୍ତ୍ରୀ ଦେଲେ ହିସାବ

ଭୁବନେଶ୍ୱର: ବିଜୁ ଜନତା ଦଳ ନେତୃତ୍ୱାଧୀନ ସରକାର ବିରୋଧରେ ବର୍ଷିବା ସହିତ କେନ୍ଦ୍ର ଅବହେଳ ପ୍ରସଙ୍ଗର କଡା ଜବାବ ଦେଇଛନ୍ତି ତିନି କେନ୍ଦ୍ରମନ୍ତ୍ରୀ। ଭୁବନେଶ୍ୱର ରେଳଷ୍ଟେସନର ନବୀକରଣ ଭିତ୍ତିପ୍ରସ୍ତର ବେଳେ କଡା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର କହିଛନ୍ତି ଯେ, ମୋଦି ସରକାର ବିଜୁଳି ବେଗରେ ଅନେକ କିଛି କରୁଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପରିବର୍ତ୍ତେ ରାଜ୍ୟ ସରକାର ଆସି ବିକାଶ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପ୍ରହଲ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ଉପରେ ସେ ବର୍ଷିଥିଲେ। ଭଦ୍ରକକୁ ମେମୁ ଟ୍ରେନ୍ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଧାମନଗର ବିଧାୟକ ସୂର୍ୟ୍ୟବଂଶୀ ସୁରଜ ରେଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବାର ଦେଢ ଘଣ୍ଟା ମଧ୍ୟରେ ଘୋଷଣା ହୋଇଛି। ଏହା ମୋଦୀ ସରକାର ଓ ଅଶ୍ୱିନୀ ବୈଷ୍ଣବଙ୍କ ନୂଆ କରିସ୍ମାର ବିଜୁଳି ବେଗ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ମୋଦି ସରକାରଙ୍କ ବିଭିନ୍ନ ନୀତିରେ ପରିବର୍ତ୍ତନ ଯୋଗୁଁ ରାଜ୍ୟକୁ ମିଳୁଥିବା ସମସ୍ତ ସୁବିଧା ଉପରେ ଆଲୋକପାତ କରି କହିଥିଲେ, ଯଦି କେହି ରାଜନୈତିକ ଶତ୍ରୁତା ମନରେ ରଖି କହୁଛନ୍ତି, ଜାତୀୟ ଦଳଗୁଡ଼ିକର ଫୋକସରେ ଓଡ଼ିଶା ନାହିଁ ତାହେଲେ ସେ ଆଉ କିଛି କହିବାକୁ ଚାହୁଁ ନାହାନ୍ତି।

ସେହିପରି ରେଳମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ କହିଛନ୍ତି,  ଓଡ଼ିଶାର ରେଳ ବିକାଶ ପାଇଁ ପ୍ରାଥମିକତା ଦିଆଯାଉଛି। ଓଡିଶା ୨୦୧୪ ପୂର୍ବରୁ ୭୦୦ ରୁ ୮୦୦ କୋଟି ଟଙ୍କା ବଜେଟ ଅନୁମୋଦନ ପାଉଥିବାବେଳେ ବର୍ତ୍ତମାନ ୧୦ ହଜାର କୋଟିରୁ ଅଧିକ ଅନୁମୋଦନ ପାଉଛି। ସେହିପରି ୨୦୧୪ ପୂର୍ବରୁ ରେଳବାଇ ମାତ୍ର ୨୦ ରୁ ୩୦ କିଲୋମିଟର ପର୍ଯ୍ୟନ୍ତ ନୂଆ ରେଳ ଲାଇନ ନିର୍ମାଣ କରୁଥିଲାବେଳେ ବର୍ତମାନ ବର୍ଷକୁ ପ୍ରାୟ ୩୦୦ କିମି ରେଳ ଲାଇନ ନିର୍ମାଣ କରୁଛି। ଏହା ବ୍ୟତୀତ ଓଡିଶାର ୩୬ ରେଳ ଷ୍ଟେସନକୁ ବର୍ତ୍ତମାନ ଆଧୁନିକ ସୁବିଧା ସହିତ ନବୀକରଣ କରାଯାଉଛି ଯେଉଁଠାରେ ରାଜ୍ୟର ପ୍ରତ୍ୟେକ କୋଣକୁ ପ୍ରାଥମିକତା ଦିଆଯାଇଛି। ଏହା ସହିତ ଜଗନ୍ନାଥ ସର୍କିଟ ଟ୍ରେନ ଅଳ୍ପ ଦିନ ମଧ୍ୟରେ ଚଳାଚଳ କରିବବୋଲି ଅଶ୍ୱିନୀ ବୈଷ୍ଣବ କହିଥିଲେ। ଓଡ଼ିଶା ସରକାର ରେଳ ପାଇଁ ଜମି ଯୋଗାଇ ଦେଲେ ଆହୁରି ଶୀଘ୍ର କାମ ଆରମ୍ଭ ହୋଇପାରିବ ବୋଲି ସେ କହିଥିଲେ।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ୨୦୧୪-୧୫ରେ ଖଣିରୁ ଓଡିଶାର ରାଜସ୍ୱ ୫୦୦୦ କୋଟି ଟଙ୍କା ଥିଲା। ଏବେ ଏହା ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ନିଲାମ ପ୍ରକ୍ରିୟାରେ ହୋଇଥିବା ପରିବର୍ତ୍ତନ, ମୋଦିଙ୍କ ଦିଗଦର୍ଶନ ଏବଂ ଦୁର୍ନୀତିମୁକ୍ତ ଭାରତ ପାଇଁ ତାଙ୍କର ଦୃଷ୍ଟିକୋଣ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରତିଷ୍ଠା ଦିବସ ଅବସରରେ ବିଜେଡି କହିଥିଲା ଓଡ଼ିଶାର ସ୍ୱାର୍ଥ ପାଇଁ କୌଣସି ଜାତୀୟ ଦଳର ସ୍ୱାର୍ଥ ନାହିଁ। ତେଣୁ ବିଜେଡି ହିଁ ଏକମାତ୍ର ଦଳ ଯିଏକି ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେବ। ଏଥିସହ ଆଗାମୀ ଦିନରେ କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ଜୋରଦାର କରିବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା।

 

 

 

Comments are closed.