Latest Odisha News

BREAKING NEWS

ଏ ଯାଏଁ ଏକାଠି, ମୁଁ ଓ ମୋ କଲମକାଠି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’

ଅକ୍ଷରରେ ଅନେକ କଥାକାହାଣୀ କହିଯାଇଛି କଲମ । ସେଇ ଯେ ୧୯୬୨ରୁ…. ଏଯାଏ ଚାଲିଛି ଏ କଲମ ଏହିପରି – ଆଉ ତାହା ସହିତ ଖୋଦ୍‍ ମୁଁ ବି । ସମୟର ରଙ୍ଗବଦଳ ସତ୍ୱେ ଏ କଲମ ଅଙ୍ଗହାନି କରିବାକୁ ଚାହିଁନି କେଭେଁ ସେଇ ବଜ୍ରସଂକଳ୍ପର – ଅନ୍ଧାରୀ ଅରଣ୍ୟର ଆଦିବାସୀ, ଖେତଖଳାର କିଷାନ କି ମାଟିଘାଟିର ମଜଦୁରକୁ ପଛ କରି ମହଲାମୁହାଁ ଶୋଷକ-ଅପସଂସ୍କୃତିର ସୌଖୀନ୍ କଥାକାହାଣୀକୁ ନେଇ ଅଫିମବିକା ବଜାରଟାଏ ବିସ୍ତାରିବାକୁ ମଙ୍ଗିପାରିନି ମୋଟେ । ବରଂ ରାଜନୀତିକ, ଅର୍ଥନୀତିକ, ସମାଜନୀତିକ, ସାହିତ୍ୟିକ ଦୃଶ୍ୟପଟର ଅନ୍ଧକାର ଦିଗ ଉପରେ ନିଜ ତର୍କଣାରେ କରିଛି ତୀବ୍ର ଆଲୋକପାତ । ମଣିଷର ମହାକାବ୍ୟ କୃତିରେ ଏକତ୍ରିତ ନିବନ୍ଧଗୁଡିକ ପ୍ରତିଫଳିତ କରାଏ ସମକାଳୀନ ୫୦ ବର୍ଷର ଓଡିଶାଭୂଇଁକୁ – ସେହି ଧାରାରେ ଗୋଟିକ ପରେ ଗୋଟିଏ ବହି ଜୀବନତନ୍ତ୍ର, ସନ୍ଧିକ୍ଷଣ, କଳାଫର୍ଦ୍ଦ, ଚକ୍ରବ୍ୟୂହ ଓ ନବମାନବ ଇସ୍ତାହାର ଇତ୍ୟାଦି । ଯେଉଁ ସମୟରେ ଶିଳ୍ପବିସ୍ତାର ନାମରେ ଦେଶ ଶାସନଚକ୍ରର ମୁଣ୍ଡିଆଳମାନଙ୍କ ଅଖଣ୍ଡ ପୃଷ୍ଠପୋଷକତାପ୍ରାପ୍ତ ପୁଞ୍ଜିପତିଏ ନିଜ ଉଗ୍ରମୁନାଫାର ଅଜଗର ଗ୍ରାସରେ ଦରିଦ୍ର, ଦଳିତ, ଦୁଃସ୍ଥଦୁର୍ଗତ କୃଷକବର୍ଗର ଚଉଦପୁରୁଷୀ ଚାଷଜମି ଶିଳ୍ପାଅଞ୍ଚଳ ପ୍ରସାର ଓ ଶିଳ୍ପପ୍ରଗତି ସ୍ଲୋଗାନରେ ଚଳୁ ହୋଇଚାଲିଛି, ସେ ଚତୁର ଚକ୍ରବ୍ୟୂହରୁ ଦେଶକିଷାଣ କୁଳକୁ ସଜାଗ କରାଇବାର ସଂକଳ୍ପ ନେଇ ଏକ କଲମ ଶୁଣାଇଛି ନିଜର ନିଃଶଙ୍କ ନିର୍ଘୋଷ : ଜମି ବିକନା ଭଡା ଦିଅ ! ଏହା ଥିଲା କଲମ ମୁହଁରେ ସମୟର ସତ୍ୟପାଠ । ଓଡ଼ିଶାରୁ ଉଠିଥିବା ଏ ଆବାଜ୍ ଅଗ୍ନିସ୍‌ଫୁଲିଙ୍ଗ ଭଳି ସେତେବେଳେ ସଞ୍ଚରି ଯାଇଥିଲା ସାରାଦେଶ । ସଂସଦରେ, ବିଧାନସଭାରେ ବି ପହଞ୍ଚିଥିଲା ଏ ନିର୍ଭୀକ ଘୋଷଣାନାମାର ସ୍ୱର । ଏହା ନାରା ନଥିଲା – ଥିଲା ନୂତନ ଧାରା ନିର୍ମାଣର ନାନ୍ଦୀଗାନ । ଜମି ବିକନା ଭଡା ଦିଅ ସେତେବେଳେ ଛାପା ହୋଇଥିଲା ଅନ୍ୟୂନ ୧୦,୦୦୦ କପି ଏବଂ ଦେଶବିଦେଶରେ କୃଷିଭୂମିକୁ ଶିଳ୍ପକବଳିତ କବରଭୂମିରେ ପରିଣତ କରିବାର ଅଭିସନ୍ଧିଟାଏ ପୋଷଣ କରି ଶିଳ୍ପସାମ୍ରାଜ୍ୟବାଦୀ ପୁଞ୍ଜିବାଦର ପ୍ରେତଚକ୍ରାନ୍ତକୁ ମୁଖାବିଚ୍ୟୁତ କରାଇବାର ପଦକ୍ଷେପ ସ୍ୱରୂପ ଦ୍ରୁତପ୍ରସ୍ତୁତ ହୋଇଥିଲା ଏହାର ଇଂରାଜୀ ଅନୁବାଦ ମଧ୍ୟ । ଏହାର ଶିରୋନାମା ଥିଲା : ଲାଣ୍ଡ ଟୁ ଲେଟ ଏବଂ ଛପାହୋଇଥିଲା ଅନ୍ୟୂନ
୨୦,୦୦୦ କପି ।

ବିଭିନ୍ନ ଦେଶର ମୁଖ୍ୟ ଆମ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସବୁ ଏମ୍‍.ପି., ସବୁ ରାଜ୍ୟର ବିଧାୟକ, ଦେଶ, ବିଦେଶ, ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଖକୁ ଏହି ତତ୍ତ୍ୱ ସମ୍ବଳିତ ପୁସ୍ତକଟିକୁ ପ୍ରେରଣ କରାଯାଇଛି । ବମ୍ବେରୁ ଜଣେ ଫିଲମ୍‍ ଡାଇରେକ୍ଟର ଆସି ସୁକିନ୍ଦାର ଖଣିଖାଦାନ, କଳିଙ୍ଗନଗର ଇସ୍ପାତ କାରଖାନା, ବହୁ ଆଦିବାସୀ ଇଲାକା, କେଉଁଝର, ପାରାଦ୍ୱୀପ ପ୍ରମୁଖ ସ୍ଥାନରେ ପହଞ୍ôଚ ଏବଂ ମୋର ପାଖାପାଖି ୪୫ ବର୍ଷର ସଂଗ୍ରାମୀ ଅଭିଯାନର ଭିଡିଓ ଫଟୋ ସଂଗ୍ରହ, ବହୁ ବିଶିଷ୍ଟଜନଙ୍କ ସାକ୍ଷାତକାର ପ୍ରାୟ ବର୍ଷେକାଳ ବୁଲିବୁଲି ନେଇଥିଲେ । ଶେଷରେ ଏକ ଘଣ୍ଟାର ଡକ୍ୟୁମେଟ୍ରି ଫିଲମ୍‍ ଦି’ ମଦରଲ୍ୟାଣ୍ଡ୍‍ (ଞଷର ଗକ୍ଟଗ୍ଧଷରକ୍ସ ଖବଦ୍ଭୟ) ପ୍ରସ୍ତୁତ କରି ବମ୍ବେ, କଲକତା, ଗୋଆ ସମେତ ୭ଟି ଦେଶର ଆର୍ନ୍ତଜାତୀକ ଫିଲ୍‍ମ ଫେଷ୍ଟିଭାଲ୍‍ରେ ସିଲେକ୍ଟ ହୋଇ ପ୍ରଦର୍ଶନ କରାଯାଇଛି । ଏ ପର୍ଯ୍ୟନ୍ତ ପୁରସ୍କାର ମିଳିନି ।

ଏଠାରେ କହି ରଖେ – ଜମି ବିକନା, ଭଡା ଦିଅ ତତ୍ତ୍ୱକୁ ପାର୍ଲିଆମେଣ୍ଟରେ ଆଲୋଚନା ହୋଇ ଆଇନ୍‍ରେ ପରିଣତ କରିବା ପାଇଁ ଦିଲ୍ଲୀ ଯାଇ ୧୫ଦିନ ରହଣୀ କାଳରେ ‘ଲ୍ୟାଣ୍ଡ୍‍ ଟୁ ଲେଟ୍‍’ ଇଂରାଜୀ ପୁସ୍ତକ ସବୁ ଏମ୍‍.ପି.ଙ୍କୁ ଦେଇଛିା ବହୁ ଏମ୍‍.ପି.ଙ୍କ ସହ ଆଲୋଚନା କରିଛି । ଇଂରାଜୀ ପୁସ୍ତିକା ସବୁ ଏମ୍‍.ପି.ଙ୍କୁ ଦେଇଛି । କମିଟିରେ ମଧ୍ୟ ଆଲୋଚନା ତର୍କବିତର୍କ ହୋଇଛି । ମୋର ଏଇ ତତ୍ତ୍ୱ ସଂପର୍କରେ ବହୁମତ ପ୍ରକାଶ ପାଇଛି । ହେଲେ ସଂସଦକୁ କମିଟି ପଠାଇବାକୁ ପଛଘୁଞ୍ଚା ଦେଲେ । ଶିଳ୍ପପତିମାନଙ୍କ ବିରୋଧ କାମ ଦେଲା । ଯେତେବେଳେ ଯେଉଁଠି ଜନଗଣଙ୍କ ଉପରେ ଅନ୍ୟାୟ, ଅବିଚାର, ଶୋଷଣ, କଷଣ, ଅତ୍ୟାଚାର, ଦମନ ହୋଇଛି – ଏ କଲମ ସେଇଠି ଗର୍ଜ୍ଜି ଉଠିଛି । କଳିଙ୍ଗନଗର ବିସ୍ଥାପନ, ଗୁଳିକାଣ୍ଡରେ ଏ କଲମ ରକ୍ତାକ୍ଷରରେ ଲେଖିଛି – ରକ୍ତ କାନ୍ଦେ କଳିଙ୍ଗନଗର – ବିସ୍ଥାପିତର ବ୍ୟଥା – ପୁସ୍ତିକା । ଯେଉଁଠି ବିପତ୍ତି, ବିଭୀଷିକା, ତତ୍‍କ୍ଷଣାତ୍‍ ଏ କଲମ ଗର୍ଜ୍ଜିଉଠିଛି । ଓଡିଶାଭୂଇଁ-୨୦୦୧ ବିଭୀଷିକା
ବିଶେଷାଙ୍କ, ଭୋକର ଭୂଗୋଳ ଓଡିଶା ଭୂଇଁ – ମହାବିପତ୍ତି ବିଶେଷାଙ୍କ ୧୯୯୯, ପୁସ୍ତିକା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଅଶାନ୍ତ ମୋ କଲମ ବିଶ୍ରାମହୀନ । ନିର୍ଜ୍ଜାତିତ, ନିଷ୍ପେସିତ, ଶୋଷିତ ବଉଳା ଉପତ୍ୟକା ଖଣିଶ୍ରମିକ ‘ସତର୍କ ଘଣ୍ଟି ପୁସ୍ତିକାରେ ଅଗ୍ନିବର୍ଷଣ କରାଯାଇଛି । ଏ ସବୁ ଘଟଣା-ଅଘଟଣାକୁ ଏ କଲମ ଲିପିବଦ୍ଧ କେବଳ କରିନି ବେକାରୀଙ୍କୁ ନିଯୁକ୍ତି ଦେବାପାଇଁ ସେତେବେଳର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ପ୍ରସ୍ତାବ ଆକାରରେ “ଗୋଟିଏ ଗାରରେ କୋଟିଏ ଚାକିରି” ପୁସ୍ତିକା ପ୍ରଦାନ କରିଛି । ସେ ମୋ ପ୍ରସ୍ତାବକୁ ସମର୍ଥନ କଲେ କିନ୍ତୁ କାର୍ଯ୍ୟକାରୀ କଲେନି, ବଂର ରାଜ୍ୟ ସରକାରଙ୍କ ବ୍ରାହ୍ମଣୀପାଳ ଚାର୍ଜକ୍ରୋମ୍‍ କାରଖାନାକୁ ଟାଟା କମ୍ପାନୀକୁ ଶାଗମାଛ ମୂଲ୍ୟରେ ମାତ୍ର ୫୨ କୋଟି ଟଙ୍କାରେ ବିକ୍ରି କରିଦେଲେ । ସରକାର ଓ ଟାଟା ବିରୋଧରେ ଓଡିଶା ହାଇକୋର୍ଟରେ କେଶ୍‍ କରିଛି । ବିଶ୍ରାମହୀନ ଏ କଲମ – କାଠଗଡାରେ ବିଜୁ-ଟାଟା ପୁସ୍ତିକା ଲେଖି ସାରା ରାଜ୍ୟରେ ପ୍ରଚାର କରିଛି । ବିଜୁ ବାବୁଙ୍କ ବିରୁଦ୍ଧରେ ଲଢୁଥିଲେ ବି ସେ ମୋତେ ପୁଅ ଭଳି ସ୍ନେହ କରୁଥିଲେ । ମୂଲିଆଙ୍କ ସର୍ବନିମ୍ନ ମଜୁରୀ ହେଉ କି ରାଜକୋଷ ବୃଦ୍ଧି ପଦକ୍ଷେପ ସଂପର୍କରେ ବହୁ ଆଲୋଚନା କରିଛନ୍ତି । ଯେଉଁ ସମୟରେ ଏହି ପୁଞ୍ଜିବାଦୀ ବିଭୀଷିକାର ଆଉ ଏକ ଘୋର ଷଡଯନ୍ତ୍ର ଆନ୍ତର୍ଜାତିକ ଆର୍ଥିକ ମାନ୍ଦାବସ୍ଥା ଆଳରେ ପୃଥିବୀସାରା ସବୁ ଶିଳ୍ପାନୁଷ୍ଠାନ ଓ ବେସରକାରୀ ଦପ୍ତରଗୁଡିକରେ ଚାଲିଲା ମୁହୁର୍ମୁହୁ କର୍ମଚାରୀ ଛଟେଇପର୍ବ ଏବଂ ସେ ସମୟରେ ବିଦେଶାଗତ ବହୁ ଭାରତୀୟ ନିଜ ଦେଶଭୂମିକୁ ବାଧ୍ୟତାମୂଳକଭାବରେ ବାହୁଡିଆସି ଅନିଶ୍ଚିତ ଭାଗ୍ୟର ଅସହାୟ ଶିକାର ହୋଇପଡିଥିଲେ, ସେ ସମୟରେ ପଚମାନ ପୁଞ୍ଜିବାଦ ପ୍ରଣୋଦିତ କଳାକୁବେରତନ୍ତ୍ରୀ ଏହି ବିଶ୍ୱବ୍ୟାପୀ ନକଲି ଆର୍ଥନୀତିକ ମାନ୍ଦାବସ୍ଥା ପ୍ରତି କଠୋର କଟାକ୍ଷ ହାଣିଛି ଏ କଲମ । ପ୍ରକାଶ ପାଇଛି ଅର୍ଥନୈତିକ ଆତଙ୍କବାଦ ଓ ତା’ପରେ ପରେ ଅର୍ଥନୀତିର ଅମାବାସ୍ୟା । ଏ ଯୋଡିକଯାକ ବହି ସେତେବେଳେ ଛାପା ହୋଇଥିଲା ୫୦୦୦ ଲେଖାଏଁ । ଏ ବହି ଦୁଇଟିର ଏକ ଏକତ୍ରରୂପ ମଧ୍ୟ ଇଂରାଜୀ ଅନୁବାଦ ହୋଇ ଦେଶବିଦେଶରେ ପ୍ରସାରିତ ହୋଇଥିଲା ୧୦,୦୦୦ କପି । ଏହିଭଳି ଶିରୋନାମା ଥିଲ । ବିଦେଶଭୂମିରେ ସୁଦ୍ଧା ବେଶ୍ ଚର୍ଚ୍ଚିତ ହୋଇଛି କଲମର ଏ କ୍ରାନ୍ତି ।

ନିରବଚ୍ଛିନ୍ନ ଭାବରେ ଏ କଲମ ଚାଲିଆସିଛି ଅଙ୍କାବଙ୍କା ଅନେକ ମୋଡ ଦେଇ ଚିରଦୁର୍ଗମ ପଥଯାତ୍ରାରେ ନିଜର । ଗୋଡ ଭାଙ୍ଗି ନିଜ ମୂଲ୍ୟ ମାଗିନି ନିଲାମ୍‌କାରୀ କେଉଁ ଡାକରା ଆଗରେ କିମ୍ବା ହାତ ପାତି ଅଟକିଯାଇନି କାହା ନିକଟରେ କେଉଁଠି । ଏକଦା ଗଣତନ୍ତ୍ରର ପଣପାସୋରା ଶାସନଯନ୍ତ୍ରଦ୍ୱାରା ସ୍ୱାଧୀନତା ପରବର୍ତ୍ତୀ ବର୍ଷଗୁଡିକରେ ଦୀର୍ଘଦିନ ଉପେକ୍ଷିତ, ଅବମାନିତ, ହୀନହେୟପରିଗଣିତ, ସଭ୍ୟଜୀବନର ସମସ୍ତ ସୁଖସୁବିଧାସୁଯୋଗସ୍ୱାଚ୍ଛନ୍ଦ୍ୟବର୍ଜିତ ଜନଜାତି ଓ ଆଦିବାସୀଙ୍କ ଅଧିକାର ହାସଲ ଦିଗରେ ଏ କଲମ ବହୁବାର ଘୋଷଣା କରିଛି ବିବେକସମ୍ମତ ବୈପ୍ଲବିକ ବିଚାରଧାରା । ଆଦିବାସୀ ବି ମଣିଷ, ତାକୁ ବଞ୍ଚିବାର ଅଧିକାର ଦେବାରେ ତିଳେମାତ୍ର ପଛଘୁଞ୍ଚା ଦେଲେ ଜନତା ଜାଣିବା ଦରକାର ଯେ କେଉଁ ବିଦେଶୀ କି ବହିର୍ଦେଶୀ ଶକ୍ତି ନୁହେଁ, ଖୋଦ୍ ଏ ଦେଶୀ ସରକାର ହିଁ ଦେଶର ଏକନମ୍ବର ଦୁଶ୍‌ମନ୍ ଦେଶବାସୀଙ୍କ ଗୋଚରାର୍ଥେ ଏହି ସ୍ପଷ୍ଟ ରାୟ ଦାଖଲ କଲାବେଳେ ଥରଟାଏ ସୁଦ୍ଧା ଥରିଉଠିନି ଏ ନିଷ୍କମ୍ପ କଲମମୁନ । ଅନେକ ବର୍ଷ ତଳେ ଏହି ମାନବିକ ମୂଲ୍ୟବୋଧର ଉତପ୍ତ ପ୍ରଶ୍ନର ଝଡ ବୁହାଇ ରଚିତ ହୋଇଛି ଆଦିବାସୀର ଆର୍ତନାଦ । କ୍ରମାଗତ ଭାବରେ ଏ କୃତି ମୁଦ୍ରିତ ହୋଇଛି ତିନିତିନିଥର – ୩୦,୦୦୦ କପି । କେବଳ ସେଇ ଟଲ୍‍ମ୍ୟାନ ବିଜୁ ପଟ୍ଟନାୟକ ନୁହଁନ୍ତି ମୋ ଜଲେ୍‍ରେ ଲେଖା ‘ଦାନାକନା’ ଉପନ୍ୟାସ ପଢି ଆଦିବାସୀ ନେତା ଗିରିଧାରୀ ଗମାଙ୍ଗ ଆଜୀବନ ବନ୍ଧୁ ହୋଇଯାଇଛନ୍ତି ଲେଖକର ଏବଂ ପରେ ଯେତେବେଳେ ଏ ପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନ ସୁଦ୍ଧା ଅଳଙ୍କୃତ କରିଛନ୍ତି, ସେତେବେଳେ ମଧ୍ୟ ତାଙ୍କର ବ୍ୟବହାର ବଜାୟ ରହିଆସିଛି ପୂର୍ବରୁ ଯେପରି, ଠିକ୍ ସେହିପରି – ଅନାବିଳ, ଅକପଟ ସଦାହସହସ ସମ୍ପର୍କର ସରଳ ମଣିଷ ଭଳି ।

ଗମାଙ୍ଗବାବୁ ନିଜେ ଆଦିବାସୀ-ସଂସ୍କୃତିର ଶୁଭାଶିଷପ୍ରାପ୍ତ ଏକ ଅନନ୍ୟ ବାଦ୍ୟଶିଳ୍ପୀ – ଖୁବ୍ ଭଲ ପାଆନ୍ତି ବହି ପଢିବାକୁ ବି । ଏପରିକି ସେ ଓଡିଶାର ଏକମାତ୍ର ମୁଖ୍ୟମନ୍ତ୍ରୀ, ଯିଏ କେତେ ଥର ଫୋନ୍ କରି କଲମକୁ ଜିଜ୍ଞାସା କରିଛନ୍ତ; ଆଉ କ’ଣ ବହି ଛାପା ହେଉଛି କି ? ଯଦି ମୁଁ କିଛି କାମରେ ଲାଗିପାରେ ତ ମନ ଖୋଲି କହିବେ, ସଙ୍କୋଚ କରିବେନି ମୋଟେ । ଏହା ହିଁ ନିଃସର୍ତ ବନ୍ଧୁତ୍ୱର ନିର୍ଭେଜାଲ୍ ସଂଜ୍ଞା – ଆଦିବାସୀର ଆର୍ତ୍ତନାଦ ବହିଖଣ୍ଡକର ଏଇ ଅବଦାନ ଅଭୁଲା ରହିଗଲା ଏଯାବତ୍ । ଗମାଙ୍ଗବାବୁଙ୍କ ସହିତ ଓଡିଶାର ବହୁ ଆଦିବାସୀ ନେତାଙ୍କ ଘନିଷ୍ଠ ସଂପର୍କ ହାସଲ କରିଛି ମୁଁ, ଏଇ କଲମ ସକାଶେ । ସମୟର ପରିବର୍ତନଶୀଳ ଚରିତ୍ର ଦୃଷ୍ଟିରୁ ଓଡିଶାର ସାମାଜିକ, ସାଂସ୍କୃତିକ, ରାଜନୀତିକ ଓ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ବହୁ ଚାଞ୍ଚଲ୍ୟକର ବୟାନ ଅକ୍ଳାନ୍ତ ଭାବରେ ଲିପିବଦ୍ଧ କରିଆସିଛି, ନ୍ୟସ୍ତସ୍ୱାର୍ଥ ଶକ୍ତି ନିକଟରେ ଏଇ ଚିରଅବିକ୍ରିତ କଲମ । ଏ ଶାଣିତ ସତ୍ୟଭାଷିତାର ସାକ୍ଷ୍ୟ ଭାବରେ ଗ୍ରହଣ କରାଯାଇପାରେ ଦୁଇଟି କୃତିକୁ : ଅସତ୍ୟ ସହରରେ ସତ୍ୟପାଠ ଓ ମାମୁଲି ମଣିଷର ମାନଚିତ୍ର ।

୨୦୧୨ ମସିହାରେ ବିତର୍କସୃଷ୍ଟିକାରୀ ଏକ ସ୍ୱତନ୍ତ୍ର ସ୍ୱାଦର କୃତି : ସାହିତ୍ୟର ଶାନ୍ତିଭଙ୍ଗ । ଏ ପ୍ରଦେଶର ସାହିତ୍ୟ କିପରି ସମ୍ପୂର୍ଣ୍ଣ ‘ଲବି’ର ଶିକାର ହୋଇପଡିଛି ଏବଂ ପ୍ରକୃତ ପ୍ରତିଭା କିପରି ପାଦେପାଦେ, ପ୍ରବଞ୍ଚିତ ସରକାରୀ/ ବେସରକାରୀ/ଶିଳ୍ପପତିମାନଙ୍କର ସଂସ୍ଥାଗୁଡିକ ଦ୍ୱାରା ଘନଘନ ନେପଥ୍ୟ-ସହାୟତା ଓ ପୃଷ୍ଠପୋଷକତା ପାଇ ଭଡାଟିଆ, ତୋଷାମଦିଆ, ବିକଳିଆ, ଚାକିରିଆ, ଚାମଚା, ଲେଖକଲେଖିକାଏ କିପରି ଆଗଧାଡିର ଆସନ ଦଖଲ କରିଚାଲୁଛନ୍ତି, ନିୟମିତ କ୍ରମଧାରାରେ ମିଳିମିଶି ପୁରସ୍କାର/ସମ୍ମାନ/ସମ୍ବର୍ଦ୍ଧନାଗୁଡା ହଡପ କରିବାର ମସୁଧା ଚଳାଇରଖି ସାହିତ୍ୟିକ ପାଣିପାଗକୁ ପ୍ରଦୂଷିତ କରିସାରିଛନ୍ତି, ଏପରିକି ଦୈବାତ୍ ଯଦି ସେମାନଙ୍କ ଗୋଷ୍ଠୀର ବହିର୍ଭୂତ କୌଣସି ଲେଖକଲେଖିକା ପୁରସ୍କୃତ ହୋଇଥାନ୍ତି, ତାହେଲେ ତାଙ୍କୁ କିପରି ଗଣମାଧ୍ୟମରେ ଢୋଲ ଭିତରେ ମୂଷା ଭୂମିକା ନିର୍ବାହ କରିଚାଲିଥିବା ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ନକାରାତ୍ମକ ରିପୋର୍ଟର ଓ କଲମିଷ୍ଟ୍‌ ତଥା ସମ୍ବାଦଦାତା ଓ ସ୍ତମ୍ଭକାରମାନେ ଲୋକଲୋଚନରେ ଅପଦସ୍ତ କରାଇବାର ହୀନ ଅପଚେଷ୍ଟା ଚଳାଉଛନ୍ତି, ଏ ବିକୃତି ଉପରେ ନିର୍ଭୀକ ଆଲୋକପାତ ଏ କୃତିଟି । ଏପରିକି ସରକାରଙ୍କ ଦ୍ୱାରା ରାଜା ରାମମୋହନ ରାୟ ଫାଉଣ୍ଡେସନ୍ ଓ ଗଣଶିକ୍ଷା ବିଭାଗୀୟ ବହିକିଣା ଯୋଜନା ଇତ୍ୟାଦିର ଅନ୍ତର୍ଭୁକ୍ତ ସପ୍ଲାଇ ସମୟରେ କିପରି ଦୁର୍ନୀତିଗ୍ରସ୍ତ ଖଳପ୍ରକୃତିର ଜୁରୀକମିଟି ନିଯୁକ୍ତ କରାଯାଇ ଜଘନ୍ୟ ଯୋଗାଡଯନ୍ତ୍ର ପୂର୍ବକ ଉତ୍‌କୃଷ୍ଟ ମାନର ଓଡ଼ିଶା ପୁସ୍ତକଧାରାକୁ ପଛରୁ ଛୁରା ଭୁସି ନିଶ୍ଚିହ୍ନ କରାଇଦେବାର ରୀତିମତ ଏକପ୍ରକାର ସାଂଘାତିକ ସାଂସ୍କୃତିକ ଷଡଯନ୍ତ୍ରର କେବଠୁ ସୂତ୍ରପାତ ହୋଇସାରିଛି – ଶିକ୍ଷା ବିଭାଗର ମୂଲ୍ୟବୋଧକୁ କିପରି କଳଙ୍କିତ ଅଫିସର୍ ଓ ଲାଞ୍ଚ-ରିସପତଖିଆ କର୍ମଚାରୀଙ୍କ ମିଳିତ ଚକ୍ର ଜରିଆରେ ପଦଦଳିତ କରିବାର ଗୁପ୍ତବିଭୀଷିକା ଏ ରାଜ୍ୟର ଆପାଦମସ୍ତକ ଗ୍ରାସ କରିସାରିଛି – ଏହାର ଜ୍ୱଳନ୍ତ ନିଶାଣ ରୂପେ ସାହିତ୍ୟର ଶାନ୍ତିଭଙ୍ଗ ସମକାଳର ଏକ ଅଙ୍ଗୀକାରବଦ୍ଧ ସ୍ମୃତିଚାରଣ କହିଲେ ଅତ୍ୟୁକ୍ତି ହେବନାହିଁ ଆଦୌ ।

‘ପାଦ ଥିଲେ ଚାଲିହୁଏ, କିନ୍ତୁ ହାତ ଥିଲେ ଲେଖିହୁଏନା’- ଏହି ମହାର୍ଘ ମର୍ମବାଣୀ ଶୁଣାଇଯାଇଛନ୍ତି ଯେଉଁ ମହାନ୍ ମାନବତାବାଦୀ ସାହିତ୍ୟକାର, ସେଇ ଶରତଚନ୍ଦ୍ରଙ୍କୁ ହିଁ ଏ କଲମ ପ୍ରତ୍ୟେକ ସତ୍ୟବଦ୍ଧ ନବଲେଖକ ନିମନ୍ତେ ଚିରକାଳର ପ୍ରେରଣାଦାତା ଭାବରେ ଭୂମିଷ୍ଠ ପ୍ରଣାମ ଜ୍ଞାପନ କରିଥାଏ ନିଜ ପକ୍ଷରୁ । ଧନତନ୍ତ୍ରୀ ହୁଅନ୍ତୁ କି ମନ୍ତ୍ରୀ-ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ … ଏ କଲମର ସତ୍ୟ ସାମନାରେ ସମାନ ସମସ୍ତେ । ପ୍ରଧାନମନ୍ତ୍ରୀଙ୍କର ଆକସ୍ମିକ ବିମୁଦ୍ରୀକରଣ ଘୋଷଣା ନିକଟତମ ଅତୀତରେ ଭାରତୀୟ ସାମାଜିକ ସ୍ଥିତାବସ୍ଥାକୁ ଯେପରି ଦୋହଲାଇ ଦେଇଥିଲା, ସେ ସଂକ୍ରାନ୍ତରେ ମଧ୍ୟ ନିଜର ସ୍ପଷ୍ଟ ସାହସିକ ସତ୍ୟପାଠ ଶୁଣାଇଛି ଏହା ସେତେବେଳେ ୧୦,୦୦୦ କପି ମୁଦ୍ରିତ ଓ ବିକ୍ରିତ ହୋଇଥିଲା ।

ଏକ ବୌଦ୍ଧିକ ବିତର୍କର ବାତାବରଣ ସୃଷ୍ଟି କରିଥିଲା ଏ କୃତି । ଜନସମାଜ ସ୍ୱାର୍ଥକୁ ଅଗ୍ରପ୍ରାଧାନ୍ୟ ଅର୍ପଣ କରିଆସିଛି ସଦାସତର୍କ ଏ କଲମ, ସମୟର ଆହ୍ୱାନକ୍ରମେ । ସମୟ ବି ଏହି ବନ୍ଧୁରଜୀବନମାର୍ଗରେ ଯେତେବେଳେ ସୃଷ୍ଟି କରିବାକୁ ଯାଇଛି ସନ୍ଦିଗ୍ଧ ସନ୍ଧିକ୍ଷଣର ପ୍ରହେଳିକାମୟ କୁହେଳିକା, ସେତେବେଳେ ବି ଏ କଲମ ହୋଇଉଠିଛି ବିବେକର ମୂର୍ତିମନ୍ତ ରୂପ ଯେପରି ! ଏହି ପରିପ୍ରେକ୍ଷୀରେ ମନେପଡେ, ଥରେ ୧୮୮୦ ମସିହା ଆଡକୁ ଜାନକୀ ପଟ୍ଟନାୟକଙ୍କ ଦ୍ୱାରା କ୍ଷମତା-ରାଜନୀତିରେ ଯୋଗଦାନ ପାଇଁ ଡାକରା ଏବଂ ଆଉଥରେ ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ଦ୍ୱାରା । ଏ ଦୁଇଦୁଇଥର ମୁଁ ପଚାରିଛି କଲମକୁ : ଠିକ୍ ନା ଭୁଲ୍ ଏ ବାଟଚଲାର ଡାକରା ?

ଇସାରା ଦେଇଛି କଲମ : କ’ଣ ପାଇବ ? ହେଇ ହେଇ ହବ ଗୋଟାଏ ଏମ୍‌.ଏଲ୍‌.ଏ. କି ମନ୍ତ୍ରୀଟାଏ ! ହେଲେ ତମେ କ’ଣ ଚାହଁ ତମ କଲମର ଜୀବନ୍ତ କବର ତାହେଲେ ?? ଗଡିଯାଉଛି ଦିନରାତିର ପହରସବୁ – ଫର୍ଦ୍ଦ ପଢୁଛି କଲମକାଠିରେ ଲେଖା ନିଜ ସମୟର ଏଠି ଏବେ । ପଛରେ ପଟୁଆର, ଆଗରେ ପତିଆରା, ଆଗେଇଚାଲର ଇତିହାସରେ ଇତିହୀନ ଅଗ୍ରଗତିର ଅଲଂଘନୀୟ ଇସାରା । ସବୁ ହିସାବ୍‍ କ’ଣ କରିହୁଏ ? କେତେ କିତାବ୍‍ କୁଢେଇଚାଲୁଥିବ ଏ କ୍ଲାନ୍ତିଶୂନ୍ୟ କଲମକାଠି ? ଅବାକ୍‍ ହୁଏ ମୁଁ ଏପରି ପ୍ରଶ୍ନର । ଏପରିକି ଉତ୍ତର ପାଇଁ କଲମକୁ ଅନାଇଲାବେଳକୁ ଯାହା ମିଳେ, ତାହା ମୌଖିକ ନୁହେଁ-ଲିଖିତ ! ଅର୍ଥାତ୍‍ ଏକ ପରେ ଆଉଏକ କୃତି, ଆହୁରି ଆହୁରି ଅକ୍ଷରର ଆକୃତି । ଏବେ ଜମିଗଲାଣି, ଜମାଟ ବାନ୍ଧିଲାଣି ୭ ବର୍ଷରୁ ୭୭ ବର୍ଷ ବୟସବ୍ୟାପୀ ବିଡା ବିଡା ବୈଚିତ୍ର‌୍ୟମୟ ବ୍ୟସ୍ତଜୀବନାନୁଭୂତି… ପ୍ରଖର ସାମାଜିକ ସଂଘର୍ଷର ପାନିପଥରୁ ରଣରତ ଗଣବାହିନୀର ପଣବଦ୍ଧ ପତାକା ଉତ୍ତୋଳନ ଉଦ୍ଦେଶ୍ୟରେ ରାଜପଥବ୍ୟାପୀ ବିଗତ ବହୁବର୍ଷର ବହୁବାର ଅତନ୍ଦ୍ର ଅଭିଯାନୀ ଅନୁଭୂତି ସବୁ କ୍ରମଗଚ୍ଛିତ କରିରଖୁଛି ଏ କଲମ । ହଁ, ୨୦୨୩ ନଭେମ୍ବର ମାସରେ ମୁହଁ ଦେଖାଇବାକୁ ମୁକ୍ତିର ମଶାଲ୍‍ଜଳା ଦିନଟାଏ ଗଣୁଛି ଆଜିଠୁ ଗୋଟାଏ ଅଦମନୀୟ ଝଡର ଜମାନବନ୍ଦି : ଜୀବନର ଜୟଗାନ – ଏଇ କଲମରେ ଅଙ୍କା ଘାଟିର ଚେହେରା ଆଉ ମାଟିର ଚିତ୍ର ମିଶାଇ ମୋ ସାଥୀସଂଗ୍ରାମୀ ମଣିଷମାନଙ୍କ ଲହୁଲୁହଭିଜା ଖଣ୍ଡେ ଖତିଆନ୍‍… ଯାହା ମୋ ନିଜ ଜର୍ଜରିତ ଜୀବନର ଜୀବାଶ୍ମପୁଞ୍ଜରେ ପ୍ରସ୍ତୁତ – ଆଲୋକିତ ଅନ୍ଧକାରର ଅଜସ୍ର ଭୂମି ଭୂମିକାରେ ଆତ୍ମଜୀବନୀ ମୋର । ବାସ୍ । ଆଉ କ’ଣ ଅଧିକ ବୁଝିବା ଦରକାର ? ଏଯାଏଁ ଚାଲିଛି ଏ କଲମ ଏହିପରି – ଆଉ ତା ସହିତ ଖୋଦ୍ ମୁଁ ବି ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.